ଭୁବନେଶ୍ୱର : ଗ୍ରାମାଞ୍ଚଳ ଲୋକଙ୍କୁ ପାନୀୟଜଳ ଯୋଗାଇ ଦେବାପାଇଁ ଓଡିଶା ସରାକର ୨୦୯ଟି ମେଗା ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ ଅମାତ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ପାନୀୟଜଳ ଯୋଗାଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି । ୨୦୧୭-୧୮ ରୁ ବସୁଧା ଯୋଜନା, ୨୦୧୯ରୁ ଜଳ ଜୀବନ ମିଶନ, ୨୦୧୭-୧୮ ରୁ ଆରଆଇଡିଏଫ୍, ଓମ୍ବାଡକ ଏବଂ ଡିଏମ୍ଏଫ୍ ଏବଂ ୨୦୧୫ରୁ ରାଜ୍ୟ ଅର୍ଥ କମିଶନଙ୍କ ଅନୁଦାନରେ ମଧ୍ୟ କେତେକ ପକଳ୍ପ କାର୍ଯ୍ୟକାରୀ ହେଉଛି ।
ବିଜେଡି ବିଧାୟକ ପଦ୍ମିନୀ ଦିଆନଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ମୋଟ୍ ୨୦୯ଟି ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ୭୧୦.୪୫ କୋଟି ଟଙ୍କାରେ ୧୦ଟି ପ୍ରକଳ୍ପର କାର୍ଯ୍ୟ ସମାପ୍ତ ହୋଇଛି । ଏହିସବୁ ପ୍ରକଳ୍ପ ଗୁଡିକ ବାଲେଶ୍ୱର, ବଲାଙ୍ଗିର, କେନ୍ଦୁଝର, ଯାଜପୁର ଏବଂ ନୂଆପଡା ଜିଲ୍ଲାରେ ରାଜ୍ୟ ଅର୍ଥ କମିଶନ, ଓମ୍ବାଡକ ଏବଂ ଆଇଆଇଡିଏଫ୍ ପାଣ୍ଠିରେ କାର୍ଯ୍ୟକାରୀ ହୋଇଛି ।
ଅନୁରୂପ ଭାବେ ୨୩,୫୧୪ କୋଟି ୮୬ ଲକ୍ଷ ଟଙ୍କା ମୂଲ୍ୟର ୧୩୨ଟି ପାଇପ୍ ଯୋଗେ ପାନୀୟଜଳ ପ୍ରକଳ୍ପର ିନିର୍ମାଣ କାର୍ଯ୍ୟ ଜାରି ରହିଛି । ଏଥିରୁ ଅଧିକାଂଶ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟ ସରକାର ମଧ୍ୟ ୮୬୯୧.୯୮ କୋଟି ଟଙ୍କାର ୪୭ଟି ମେଗା ପାନୀୟଜଳ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହାବାଦ୍ ୨୦ଟି ପ୍ରକଳ୍ପ ପ୍ରସ୍ତୁତି ପର୍ଯ୍ୟାୟରେ ରହିଛି ଏବଂ ଏଥିପାଇଁ ଖୁବ୍ଶୀଘ୍ର ଟେଣ୍ଡର ଜାରିହେବ ।
୨୦୨୪ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ କରିଛନ୍ତି । ପୂର୍ବରୁ ନଳକୂପ ଜରିଆରେ ଲୋକଙ୍କୁ ପାନୀୟଜଳ ଯୋଗାଣ ହେଉଥିଲା । ପ୍ରାରମ୍ଭରେ ଗ୍ରାମାଞ୍ଚଳର ୩.୫ ପ୍ରତିଶତଙ୍କୁ ପାନୀୟଜଳ ଯୋଗାଣ ହେଉଥିବାବେଳେ ଏବେ ତାହା ୪୯.୬୨ ପ୍ରତିଶତରେ ପହଞ୍ଚିଛି ।
ଅନ୍ୟଏକ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ କହିଛନ୍ତି ଯେ ଗ୍ରାମାଞ୍ଚଳରେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ୨୦୧୭-୧୮ ରେ ରାଜ୍ୟ ସରକାର ୧୨୭୧.୧୨ କୋଯି ଟଙ୍କା ବ୍ୟୟ କରିଥିବାବେଳେ ୨୦୧୮-୧୯ ରେ ୨୧୫୫.୫୩ କୋଟି, ୨୦୧୯-୨୦ ରେ ୪୩୪୭.୩ କୋଟି ଏବଂ ୨୦୨୧-୨୨ ରେ ୫୮୯୮.୫ କୋଟି ଟଙ୍କା ବ୍ୟୟ ହୋଇଛି ।
୨୦୨୧-୨୨ ରେ ପାନୀୟଜଳ ଯୋଗାଣ ପାଇଁ ବଜେଟ୍ରେ ୯୯୬୨.୪ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଏଥିରୁ ୫୫୯୦.୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଚଳିତ ବଜେଟ୍ରେ ପାନୀୟଜଳ ପାଇଁ ୮୮୫୦ କୋଟିର ବରାଦ ହୋଇଥିବାବେଳେ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୧୭୭.୫ କୋଟି ଟଙ୍କା ବ୍ୟୟ କରିଥିବା ଜଣାଯାଇଛି । (ତଥ୍ୟ)