Home General ପାନୀୟ ଜଳକୁ ନେଇ ଲୋକେ ଚିନ୍ତାରେ

ପାନୀୟ ଜଳକୁ ନେଇ ଲୋକେ ଚିନ୍ତାରେ

ଭୁବନେଶ୍ୱର : ରାଜଧାନୀର ପାଳନୀୟଜଳକୁ ନେଇ ଲୋକେ ଚିନ୍ତିତ । ସହରବାସୀଙ୍କ ଜଳଯୋଗାଣ ପାଇଁ ଛୋଟ ବଡ ୨୮୦ ଟି ଭୂତଳ ଜଳଭଣ୍ଡାର ରହିଥିବାବେଳେ ଏହାକୁ ଲାଗି ଶୌଚାଳୟ ଗଢି ଉଠିଛି । ନିଷିଦ୍ଧାଞ୍ଚଳ ଭିତରେ ମାଳ ମାଳ ଶୌଚାଳୟ ଯୋଗୁଁ ଏବେ ଭୂତଳ ଜଳଭଣ୍ଡାର ପ୍ରଦୂଷିତ ହେବାର ଆଶଙ୍କା ପ୍ରକାଶ ପାଉଛି ।

ସହରର ବିଭିନ୍ନ ସ୍ଥାନରେ ଯେଉଁ ଭୂତଳ ଜଳଭଣ୍ଡାର ରହିଛି ତାହା ନିଷିଦ୍ଧାଞ୍ଚଳ ବୋଲି ଦର୍ଶାଯାଇଛି । କର୍ତ୍ତୃପକ୍ଷ ମଧ୍ୟ ଏହା ଭିତରକୁ ବିନାନୁମତିରେ ପ୍ରବେଶ ନିଷେଧ ବୋଲି ବୋର୍ଡ ମାରିଛନ୍ତି । ହେଲେ ଏହି ଜଳଭଣ୍ଡାର ମଧ୍ୟରୁ କେତେକର ପରିସରରେ ଏବେ ଜନବସତି ଗଢି ଉଠିଥିବା ଲକ୍ଷ୍ୟ କରାଯାଉଛି । ପରିବାର ସହ ଲୋକେ ଏଠାରେ ଘରଦ୍ୱାର କରି ରହୁଛନ୍ତି । ମାଳ ମାଳ ପାଇଖାନା ଓ ଗାଧୁଆଘର ନିର୍ମାଣ କରିଛନ୍ତି । ନିଷିଦ୍ଧାଞ୍ଚଳରେ ଯେଉଁଠି ଜଳଭଣ୍ଡାର ରହିଛି ତାହାର ଅତି ନିକଟରେ ସ୍ୱରେଜ ଲାଇନ୍‍ ପଡିଛି ।

ଆଶ୍ଚର୍ଯ୍ୟର କଥା ହେଉଛି କେତେକ ଜଳଭଣ୍ଡାର ଥିବା ନିଷିଦ୍ଧାଞ୍ଚଳରେ ଜଳଯୋଗାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ଦପ୍ତର ରହିଛି । ସେମାନେ ସବୁକିଛି ଦେଖୁଥିଲେ ମଧ୍ୟ ଆଖି କାନ ବୁଜି ଦେଇ ରହୁଛନ୍ତି । ସେମାନଙ୍କ ଆଖିଆଗରେ ଏଭଳି ଘଟଣା ଘଟୁଥିବାବେଳେ ଏବେ ଏହି ନିଷିଦ୍ଧାଞ୍ଚଳରେ ବସବାସ କରିବାପାଇଁ କିଏ ଅନୁମତି ଦେଇଛି ଓ ଘର କରିବାପାଇଁ କିଭଳି ଅନୁମତି ମିଳିଲା ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଜଳଭଣ୍ଡାର ଥିବା ଅଞ୍ଚଳକୁ ଏଥିପାଇଁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥାଏ ଯେ ସାଧାରଣ ଲୋକେ ଯେଭଳି ଏହା ଭିତରକୁ ପ୍ରବେଶ କରିନପାରିବେ । କାରଣ ଯଦି କୌଣସି କାରଣରୁ ଜଳଭଣ୍ଡାର ଜଳ ବିଷାକ୍ତ ହୋଇଯିବ ତେବେ ଏହା ଏକ ପ୍ରକାରା ହା ହା କାର ଅବସ୍ଥା ସୃଷ୍ଟିକରିବ । କାରଣ ସହର ସାରା ଲୋକେ ଏହାକୁ ପାନୀୟଜଳ ଭାବେ ବ୍ୟବହାର କରୁଛନ୍ତି । ପୂର୍ବରୁ ଲୋକେ ଏହି ଜଳକୁ ଫୁଟାଇ କିମ୍ବା ଫିଲଟରରେ ପୂରାଇ ଛାଣିକରି ପିଉଥିବାବେଳେ ଯେବେଠାରୁ ସରକାର ଡ୍ରଙ୍କ୍‍ ଫ୍ରମ ଟ୍ୟାପ୍‍ ଯୋଜନା କାର୍ଯ୍ୟକାରୀ କଲେଣି ସେବେଠାରୁ ଅନେକ ଲୋକ ସିଧାସଳଖ ଏହି ଜଳକୁ ପିଉଛନ୍ତି । କାରଣ ସରକାର କହୁଛନ୍ତି ଏହି ଜଳର ମାନ ଆକ୍ୱାଗାର୍ଡ ଜଳର ମାନ ସହିତ ସମାନ ।

ତେବେ ଜଳଭଣ୍ଡାର ଭିତରେ ଲୋକଙ୍କ ବସବାସ ସଂକ୍ରାନ୍ତରେ ବିଧାନସଭାରେ ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ ଖୋଦ୍‍ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଯେ ପାଣିଟାଙ୍କି ନିକଟରେ ଶୌଚାଳୟ ନିର୍ମାଣ ଦ୍ୱାରା ଜଳ ପ୍ରଦୂଷଣ ହେବାର ଦୃଷ୍ଟାନ୍ତ ବିଭାଗ ନିକଟକୁ ଆସିନାହିଁ । ତେବେ ନିଷିଦ୍ଧାଞ୍ଚଳରେ ଘରଦ୍ୱାର ନିର୍ମାଣ ସଂକ୍ରାନ୍ତରେ ମନ୍ତ୍ରୀ ତାଙ୍କ ଉତ୍ତରରେ କିଛି ଉଲ୍ଲେଖ କରି ନାହାନ୍ତି । ହେଳେ ଯେଉଁମାନେ ନିଷିଦ୍ଧାଞ୍ଚଳରେ ମାଳ ମାଳ ଲୋକ ଘରଦ୍ୱାର କରି ରହିବା ଦେଖୁଛନ୍ତି ସେମାନଙ୍କ ମନରେ ଏବେ ଯୋଗାଯାଉଥିବା ଜଳର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । (ତଥ୍ୟ)