ଭୁବନେଶ୍ୱର : ନିଜ ନିଜର ପାଣି ବିଲ୍ ଅନ୍ଲାଇନ୍ରେ ପଇଠ ପାଇଁ ହିତାଧିକାରୀମାନେ ନୟାନ୍ତ ହେଉଛନ୍ତି । ଜଳଯୋଗାଣ କରୁଥିବା ୱାଟ୍କୋ ୱେବସାଇଟ୍ରେ ବିଲ୍ ପଇଠ ପାଇଁ ବ୍ୟବସ୍ଥା ନଥିବାବେଳେ ଏଥିପାଇଁ ସୁଯୋଗ ବ୍ୟବସ୍ଥାରେ ପଇଠର ବି ସେଭଳି ସୁବିଧା ନାହିଁ ।
ଜଳଯୋଗାଣ ବାବଦୀୟ ବିଲ୍ ପାଇବାପରେ ହିତାଧିକାରୀମାନେ ଅନ୍ଲାଇନ୍ରେ ବିଲ୍ ପଇଠ କରିବାକୁ ଚାହୁଁଛନ୍ତି । ଏଥିପାଇଁ ପ୍ରଥମେ ସେମାନେ ୱାଟ୍କୋ ୱେବସାଇଟ୍କୁ ଯାଉଛନ୍ତି । ତେବେ ସେଠାରେ ବିଲ୍ ପଇଠ ପାଇଁ କୌଣସି ଲିଙ୍କ୍ ନାହିଁ । ୱାଟ୍କୋର ଦେୟମୁକ୍ତ ଟେଲିଫୋନ୍ ନମ୍ବରରେ ଫୋନ୍କଲେ ଅପରପଟୁ ‘ସୁଯୋଗ’ ଜରିଆରେ ବିଲ୍ ପଇଠ ପାଇଁ କୁହାଯାଉଛି ।
ଯେଉଁ ହିତାଧିକାରୀମାନେ ସୁଯୋଗ ୱେବସାଇଟ୍କୁ ଯାଉଛନ୍ତି ସେଠାରେ ସହଜରେ ବିଲ୍ ପଇଠ ସଂକ୍ରାନ୍ତରେ ଜାଣିପାରୁ ନାହାନ୍ତି । ସୁଯୋଗର ଟ୍ରୋଲ ଫ୍ରି ନମ୍ବରରେ ଫୋନ୍ କଲେ କୌଣସି ଉତ୍ତର ମିଳୁନାହିଁ । ଗ୍ରାହକମାନଙ୍କ ପାଇଁ ୧୧ଟିକିଆ ଟୋଲ ଫ୍ରି ନମ୍ବର ବାଦ୍ ଅନ୍ୟ କୌଣସି ଟେଲିଫୋନ୍ ନମ୍ବର ନାହିଁ । ଏହି ୱେବସାଇଟ୍ରେ ହିତାଧିକାରୀମାନେ ପଞ୍ଜିକରଣ କଲେ ପାଣି ବିଲ୍ ପଇଠର ବ୍ୟବସ୍ଥା ରହିଛି । ତେବେ ଯେଉଁମାନେ ପଞ୍ଜିକରଣ କରୁଛନ୍ତି ପରବର୍ତ୍ତୀ ସମୟରେ ବିଲ୍ ପଇଠ ପାଇଁ ସେମାନେ ଛାଏଁ ଛାଏଁ ଭୁବନେଶ୍ୱର ମି ୱେବସାଇଟ୍ ସହିତ ଯୋଡିହୋଇ ଯାଉଛନ୍ତି ।
ସେଠାରେ ଥିବା ସ୍ୱରେଜ ଓ ଜଳ କର ପଇଠ ସ୍ଥାନରେ କ୍ଲିକ୍ କରି ସହରର ନାମ, ଟେଲିଫୋନ୍ ନମ୍ବର, ଜଳକରର କିସମ ଓ ଗ୍ରାହକ ନମ୍ବର ଦେଲେ ତାହା ସଠିକ୍ ନୁହେଁ ବୋଲି ଦର୍ଶାଯାଉଛି । ଏହାପରେ ୱାଟ୍କୋ କର୍ତ୍ତୃପକ୍ଷଙ୍କୁ ଫୋନ୍ କଲେ ହିତାଧିକାରୀଙ୍କୁ ନିକଟସ୍ଥ ଜଳଯୋଗାଣ ଦପ୍ତରକୁ ଯାଇ ବୁଝିବା ସହିତ ସେଠାରେ ଜଳକର ପଇଠ ପାଇଁ ପରାମର୍ଶ ଦିଆଯାଉଛି ।
ଟେଲିଫୋନ୍ କମ୍ପାନୀ, ବିଦ୍ୟୁତ୍ ଯୋଗାଣ କମ୍ପାନୀମାନେ ଦେୟ ଆଦାୟ ପାଇଁ ସହଜ ବ୍ୟବସ୍ଥା କରିଥିଲେ ମଧ୍ୟ ୱାଟ୍କୋ କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା ତାହା କରିପାରୁ ନାହାନ୍ତି । ଆଜି ପର୍ଯ୍ୟନ୍ତ ୱାଟ୍କୋର ୱେବସାଇଟ୍ରେ ଜଳକର ଦେୟ ବାବଦ ଲିଙ୍କ୍ ଟିଏ ରହିପାରି ନାହିଁ ।
ପୂର୍ବରୁ ନିଯୁକ୍ତ ହୋଇଥିବା ଜଳସାଥୀମାନେ ଘରକୁ ଘର ବୁଲି ନଗଦ ଓ ଡିଜିଟାଲ ବ୍ୟବସ୍ଥାରେ ଜଳକର ଆଦାୟ କରୁଥିଲେ । ତେବେ ଇତି ମଧ୍ୟରେ ଜଳସାଥୀମାନେ କାର୍ଯ୍ୟରୁ ଅନ୍ତର ହୋଇଗଲେଣି । ତେଣୁ ହିତାଧିକାରୀମାନେ ଘରେ ବସି ଅନଲାଇନ୍ରେ ବିଲ୍ ପଇଠ ପାଇଁ ଆଗ୍ରହୀ । ହେଲେ ବ୍ୟବସ୍ଥାଗତ ତ୍ରୁଟି ଯୋଗୁଁ ସେମାନଙ୍କୁ ନିକଟସ୍ଥ ଜଳଯୋଗାଣ କେନ୍ଦ୍ରକୁ ଦଉଡିବାକୁ ପଡୁଛି । ୱେବସାଇଟ୍ ନିର୍ମାଣ ଓ ରକ୍ଷଣାବେକ୍ଷଣ ବାବଦରେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ହେଉଥିବାବେଳେ ଜଳଯୋଗାଣ ସଂସ୍ଥାର ୱେବସାଇଟ୍ରେ ଜଳକର ଆଦାୟ ପାଇଁ ବ୍ୟବସ୍ଥା ନରହିବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । (ତଥ୍ୟ)