Home Education ପାଠପଢା କଥା କେହି କହୁନାହାନ୍ତି

ପାଠପଢା କଥା କେହି କହୁନାହାନ୍ତି

ଭୁବନେଶ୍ୱର : ରେଭେନ୍ସା କଲେଜର ନାମ ପରିବର୍ତ୍ତନ ବିତର୍କକୁ ନେଇ ଗଣମାଧ୍ୟମରେ ରାଜନେତାମାନଙ୍କ ବିବୃତ୍ତି ଲଢେଇ ଚାଲିଥିବାବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ସୁଧାରି ଏହି ଜ୍ଞାନର ମନ୍ଦିରକୁ କିଭଳି ଅଧିକ ଗୌରବାନ୍ୱିତ କରାଯାଇ ପାରିବ ସେଥିଘେନି କିନ୍ତୁ ରାଜନେତାମାନେ ପାଟି ଖୋଲୁ ନାହାନ୍ତି ।

ରେଭେନ୍ସା କଲେଜ ଇତି ମଧ୍ୟରେ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ ହେବାର ପାଖାପାଖି ୨୦ବର୍ଷ ବିତିଲାଣି । ଓଡିଶାର ସର୍ବ ପୁରାତନ ତଥା ଏକ ନମ୍ବର କଲେଜ ଭାବେ ଦେଶ ବିଦେଶରେ ଏକଦା ଗୌରବ ବହନ କରୁଥିବା ଏହି ଶିକ୍ଷାନୁଷ୍ଠାନରେ ମାଳ ମାଳ ଶିକ୍ଷକ ପଦବୀ ଖାଲି । ଏମିତିକି ଅନେକ ବିଭାଗରେ ପ୍ରଫେସର ମଧ୍ୟ ନାହାନ୍ତି ।

ରାଜ୍ୟ ସରକାରଙ୍କ ସ୍ୱୀକାରୋକ୍ତ ଅନୁଯାୟୀ ରେଭେନ୍ସା ପାଇଁ ଥିବା ୨୬୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୧୫୭ଟି ଖାଲି ପଡିଛି । ମାତ୍ର ୧୧୦ଜଣ ଶିକ୍ଷକଙ୍କୁ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗମାନ ଚାଲୁଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଇଁ ୨୯ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ଥିବାବେଳେ ଏବେ ସେଠାରେ ମାତ୍ର ୯ଜଣ ପ୍ରଫେସରରେ କାମ ଚଳାଯାଉଛି । ଖାଲି ପଡିଥିବା ୨୦ଟି ପ୍ରଫେସର ପଦବୀ ଏବଂ ଚଳିତବର୍ଷ ଅବସର ନେଉଥିବା ଆଉ କେତେଜଣ ପ୍ରଫେସରଙ୍କ ଜାଗାରେ ନୂଆ ପ୍ରଫେସର କେବେ ନିଯୁକ୍ତି ହେବେ ସେ ସଂକ୍ରାନ୍ତରେ ରାଜ୍ୟ ସରକାର, ବିରୋଧିଦଳ, ଶିକ୍ଷକ ସଂଗଠନ, ଛାତ୍ର ସଂଗଠନ ଏମିତିକି ରେଭେନ୍ସା କର୍ତ୍ତୃପକ୍ଷ କିଛି କହୁନାହାନ୍ତି ।

ଏହି ବିଶ୍ୱବିଦ୍ୟାଳୟ ପାଇଁ ୭୧ଟି ମଞ୍ଜୁରୀପ୍ରାପ୍ତ ସହଯୋଗୀ ପ୍ରଫେସର ପଦବୀ ଥିବାବେଳେ ସେଥିରୁ ୫୨ଟି ବି ଖାଲି ପଡିଛି । ଏହାଛଡା ଏହି ବିଶ୍ୱବିଦ୍ୟାଳୟ ପାଇଁ ଥିବା ୧୬୭ଟି ମଞ୍ଜୁରୀପ୍ରାପ୍ତ ସହକାରୀ ପ୍ରଫେସର ପଦବୀରୁ ମଧ୍ୟ ୮୫ଟି ଖାଲି । ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଉଛି ଯେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଇଁ ୧୭୫ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ସେଥିରୁ ବି ୧୬୨ଟି ଖାଲି ପଡିଛି । ମାତ୍ର ୧୩ଜଣ ତୃତୀୟ ଓ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ନେଇ ଚାଲିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ । ଅଥଚ ଏଭଳି ସ୍ଥିତି ପାଇଁ ଅନେକ ଗର୍ବ ଅନୁଭବ କରୁଛନ୍ତି ।

ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଯୁକ୍ତ ତିନି ଓ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନର ସ୍ଥିତି ଆହୁରି ଦୟନୀୟ । ଏଗୁଡିକରେ ନିୟମିତ ଅଧ୍ୟକ୍ଷ ସହିତ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି କରାଯାଉ ନାହିଁ । ଦିନକୁ ୫୦୦ ଟଙ୍କା ଓ ମାସିକ ସର୍ବାଧିକ ୨୫ହଜାର ଟଙ୍କା ଠିକାରେ ଅତିଥି ଅଧ୍ୟାପକ ନିଯୁକ୍ତି କରି ସେମାନଙ୍କୁ ବୌଦ୍ଧିକ ଶୋଷଣ ସହ ଛାତ୍ରଛାତ୍ରୀଙ୍କୁ ଖୋଲାଖୋଲି ଭାବେ ଠକାଯାଉଛି । ଅଥଚ ଏହି ସମସ୍ୟାର ସ୍ଥାୟୀ ନିରାକରଣ କରାଯାଉ ନାହିଁ । ବିନା ପଦୋନ୍ନତିରେ ବର୍ଷ ବର୍ଷ ଧରି କାମ କରୁଥିବା ସହକାରୀ ଓ ସହଯୋଗୀ ପ୍ରଫେସରମାନେ ବୀତସ୍ପୃହ ହୋଇ ପଡୁଛନ୍ତି । ଅଥଚ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ ନକରି ରାଜକୋଷର ଅର୍ଥ ସଞ୍ଚୟ କରାଯାଉଛି ।

ଏ ସମ୍ପର୍କରେ ପ୍ରଶ୍ନ କଲେ ସିଧାସଳଖ ଉତ୍ତର ମିଳୁଛି ଯେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ୧୯୧୧ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ୧୧୮୭ଟି ଖାଲି ପଡିଛି । ରାଜ୍ୟର ଏହି ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ୨୭୪ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ଥିବାବେଳେ ଯଦି ମାତ୍ର ୪୯ଜଣରେ କାମ ଚଳିଯାଉଛି ତେବେ ଆଉ ୨୨୫ଜଣ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ କାହିଁକି ? ସେହିପରି ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟଗୁଡିକରେ ୫୫୦ ସହଯୋଗୀ ପ୍ରଫେସରରୁ ୪୦୧ ଏବଂ ୧୦୮୭ ସହକାରୀ ପ୍ରଫେସରରୁ ୫୬୧ଟି ଖାଲି ପଡିଥିବାବେଳେ ୨୯୬୯ଟି ଅଣଶିକ୍ଷକ କର୍ମଚାରୀଙ୍କ ସ୍ଥାନରେ ମାତ୍ର ୮୧୬ଜଣ କାର୍ଯ୍ୟ କରୁଛନ୍ତି । (ତଥ୍ୟ)