Home Health ପାନୀୟ ଜଳରେ ଫ୍ଲୋରାଇଡ୍‍ ଓ ନାଇଟ୍ରେଟ

ପାନୀୟ ଜଳରେ ଫ୍ଲୋରାଇଡ୍‍ ଓ ନାଇଟ୍ରେଟ

ଭୁବନେଶ୍ୱର : ରାଜ୍ୟର କେତେକ ଜିଲ୍ଲାରେ ଲୋକେ ପିଉଥିବା ପାଣିରେ ଫ୍ଲୋରାଇଡ୍‍ ସମେତ ଲୌହ, ଲବଣ ଓ ନାଇଟ୍ରେଟ ଭଳି ରସାୟନିକ ସାମଗ୍ରୀ ରହିଛି । ତେବେ ସବୁଠାରୁ ଅଧିକ ସ୍ଥାନରେ ପାନୀୟଜଳରେ ଲୌହ ଅଂଶ ଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୮ଟି ଜିଲ୍ଲାରେ ଥିବା ୩୬ଟି ଜନବସତିରେ ଲୋକେ ପିଉଥିବା ପାଣିରେ ଫ୍ଲୋରାଇଡ୍‍ ଥିବା ପରୀକ୍ଷାରୁ ଜଣାଯାଇଛି । ସେହିଭଳି ୧୯ଟି ଜିଲ୍ଲାର ୧୯୧୧ଟି ଜନବସତିରେ ଜଳରେ ଲୌହ ଅଂଶ ଠାବ ହୋଇଥିବାବେଳେ ତିନିଟି ଜିଲ୍ଲାରେ ଲବଣାଂଶ ଓ ଦୁଇଟି ଜିଲ୍ଲାରେ ନାଇଟ୍ରେଟ ମିଳିଛି ।

ରାଜ୍ୟର ମୋଟ୍‍ ୨୦ଟି ଜିଲ୍ଲାରୁ ସଂଗୃହୀତ ଜଳ ନମୂନା ମଧ୍ୟରୁ ବଲାଙ୍ଗର, ବୌଦ, କଳାହାଣ୍ଡି, ମାଲକାନଗିରି, ମୟୁରଭଞ୍ଜ, ନୟାଗଡ, ରାୟଗଡା ଓ ସମ୍ବଲପୁର ଜିଲ୍ଲାରେ ପାନୀୟଜଳରେ ଫ୍ଲୋରାଇଡ୍‍ ଥିବା ଜଣାଯାଇଛି । ଏଥିରୁ ସର୍ବାଧିକ ୧୦ଟି ଜନବସତି ରହିଛି ବଲାଙ୍ଗିର ଜିଲ୍ଲାରେ । କଳାହାଣ୍ଡି ଓ ମାଲକାନଗିରିରେ ୫ଟି କରି ଜନବସତି ଥିବା ଜଣାଯାଇଛି ।

ସେହିଭଳି ଉପକୂଳବର୍ତ୍ତୀ ଜିଲ୍ଲା ଗଞ୍ଜାମ, ପୁରୀ ଓ ଜଗତ୍‍ସିଂହପୁରର କେତେକ ସ୍ଥାନରେ ଲୋକେ ଲବଣାକ୍ତ ପାନୀୟଜଳ ସେବନ କରୁଛନ୍ତି । ଏଥି ମଧ୍ୟରୁ ପୁରୀ ଜିଲ୍ଲାରେ ୧୨ଟି ସ୍ଥାନ ଥିବାବେଳେ ଗଞ୍ଜାମରେ ୯ଟି ଓ ଜଗତ୍‍ସିଂହପୁର ଜିଲ୍ଲାରେ ଗୋଟିଏ ଜନବସତି ରହିଛି । ତେବେ କଳାହାଣ୍ଡି, ମାଲକାନଗିରି ଓ ନୟାଗଡରେ ପାନୀୟଜଳରେ ନାଇଟ୍ରେଟ ଭଳି ରସାୟନିକ ପଦାର୍ଥ ଥିବା ଜଣାଯାଇଛି । ନୟାଗଡ ଜିଲ୍ଲାର ସର୍ବାଧିକ ୩ଟି ଗାଁରେ ପାଣିରେ ନାଇଟ୍ରେଟ ରହିଛି ।

ତେବେ ରାଜ୍ୟର ସର୍ବାଧିକ ୧୯ଟି ଜିଲ୍ଲାରେ ପାନୀୟଜଳ ଉତ୍ସରେ ଲୌହଅଂଶ ଥିବା ଜଣାଯାଇଛି । ଏହିସବୁ ଜିଲ୍ଲାଗୁଡିକ ହେଲା ବରଗଡ, ବୌଦ, କଟକ, ଗଜପତି, ଗଞ୍ଜାମ, ଜଗତ୍‍ସିଂହପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ଖୋରଧା, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ନୟାଗଡ, ପୁରୀ, ରାୟଗଡା, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ ।

ତେବେ କୋରାପୁଟ ଜିଲ୍ଲାର ସର୍ବାଧିକ ୪୬୭ ଗାଁରେ ପାନୀୟଜଳରେ ଲୌହ ଅଂଶ ମିଳିଥିବାବେଳେ କନ୍ଧମାଳରେ ୪୦୩, ମାଲକାନଗିରି ଜିଲ୍ଲାରେ ୨୯୨, ସୁନ୍ଦରଗଡରେ ୨୪୨, ରାୟଗଡା ଜିଲ୍ଲାରେ ୧୦୯, ଜଗତ୍‍ସିଂହପୁରରେ ୮୭, ଗଜପତିରେ ୬୮ ଜନବସତିରେ ପାନୀୟଜଳରେ ଏଭଳି ଲୌହ ଅଂଶ ଠାବ ହୋଇଛି ।

ଇତି ମଧ୍ୟରେ କେନ୍ଦ୍ର ସରକାର ଜଳର ମାନ ପରୀକ୍ଷା ପାଇଁ ଦେଶରେ ୨୦୦୦ ରୁ ଅଧିକ ପରୀକ୍ଷାଗାର ସ୍ଥାପନ କରିଛନ୍ତି । ଏହାବାଦ୍‍ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତି ଗ୍ରାମରୁ ୫ଜଣ ବ୍ୟକ୍ତି ବିଶେଷକରି ମହିଳାଙ୍କୁ ଜଳ ପରୀକ୍ଷା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଜଳର ନମୂନା ସଂଗ୍ରହ ସହିତ ତାହାର ପରୀକ୍ଷାପାଇଁ ସେମାନଙ୍କୁ ପରୀକ୍ଷଣ କିଟ୍‍ ଯୋଗାଯାଇଛି । ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୧୬.୧୩ ଲକ୍ଷ ମହିଳାଙ୍କୁ ଏ ସଂକ୍ରାନ୍ତୀୟ ତାଲିମ ପ୍ରଦାନ କରାଯାଇଥିବା ଜଣାଯାଇଛି । ଜଳ ଜୀବନ ମିଶନ ଯୋଜନାରେ ପ୍ରତି ଘରକୁ ପାଇପ୍‍ ଯୋଗେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ଥିବାବେଳେ ଫ୍ଲୋରାଇଡ୍‍ ଓ ନାଇଟ୍ରେଟ ଭଳି ରସାୟନିକ ଦ୍ୱାରା ପ୍ରଭାବିତ ଅଞ୍ଚଳକୁ ଅଗ୍ରାଧିକାର ଭିତ୍ତିରେ ପାଇପ୍‍ ଜଳ ଯୋଗାଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । (ତଥ୍ୟ)