Home General ପାନୀୟଜଳ ଅର୍ଥ ବ୍ୟୟ କମ୍‍

ପାନୀୟଜଳ ଅର୍ଥ ବ୍ୟୟ କମ୍‍

ଭୁବନେଶ୍ୱର : ଲୋକଙ୍କୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ରାଜ୍ୟ ସରକାର ଚଳିତ ବଜେଟ୍‍ରେ ୧୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୦ ପ୍ରତିଶତରୁ କମ୍‍ ଅର୍ଥ ବ୍ୟୟ ହୋଇଛି । ଜଳ ଜୀବନ ମିଶନ ଯୋଜନାରେ ବରାଦ ହୋଇଥିବା ଅର୍ଥ ମଧ୍ୟ ସବୁଠାରୁ କମ୍‍ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଇଛି ।

୨୦୧୭-୧୮ ମସିହାରେ ପାନୀୟଜଳ ଯୋଗାଣ ପାଇଁ ବଜେଟ୍‍ରେ ୧୨୭୧ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ଏହା ୯୯୫୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଏହି ଅର୍ଥ ମଧ୍ୟରୁ ଜଳ ଜୀବନ ମିଶନ ଯୋଜନାରେ ୬୦୦୦ କୋଟି ଟଙ୍କା ଥିବାବେଳେ ଏଥିରୁ ଖର୍ଚ୍ଚ ହୋଇଛି ମାତ୍ର ୧୫୦୫ କୋଟି ଟଙ୍କା । ଅର୍ଥାତ୍‍ ଏହି ଯୋଜନାରେ ୨୫ ପ୍ରତିଶତରୁ ସାମାନ୍ୟ ଅଧିକ ଅର୍ଥ ବ୍ୟୟ ହୋଇପାରିଛି ।

ସେହଭଳି ବସୁଧା ଯୋଜନାରେ ୮୫୦ କୋଟି ଟଙ୍କାର ବ୍ୟୟ ବରାଦ ଥିବାବେଳେ ଖର୍ଚ୍ଚ ହୋଇଛି ୬୪ ପ୍ରତିଶତ ଅର୍ଥାତ୍‍ ୫୪୮ କୋଟି ଟଙ୍କାରୁ ସାମାନ୍ୟ ଅଧିକ ଅର୍ଥ ବ୍ୟୟ ହୋଇଛି । ଆରଆଇଡିଏଫ୍‍ ଯୋଜନାରେ ୧୨୧୨ କୋଟି ଟଙ୍କା ବରାଦ ହୋଇଥିବାବେଳେ ୩୭ ପ୍ରତିଶତ ଅର୍ଥ ବ୍ୟୟ ହୋଇଛି । ତେବେ ଓଏଏମ୍‍ବିଏଡିସି ଯୋଜନାରେ କର୍ତ୍ତୃପକ୍ଷ ୯୪ ପ୍ରତିଶତରୁ ଅଧିକ ଅର୍ଥ ବ୍ୟୟ କରିପାରିଛନ୍ତି । ଏହି ଯୋଜନାରେ ବଜେଟ୍‍ରେ ୭୮୭ କୋଟି ଟଙ୍କା ବରାଦ ହୋଇଥିଲା । ସେହିଭଳି ଡିଏମ୍‍ଏଫ୍‍ରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ଥିବାବେଳେ ଏଠ।।ରେ ବି ୩୮୬ କୋଟି ଟଙ୍କାରୁ ସାମାନ୍ୟ ଅଧିକ ଅର୍ଥ ବ୍ୟୟର ସଫଳତା ମିଳିଛି ।

ରାଜ୍ୟ ସରକାର ୨୦୨୨ ସୁଦ୍ଧା ସମସ୍ତ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ଲକ୍ଷ୍ୟ ରଖିଥିବାବେଳେ ଏ କ୍ଷେତ୍ରରେ ଅର୍ଥ ବ୍ୟୟ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । କେନ୍ଦ୍ର ସରକାର ମଧ୍ୟ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନାରେ ବ୍ୟାପକ ଅର୍ଥ ଯୋଗାଣ କରୁଛନ୍ତି । ବର୍ତ୍ତମାନ ରାଜ୍ୟରେ ପ୍ରାୟ ୨୪ହଜାର କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ଅବସ୍ଥାରେ ରହିଛି ।

ତେବେ ପୂର୍ବରୁ ପାନୀୟଜଳ ଯୋଗାଣ ପାଇଁ ନିର୍ମାଣ ହୋଇଥିବା ବହୁ ପ୍ରକଳ୍ପ ଗାଁ ଗହଳରେ ଅଚଳ ଅବସ୍ଥାକୁ ଆସି ଯାଇଥିବାରୁ ଲୋକେ ଏହାର ସୁଫଳ ପାଇପାରୁ ନାହାନ୍ତି । ଠିକାଦାରଙ୍କ ଦ୍ୱାରା ନିମ୍ନମାନର କାର୍ଯ୍ୟ ଯୋଗୁଁ ସବୁ ବ୍ୟବସ୍ଥା ଥାଇ ବି ଲୋକଙ୍କ ଘର ନିକଟରେ ପାଣି ପହଞ୍ଚି ପାରୁନାହିଁ । ଅଧିକାଂଶ ସ୍ଥାନରେ ପାଇପ୍‍ ଫାଟି ଯାଉଛି ।

ଏହାର ରକ୍ଷଣା ବେକ୍ଷଣ ଦାୟିତ୍ୱ ଠିକାଦାରଙ୍କ ହାତରେ ଥିଲେ ବି ସେଥିପ୍ରତି କାହାର ଦୃଷ୍ଟି ପଡୁନାହିଁ । ଫଳରେ କର୍ତ୍ତୃପକ୍ଷ ଯେତେ ନୂଆ ନୂଆ ପ୍ରକଳ୍ପ ତିଆରି କରିବାରେ ଲାଗୁଛନ୍ତି ସେହି ମାତ୍ରାରେ ପୁରୁଣା ପ୍ରକଳ୍ପଗୁହିକ ଅକାମୀ ହେବାରେ ଲାଗିଛି । ତେଣୁ ନୂଆ ପ୍ରକଳ୍ପ ନିର୍ମାଣ ସହିତ ପୂର୍ବରୁ ନିର୍ମାଣ ହୋଇଥିବା ପାନୀୟଜଳ ପ୍ରକଳ୍ପର କିଭଳି ଶତ ପ୍ରତିପ୍ରତି ବିନିଯୋଗ ହୋଇପାରିବ ତାହା ଉପରେ ଦୃଷ୍ଟି ଦେବାକୁ ଦାବି ହେଉଛି । (ତଥ୍ୟ)