ଭୁବନେଶ୍ୱର : ରାଜଧାନୀର କେତେକ ଅଞ୍ଚଳରେ ହାଇରିଆ ସଂକ୍ରମଣ ଚିହ୍ନଟ ହେବାପରେ ଏବେ ପାନୀୟଜଳକୁ ନେଇ ସହରବାସୀ ଆତଙ୍କିତ ହୋଇପଡିଛନ୍ତି । କାରଣ ସହରରେ ଥିବା ବିଭିନ୍ନ ଜଳ ଯୋଗାଣ ଉତ୍ସରେ ବେଆଇନ୍ ବସବାସ ଓ ପାଣିଟାଙ୍କି ପାଶ୍ୱର୍ରେ ଶୌଚାଳୟ ନିର୍ମାଣ ଲୋକଙ୍କ ଚିନ୍ତାକୁ ବଢାଇଦେଇଛି ।
ରାଜଧାନୀବାସୀଙ୍କୁ ଜଳ ଯୋଗାଣ ପାଇଁ ସହରର ବିଭିନ୍ନ ସ୍ଥାନରେ ଭୂତଳ ଜଳଭଣ୍ଡାର ସହିତ ସୁଉଚ୍ଚ ପାଣି ଟାଙ୍କି ନିର୍ମାଣ ହୋଇଛି । ବିଭିନ୍ନ ସ୍ଥାନରୁ ଜଳ ଆସି ପ୍ରଥମେ ଭୂତଳ ଜଳଭଣ୍ଡାରରେ ଗଚ୍ଛିତ ହୋଇଥାଏ ଏବଂ ପରେ ମୋଟର ଯୋଗେ ଏହାକୁ ବେଶ୍ ଉଚ୍ଚତାରେ ଥିବା ପାଣିଟାଙ୍କିକୁ ଉଠାଯାଏ । ପରେ ଏହାକୁ ବିଭିନ୍ନ ସ୍ଥାନକୁ ଛଡାଯାଇଥାଏ । ଏହିସବୁ ପାଣିଟାଙ୍କି ଅଞ୍ଚଳଗୁଡିକ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ କର୍ତ୍ତୃପକ୍ଷ ତାହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ଅର୍ଥାତ୍ ଏଠାକୁ ଜଳଯୋଗାଣ କର୍ମଚାରୀଙ୍କ ବ୍ୟତିତ ସାଧାରଣ ଲୋକଙ୍କ ପ୍ରବେଶ ମନା ।
ତେବେ ରାଜଧାନୀର ଅଧିକାଂଶ ପାଣିଟାଙ୍କି ପରିସର ଏବେ ଆବାସିକ କଲୋନିରେ ପରିଣତ ହୋଇଛି । ଏହାର ପରିସରରେ ଥିବା ସ୍ଥାନରେ ଲୋକେ ଆଜବେଷ୍ଟସ ଓ ଛାତ ଘର ନିର୍ମାଣ କରି ପିଲାଛୁଆ ଧରି ରହୁଛନ୍ତି । ସେଥିପାଇଁ ନିଷିଦ୍ଧାଞ୍ଚଳ ଭିତରେ ଏକାଧିକ ପାଇଖାନା ଓ ଗାଧୁଆଘର ନିର୍ମାଣ ହୋଇଛି । ତେବେ ଏହା ଭିତରକୁ ସ୍ୱରେଜ ଲାଇନ୍ ପ୍ରବେଶ ଉପରେ କଟକଣା ଥିବାରୁ ନିର୍ମାଣ ହୋଇଥିବା ପାଇଖାନା ବର୍ଜ୍ୟ କେଉଁଆଡେ ଯାଉଛି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଇତି ମଧ୍ୟରେ ପାଣିଟାଙ୍କି ନିର୍ମାଣ ହୋଇଥିବା କେତେକ ନିଷିଦ୍ଧାଞ୍ଚଳରେ ୱାଟ୍କୋ କର୍ତ୍ତୃପକ୍ଷ ନିଜସ୍ୱ ଦପ୍ତର ନିର୍ମାଣ କରିଛନ୍ତି । ଦପ୍ତର ସହିତ ଏହା ଭିତରେ ଶୌଚାଳୟ ନିର୍ମାଣ ବି ହୋଇଛି । ଖୋଦ୍ ୱାଟ୍କୋ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟରେ ମାତିଥିବାରୁ ଅନ୍ୟମାନେ ସାହସ ପାଇ ନିଷିଦ୍ଧାଞ୍ଚଳରେ ଘର ଓ ଶୌଚାଳୟ ନିର୍ମାଣ କରି ନିଜେ ରହିବା ସହିତ ତାହାକୁ ଭଡା ଲଗାଇ ଦେଉଛନ୍ତି । ତେବେ ନିଷିଦ୍ଧାଞ୍ଚଳକୁ ଦୈନିକ ୱାଟ୍କୋ ଯନ୍ତ୍ରୀ ଓ ଅଧିକାରୀମାନେ ଆସୁଥିବାବେଳେ ଏଭଳି ବେଆଇନ୍ କାର୍ଯ୍ୟ ସେମାନଙ୍କ ନଜରରେ କିଭଳି ପଡୁନାହିଁ ତାହା ଏବେ ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରୁଛି ।
ନିଷିଦ୍ଧାଞ୍ଚଳରେ ଥିବା ଭୂତଳ ପାଣିଟାଙ୍କିକୁ ଲାଗି ଏକାଧିକ ଶୌଚାଳୟ ନିର୍ମାଣ ହୋଇଥିବାରୁ ଯୋଗାଣ ହେଉଥିବା ଜଳ ଦୂଷିତ ହେବାର ଆଶଙ୍କା ରହିଛି । ବର୍ତ୍ତମାନ ସହରରେ କଲେରା ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ତୁରନ୍ତ ଜଳ ଯୋଗାଣପାଇଁ ଥିବା ପାଣିଟାଙ୍କି ପରିସରକୁ ପ୍ରଥମେ ଜବରଦଖଲମୁକ୍ତ କରିବାଲାଗି ମତପ୍ରକାଶ ପାଉଛି । ଲୋକେ ଆଶଙ୍କା କରୁଛନ୍ତି ଯେ ଏହି ନିଷିଦ୍ଧାଞ୍ଚଳ ପରିସରରେ ବସବାସ କରୁଥିବା ପରିବାର ମଧ୍ୟରୁ ଯଦି କେହି କଲେରା ଭୂତାଣୁରେ ଆକ୍ରାନ୍ତହେବେ ତେବେ ସହରରେ ସ୍ଥିତି ଅଣାୟତ ହୋଇପଡିବ ।
ରାଜ୍ୟରେ ଏବେ ହଇଜା ଗୋଟିଏ ପରେ ଗୋଟିଏ ଜିଲ୍ଲାର ସୀମା ଡେଇଁ ଚାଲିଥିବାବେଳେ ୧୦ରୁ ଅଧିକ ମୁଣ୍ଡ ନେଲାଣି । ଏଭଳି ସଂକ୍ରମଣ ପାଇଁ ଦୂଷିତ ଜଳ ଓ ଖାଦ୍ୟକୁ ଦାୟୀ କରାଯାଉଥିବାବେଳେ ଖୋଦ୍ ରାଜଧାନୀରେ ଜଳଯୋଗାଣ ବ୍ୟବସ୍ଥା ବିପଜ୍ଜନକ ସ୍ଥିତିରେ ଥିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । (ତଥ୍ୟ)