Home General ପାଣି ବିଲ୍‍ ପ୍ରସ୍ତୁତ ହୋଇପାରୁନି

ପାଣି ବିଲ୍‍ ପ୍ରସ୍ତୁତ ହୋଇପାରୁନି

ଭୁବନେଶ୍ୱର : ଜଳ ଯୋଗାଣ ପାଇଁ ତତ୍ପର ଥିବା ପ୍ରଶାସନ କିନ୍ତୁ ଜଳ ଟିକସ ଆଦାୟକୁ ସୁବ୍ୟବସ୍ଥିତ କରିପାରୁ ନାହିଁ । ଦୁଇ ଦୁଇଟି ଜାତୀୟ ସ୍ତରର ଆଇଟି ସଂସ୍ଥା ଲାଗିଥିଲେ ମଧ୍ୟ ଏହାର ବିଲ୍‍ ବ୍ୟବସ୍ଥାକୁ ଚୂଡାନ୍ତ କରିପାରୁନାହାନ୍ତି ।

ରାଜଧାନୀରେ ଜଳ ଯୋଗାଣ ଓ ବିଲ୍‍ ଆଦାୟ ବ୍ୟବସ୍ଥା ଏବେ ୱାଟ୍‍କୋ ହାତରେ ରହିଛି । ପ୍ରତି ମାସରେ ଲୋକଙ୍କୁ ଜଳଯୋଗାଣ ବାବଦ ବିଲ୍‍ ପଇଠ କରିବା ସହିତ ସେମାନଙ୍କ ଠାରୁ ଜଳ ଆଦାୟ ହେବାକଥା । ଏହି ବିଲ୍‍ ପ୍ରସ୍ତୁତ କାର୍ଯ୍ୟ ପ୍ରଥମେ ଟାଟା କନସଲଟାନ୍ସି ସର୍ଭିସେସ୍‍ (ଟିସିଏସ୍‍) କୁ ପ୍ରଦାନ କରାଯାଇଥିଲା । ଉକ୍ତ ସଂସ୍ଥା କାର୍ଯ୍ୟକୁ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚାଇଥିବାବେଳେ ହଠାତ୍‍ ତାହାକୁ ହଟାଇ ଦିଆଗଲା ।

ଏହାପରେ ଏହି କାର୍ଯ୍ୟ ପ୍ରାଇସ୍‍ ୱାଟରହାଉସ୍‍ କୁପର (ପିଡବ୍ଲୁସି) କୁ ଦିଆଯାଇଛି । ପିଡବ୍ଲୁସି ବାଙ୍ଗାଲୋର ସ୍ଥିତ ଇ-ଗଭ୍‍ ଫାଉଣ୍ଡେସନର ମିଳିତ ସହଯୋଗରେ ପାଣି ବିଲ୍‍ ପ୍ରସ୍ତୁତ କରୁଛି । ତେବେ ଚାରି ବର୍ଷ ପରେ ମଧ୍ୟ ଏହା ଚୂଡାନ୍ତ ହୋଇପାରୁ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ପିଡବ୍ଲୁସି ପକ୍ଷରୁ ତ୍ରୁଟି ସୁଧାରିବା ପାଇଁ ଟିସିଏସ୍‍ର ବି ସହାୟତା ନିଆଯାଇଥିଲା । ହେଲେ ସେଥିରେ ମଧ୍ୟ ସଫଳତା ମିଳିପାରି ନାହିଁ ।

ଠିକଣା ଭାବେ ବିଲ୍‍ ପ୍ରସ୍ତୁତ ହୋଇପାରୁ ନଥିବାରୁ ହିତାଧିକାରୀମାନେ ଚାହିଁଲେ ମଧ୍ୟ ଅନଲାଇନ୍‍ରେ ପାଣି ବିଲ୍‍ ପଇଠ କରିପାରୁ ନାହାନ୍ତି । ଏହି ବିଲ୍‍ ପ୍ରଦାନ ପାଇଁ ତିନି ତିନିଟି ସରକାରୀ ପ୍ଲାଟଫର୍ମ ରହିଛି । ଏଗୁଡିକ ହେଲା ଭୁବନେଶ୍ୱର ମି, ଓଡିଶା ୱାନ ଓ ସୁଯୋଗ । କିନ୍ତୁ ଗୋଟିଏରେ ହେଲେ ବି ତାହା ପଇଠ ହୋଇପାରୁ ନାହିଁ । ଫଳରେ ଲୋକେ ଜଳଯୋଗାଣ ଦପ୍ତରକୁ ଯାଇ ବିଲ୍‍ ପଇଠ କରିବାକୁ ବାଧ୍ୟ ହେଉଛନ୍ତି । ଅନେକ ହିତାଧିକାରୀ ବିରକ୍ତିଭାବ ପ୍ରକାଶ କରି ପାଣି ବିଲ୍‍ ପଇଠ କରୁନାହାନ୍ତି ।

ବିଲ୍‍ ଆଦାୟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ମତରେ ଟିସିଏସ୍‍ ୬/୭ ବର୍ଷ ଧରି କାର୍ଯ୍ୟ କରିବା ପରେ କର୍ତ୍ତୃପକ୍ଷ ତାହାକୁ ବଦଳାଇ ଦେଲେ । ପିଡବ୍ଲୁସି ଏଠାରେ ଚାରି ବର୍ଷ କାର୍ଯ୍ୟ କରିବାପରେ ବି ବିଲ୍‍ ପ୍ରସ୍ତୁତ ହୋଇପାରୁ ନାହିଁ । ଦପ୍ତରରେ ଏବେ ହିତାଧିକାରୀଙ୍କ ବିଲ୍‍ ଖୋଜିବାପାଇଁ ଦୁଇ ତିନିଟି କମ୍ପ୍ୟୁଟର ଚଲାଇବାକୁ ପଡୁଛି । ବର୍ତ୍ତମାନ ପାଣି ବିଲ୍‍ ଆଉ ନଗଦ ଆକାରରେ ଗ୍ରହଣ କରାଯାଉନାହିଁ । ଅନ୍‍ଲାଇନ୍‍ରେ ପଇଠ ବ୍ୟବସ୍ଥା ହୋଇଥିଲେ ଲୋକେ ଘରେ ବସି ଏହା ପ୍ରଦାନ କରିଥାନ୍ତେ । ହେଲେ ଏହା କେବେ ସୁଦ୍ଧା କାର୍ଯ୍ୟକାରୀ ହେବ ତାହାର ଉତ୍ତର କାହାରି ପାଖରେ ନାହିଁ ।

ଅନ୍ୟ ପକ୍ଷରେ ଜନସ୍ୱସ୍ଥ୍ୟ ବିଭାଗ ହାତରୁ ଜଳ ଯୋଗାଣ ଦାୟିତ୍ୱ ୱାଟ୍‍କୋ ନେବାପରେ ବିଲ୍‍ ପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ୱିତ ହେବବୋଲି ଆଶା କରାଯାଉଥିଲା । ହେଲେ ୱାଟ୍‍କୋ କର୍ତ୍ତୃପକ୍ଷ ମଧ୍ୟ ଏ କ୍ଷେତ୍ରରେ ସେତେଟା ଆଗ୍ରହୀ ଥିବା ପରିଲକ୍ଷିତ ହେଉନାହିଁ । ଫଳରେ ଜଳକର ବାବଦୀୟ ଅର୍ଥ ଠିକଣା ସମୟରେ ଯେଭଳି ଭାବେ ରାଜକୋଷକୁ ଅର୍ଥ ଆସିବାକଥା ତାହା ହୋଇପାରୁନଥିବା ଖୋଦ୍‍ କର୍ମଚାରୀମାନେ ମତ ଦେଉଛନ୍ତି (ତଥ୍ୟ)