Home Covid ପାଞ୍ଚ ଶହ ପାର୍‍ କରୋନା

ପାଞ୍ଚ ଶହ ପାର୍‍ କରୋନା

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫ଶହ ପାର କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୧୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟାଇନ୍‍ରୁ ୩୦୦ ଜଣ ଥିବାବେଳେ ୨୧୨ ଲୋକାଲ କେଶ୍‍ ଓ ୫୯ଜଣ ପିଲା ରହିଛନ୍ତି ।

ମାସକ ତଳେ ଅର୍ଥାତ୍‍ ଜୁନ୍‍ ୧୦ ତାରିଖରେ ରାଜ୍ୟରେ ମାତ୍ର ୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ପ୍ରତିଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ଜୁନ୍‍ ୨୭ତାରିଖ ପରଠାରୁ କରୋନା ସଂକ୍ରମଣ ଏକ ପ୍ରକାର ଉପରମୁହାଁ ହୋଇଛି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ୫୧୨ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୯୨,୯୨୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୨,୮୦,୯୫୪ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ରାଜ୍ୟୋର ୨୭୯୫ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି ।

ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ କେବଳ ଖୋରଧା ଜିଲ୍ଲାରୁ ୨୩୭ ବାହାରିଥିବାବେଳେ କଟକରୁ ୮୯, ପୁରୀରୁ ୨୯, ସୋନପୁରରୁ ୧୫, ଯାଜପୁରରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ସବୁଠାରେ କରୋନା ସଂକ୍ରମଣ ଏକ ଅଙ୍କରେ ସୀମିତ ରହିଛି । ଷ୍ଟେଟ ପୁଲ୍‍ରୁ ୫୧ଜଣ ଚିହ୍ନଟ ହୋଇଛନ୍ତି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କରୋନା ପରୀକ୍ଷା ହାର ବି ଧିରେ ଧିରେ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ୧୭ହଜାର ନମୂନା ପରୀକ୍ଷା ହୋଇଥିଲା । ସାମାନ୍ୟ ଥଣ୍ଡା, ଜ୍ୱରର ଲକ୍ଷଣ ଦେଖାଦେଲେ ତୁରନ୍ତ କରୋନା ପରୀକ୍ଷା ପାଇଁ ଚିକିତ୍ସକମାନେ ପରାମର୍ଶ ଦେଉଛନ୍ତି ।

ଖୋରଧା ଜିଲ୍ଲାରେ କରୋନା ପ୍ରକୋପ ବଢିବା ସହିତଏହି ଜିଲ୍ଲା ପୁଣିଥରେ ୟୋଲୋ ଜୋନ୍‍କୁ ଫେରିଛି । ପୂର୍ବରୁ କରୋନା ସଂକ୍ରମଣକୁ ଦେଖି ଭୁବନେଶ୍ୱର ସମେତ କଟକ ମହାନଗର ନିଗମରେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ଲୋକେ ପୁଣିଥରେ ମାସ୍କ ପିନ୍ଧିବାକୁ ଆଗ୍ରହୀ ହେଉ ନାହାନ୍ତି ।