ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ପାଇପ୍ ଯୋଗେ ଆକ୍ୱାଗାର୍ଡ ମାନର ଜଳ ଯୋଗାଣ ହେଉଥିବା ନେଇ କର୍ତ୍ତୃପକ୍ଷ ଘୋଷଣା କରୁଥିବାବେଳେ ସହର ଭିତରେ ଥିବା ଜଳଭଣ୍ଡାରଗୁଡିକର ସ୍ୱଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ଯେଉଁସବୁ ନିଷିଦ୍ଧାଞ୍ଚଳରେ ଭୂତଳ ଜଳଭଣ୍ଡାର ଓ ସୁଉଚ୍ଚ ପାଣିଟାଙ୍କି ରହିଛି ତାହା ନିକଟରେ ଏକାଧିକ ପାଇଖାନା ଓ ଗାଧୁଆଘର ନିର୍ମାଣ ହୋଇଥିବା ଦେଖିବାକୁ ମିଳୁଛି ।
ସହରବାସୀଙ୍କୁ ଜଳଯୋଗାଣ ପାଇଁ ବିଭିନ୍ନ ସ୍ଥାନରେ ଭୂତଳ ଜଳଭଣ୍ଡାର ସହିତ ପାଣିଟାଙ୍କିଗୁଡିକ ରହିଛି । ପ୍ରଥମେ ବିଶୋଧିତ ଜଳ ଆସି ଭୂତଳ ଜଳଭଣ୍ଡାରରେ ମହଜୁଦ ହୋଇଥାଏ ଏବଂ ପରେ ଏହାକୁ ମୋଟରଯୋଗେ ସୁଉଚ୍ଚ ଟାଙ୍କିକୁ ଉଠାଯାଇଥାଏ । ପରେ ଏହାକୁ ବିଭିନ୍ନ ଅଞ୍ଚଳରେ ଥିବା ଲୋକଙ୍କ ଘରକୁ ପଠାଯାଇଥାଏ ।
ରାଜଧାନୀରେ ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ମିଶନରେ ଲୋକଙ୍କୁ ବିଶୁଦ୍ଧ ତଥା ଆକ୍ୱାଗାର୍ଡମାନର ଜଳଯୋଗାଣ ହେଉଛି । ଅର୍ଥାତ ଲୋକେ ଏହାକୁ ବିଶୋଧନ ନକରି ସିଧାସଳଖ ପିଇ ପାରିବେ । ତେବେ ଏହି ଜଳ ମହଜୁଦ ହେଉଥିବା ବିଭିନ୍ନ ଉତ୍ସ ଏବେ ଦୂଷିତ ହେଉଥିବା ନେଇ ଲୋକେ ଆଶଙ୍କା ପ୍ରକାଶ କରୁଛନ୍ତି । ନିୟମିତ ଭାବେ ଜଳର ମାନ ପରୀକ୍ଷା ନେଇ ଯେଉଁ ଘୋଷଣା ହୋଇଥିଲା ତାହା ଶୀତଳଭଣ୍ଡାରରେ ଥିବାରୁ ଲୋକେ ସହଜରେ ଏହା ଜାଣିପାରୁ ନାହାନ୍ତି ।
ତେବେ ଜଳ ଉତ୍ସ ଦୂଷିତ ନେଇ ଆଶଙ୍କାର ପ୍ରମୁଖ କାରଣ ହେଉଛି ବିଭିନ୍ନ ସ୍ଥାନରେ ଭୂତଳ ଜଳଭଣ୍ଡାର ନିକଟରେ ମାଳ ମାଳ ପାଇଖାନା ଓ ଗାଧୁଆଘର ନିର୍ମାଣ । ଯେଉଁଠାରେ ଭୂତଳ ଜଳଭଣ୍ଡାର ରହିଛି ତାହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଅର୍ଥାତ୍ ଜଳର ମାନ ଓ ସୁରକ୍ଷା ଦୃଷ୍ଟିରୁ ଏଠାକୁ ଜଳଯୋଗାଣ କର୍ମଚାରୀଙ୍କ ବ୍ୟତିତ ଆଉ କେହି ଯିବାକଥା ନୁହେଁ । ହେଲେ ସହରର ବିଭିନ୍ନ ସ୍ଥାନରେ ଏହି ନିଷିଦ୍ଧାଞ୍ଚଳ ମଧ୍ୟରେ ଜନବସତି ଗଢି ଉଠିଛି । ଏଠାରେ ଲୋକେ ପିଲାଛୁଆ ଧରି ରହୁଛନ୍ତି । ସେଥିପାଇଁ ବେଆଇନ୍ ଭାବେ ପାଇଖାନା ଓ ଗାଧୁଆଘର ନିର୍ମାଣ ହୋଇଛି । ଏଠାରୁ ବାହାରୁଥିବା ଦୂଷିତ ପାଣି କୁଆଡେ ଯାଉଛି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ନିଷିଦ୍ଧାଞ୍ଚଳ ଭିତରକୁ ସ୍ୱରେଜ ଲାଇନ୍ ସଂଯୋଗ ଉପରେ କଡା କଟକଣା ରହିଛି ।
ତେବେ ସହର ଭିତରେ ଏହି ନିଷିଦ୍ଧାଞ୍ଚଳରେ କିଏ ଘର ତିଆରି କରୁଛି ଓ ଭଡାରେ ଲୋକଙ୍କୁ ରଖି ଅର୍ଥ ଆଦାୟ କରୁଛି ତାହା ନଗର ଉନ୍ନୟନ ବିଭାଗ କିମ୍ବା ୱାଟ୍କୋ କର୍ତ୍ତୃପକ୍ଷଙ୍କ ନଜରରେ ନପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ପ୍ରତିଦିନ ଏହି ଭୂତଳଜଳଭଣ୍ଡାର ନିକଟକୁ ବିଭାଗୀୟ ଯନ୍ତ୍ରୀମାନେ ଆସୁଥିବାବେଳେ ସେମାନେ କିଭଳି ଏହି ବେଆଇନ୍ କାର୍ଯ୍ୟକୁ ଦେଖିପାରୁ ନାହାନ୍ତି ତାହାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି । ଏଥିଯୋଗୁଁ ଆଗାମୀ ଦିନରେ ଯଦି କୌଣସି ଅଘଟଣ ଘଟିବ ସେଥିପାଇଁ କିଏ ଦାୟୀ ରହିବ ବୋଲି ଜଳ ଯୋଗାଣ ଦାୟିତ୍ୱରେ ଥିବା କିଛି କର୍ମଚାରୀ ବି ପ୍ରଶ୍ନ କରୁଛନ୍ତି । (ତଥ୍ୟ)