Home Health ପାଣିରେ ପଡୁଛି ସଚେତନତା ଅର୍ଥ

ପାଣିରେ ପଡୁଛି ସଚେତନତା ଅର୍ଥ

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ଗୁଟ୍‍ଖା, ତମାଖୁ ଓ ନିଶା ସାମଗ୍ରୀ ଠାରୁ ଦୂରେଇ ରଖିବାପାଇଁ ସଚେତନତା ବାବଦରେ ସରକାର ପାଣି ଭଳି ପଇସା ଖର୍ଚ୍ଚ କରୁଥିଲେ ମଧ୍ୟ ଏଥିରୁ ଯେଭଳି ସୁଫଳ ମିଳିବାକଥା ତାହା ମିଳୁନାହିଁ । ଗୋଟିଏ ପଟେ ସରକାରୀ କଟକଣା ସତ୍ୱେ ରାଜ୍ୟରେ ଗୁଟ୍‍ଖା, ତମାଖୁ ଆଦି ଅବାଧ ବିକ୍ରି ହେବା ଓ ସରକାର ସେଥିରୁ ଟିକସ ଆଦାୟ କରୁଥିବାବେଳେ ଅନ୍ୟପଟେ ସଚେତନତା ବାବଦରେ ବି ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଗତ ବର୍ଷ ଜୁଲାଇ ମାସରେ ରାଜ୍ୟ ସରକାର ଏଭଳି ସଚେତନତା ପାଇଁ ୪କୋଟି ୨୩ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ଏହି ଅର୍ଥରେ ବିଭିନ୍ନ କର୍ମଶାଳା, ଶିକ୍ଷୟଣୀୟ ମନୋରଞ୍ଜନ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିପାଇଁ ବିଭିନ୍ନ ସଂସ୍ଥାକୁ ୪ କୋଟି ୨୩ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେନତତା କାର୍ଯ୍ୟକ୍ରମ ଆୟୋଜନ କରିଥିବା ଦର୍ଶାଇଛନ୍ତି ।

ହେଲେ ଏହାର ସୁଫଳ କିନ୍ତୁ ସେଭଳି ଭାବେ ମିଳୁନାହିଁ । କାରଣ ରାଜ୍ୟ ସରକାର ୨୦୧୩ ମସିହାରୁ ରାଜ୍ୟରେ ଗୁଟ୍‍ଖା, ତମାଖୁ, ବିଷାକ୍ତ ପାନମସଲା ଆଦିର ଉତ୍ପାଦନ, ମହଜୁଦ, ବିକ୍ରୟ ଆଦି ଉପରେ କଟକଣା ଲଗାଇଥିବାବେଳେ କେନ୍ଦ୍ର ସରକାର ମଧ୍ୟ ୨୦୦୩ ମସିହାରୁ କୋଟ୍‍ପା ଆଇନ୍‍ କାର୍ଯ୍ୟକାରୀ କରୁଛନ୍ତି । ଏହି ଆଇନ୍‍ ବଦଳରେ ଶିକ୍ଷାନୁଷ୍ଠାନ ଆଖପାଖରେ ଗୁଟ୍‍ଖା, ତମାଖୁ ଆଦିର ନିଶା ସାମଗ୍ରୀର ବିକ୍ରିକୁ ନିଷିଦ୍ଧ କରାଯାଇଥିବାବେଳେ ଏ ସଂକ୍ରାନ୍ତୀୟ ବିଜ୍ଞାପନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

ହେଲେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ରାଜ୍ୟରେ ଉପର ଠାଉରିଆ ଭାବେ କାର୍ଯ୍ୟକାରୀ ହେଉଛି । ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ କର୍ତ୍ତୃପକ୍ଷ ବିଭିନ୍ନ ସ୍ଥାନରେ ଲୋକ ଦେଖାଣିଆ ଭାବେ ଚଢଉ କରି ବସ୍ତା ବସ୍ତା ଗୁଟ୍‍ଖା, ପାନମସଲା ଜବତ କରୁଥିବା ଦର୍ଶାଉଛନ୍ତି । ଏହା ପରେ ପୁଣି ତୁନିହୋଇ ବସି ପଡୁଛନ୍ତି । ହେଲେ ଏହିସବୁ ସାମଗ୍ରୀ ଓଡିଶାକୁ କିଭଳି କେଉଁମାନେ ଆଣି ବିକ୍ରି କରୁଛନ୍ତି ସେ ସଂକ୍ରାନ୍ତରେ କେହି କିଛି ଖୋଳତାଡ କରୁନାହାନ୍ତି କି କାର୍ଯ୍ୟାନୁଷ୍ଠାନ ବି ହେଉନାହିଁ ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ସ୍ୱାସ୍ଥ୍ୟ ବିଭାଗ ଗୁଟ୍‍ଖା, ପାନମସଲା ଉପରେ କଟକଣା ଲଗାଇଥିବାବେଳେ ଅର୍ଥ ବିଭାଗ କିନ୍ତୁ ଏହିସବୁ ସାମଗ୍ରୀ ଉପରୁ କୋଟି କୋଟି ଟଙ୍କାର ଟିକସ ଆଦାୟ କରି ଚାଲିଛି । ସରକାରଙ୍କର ଦୁଇ ବିଭାଗ ମଧ୍ୟରେ ସମନ୍ୱୟର ଅଭାବର ସୁଯୋଗ ନେଇ ରାଜ୍ୟ ବାହାରର ଗୁଟ୍‍ଖା ବ୍ୟବସାୟୀମାନେ ଓଡିଶାରେ ସେମାନଙ୍କର କାୟା ବିସ୍ତାର କରିବାରେ ଲାଗିଛନ୍ତି ।

ଅନ୍ୟ ପଟରେ ଚିରାଚରିତ ଭାବେ ଗୁଟ୍‍ଖା, ପାନମସଲା ବିରୁଦ୍ଧରେ ସଚେତନତା ସୃଷ୍ଟି ଲାଗି ସରକାର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚକରି କିଛି ସଂସ୍ଥାକୁ ପୋଷିବାରେ ଲାଗିଛନ୍ତି । ସମ୍ପକ୍ତ ସଂସ୍ଥାମାନେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ ମଧ୍ୟ ସରକାର ନିଜେ କରିଥିବା କଟକଣାକୁ କାହିଁକି ପାଳନ କରୁନାହାନ୍ତି ସେ ସଂକ୍ରାନ୍ତରେ ପଦୁଟିଏ ହେଲେ କହୁନାହାନ୍ତି । ଫଳରେ ରାଜକୋଷର କୋଟି କୋଟି ଟଙ୍କା ପାଣିରେ ପଡିବା ସହିତ ଲୋକେ ଗୁଟ୍‍ଖା, ତମାଖୁ ଚୋବାଇ କର୍କଟ ଭଳି ମାରାତ୍ମକ ରୋଗରେ ପଡୁଛନ୍ତି । (ତଥ୍ୟ)