ଭୁବନେଶ୍ୱର : ରାଜ୍ୟ ରାଜଧାନୀରେ ବାୟୁର ମାନ ସ୍ୱାସ୍ଥ୍ୟ ଅନୁକୂଳ ନଥିବାବେଳେ ବର୍ଷକୁ ଏହା ହାରାହାରି ୨୭ ପ୍ରତିଶତ ହାରରେ ବିଗୁଡୁଛି । ପାଞ୍ଚବର୍ଷ ତଳେ ଜାନୁଆରୀ ମାସରେ ଭୁବନେଶ୍ୱରରେ ବାୟୁ ଗୁଣ ମାନ (ଏକ୍ୟୁଆଇ) ମାତ୍ର ୬ ରହିଥିବାବେଳେ ଚଳିତମାସରେ ତାହା ଦିନେ ଦିନେ ୩ଶହକୁ ଅତିକ୍ରମ କରୁଛି । ଆଜି ମଧ୍ୟ ଏହା ୧୮୦ ଉପରେ ରହିଛି, ଯାହାକି ଅସ୍ୱାସ୍ଥ୍ୟକର ବୋଲି ଦର୍ଶାଯାଉଛି ।
ଏହି ସୂଚନାରୁ ଜଣାଯାଇଛି ଯେ ୨୦୨୧ ମସିହା ଜାନୁଆରୀ ମାସରେ ବାୟୁର ଏକ୍ୟୁଆଇ ହାରାହାରି ୬ ରହିଥିବାବେଳେ ୨୦୨୨ ଜାନୁଆରୀ ରେ ଏହା ୯୮, ୨୦୨୩ ଜାନୁଆରୀରେ ୧୪୧, ୨୦୨୪ ଜାନୁଆରୀରେ ୧୬୩ ଏବଂ ଗତବର୍ଷ ଅର୍ଥାତ୍ ୨୦୨୫ ଜାନୁଆରୀ ରେ ଏହା ୧୬୦ ଥିବାବେଳେ ଚଳିତବର୍ଷ ଜାନୁଆରୀ ମାସରେ ଏହା ନୂଆ ନୂଆ ରେକର୍ଡ ସୃଷ୍ଟି କରିଛି । ଏବର୍ଷ ଜାନୁଆରୀରେ ରାଜଧାନୀର ଏକ୍ୟୁଆଇ ୪ଶହ ପାଖପାଖି ହେବାପରେ ରାଜ୍ୟ ସରକାର ଏବେ ନିର୍ମାଣ ଓ ଅନ୍ୟାନ୍ୟ କଟକଣା ଜାରି କରିଛନ୍ତି ।
ତେବେ ରାଜଧାନୀରେ ବାୟୁର ମାନ ଏଭଳି ଖରାପ ହୋଇ ଚାଲିଥିବାବେଳେ ଏହାର ମୁକାବିଲା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ବହୁ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ନିର୍ମାଣ ଉପରେ କିଛିଟା କଟକଣା ଲଗାଇଛନ୍ତି । ହେଲେ ଏହାକୁ ଅଧିକାଂଶ ସ୍ଥାନରେ ଉଲ୍ଲଙ୍ଘନ କରାଯାଉଛି । ସେହିଭଳି ଧୂଳି ଉଠିବାକୁ ରୋକିବାପାଇଁ ନିର୍ମାଣ ଉପରେ କଟକଣା ଜାରି ହୋଇଥିବାବେଳେ ବିଏମସିର ସହର ସଫେଇ ବ୍ୟବସ୍ଥା କିନ୍ତୁ ବାୟୁମଣ୍ଡଳକୁ ଦୂଷିତ କରିବାରେ ଲାଗିଛି । ରାତି ପାହିଲେ ରାସ୍ତାଘାଟରେ ଝାଡୁ ମରାଯିବା ଦ୍ୱାରା ବାଲି ଉଡିବାରେ ଲାଗିଛି ।
ଅନ୍ୟ ପକ୍ଷରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଯାନବାହାନର ପ୍ରଦୂଷଣ ସାର୍ଟିଫିକେଟ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ପ୍ରଦୂଷଣ ପରୀକ୍ଷାରେ ପ୍ରାୟତଃ ସମସ୍ତ ଯାନବାହାନ ଉତ୍ତୀର୍ଣ୍ଣ ହେବା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କାରଣ ଲୋକେ ପ୍ରଦୂଷଣ ସାର୍ଟିଫିକେଟ ହାସଲ କରିବାରେ ଏବେ ବାୟୁରମାନ କାହିଁ କି ବିଗୁଡୁଛି ସେଥିନେଇ କର୍ତ୍ତୃପକ୍ଷଙ୍କ ପ୍ରଶ୍ନ କରିବାରେ ଲାଗିଲେଣି ।
ତେବେ ପରିବେଶବିତମାନଙ୍କ କହିବାକଥା ଯେ ବିଗତ ପାଞ୍ଚବର୍ଷ ମଧ୍ୟରେ ରାଜଧାନୀରେ ଆଖିବୁଜା ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଯେଉଁ ହାରରେ ସବୁଜ ବଳୟ ସୃଷ୍ଟି ହେବାକଥା ତାହା ହୋଇନାହିଁ । ମାଳ ମାଳ ଆପାର୍ଟମେଣ୍ଟ ଗଛ ଲଗାଇବାପାଇଁ ସର୍ତ୍ତ ରହିଥିଲେ ମଧ୍ୟ ତାହାକୁ କେହି ମାନୁ ନାହାନ୍ତି । ଅନ୍ୟ ପକ୍ଷରେ ରାସ୍ତା ସମ୍ପ୍ରସାରଣ ଠାରୁ ଆରମ୍ଭ କରି ବିଧାୟକଭବନ ନିର୍ମାଣ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟପାଇଁ ଶହ ଶହ ପୁରୁଣା ଗଛ ବଳିପଡି ଯାଉଛି । ଏହାର ପ୍ରଭାବ ଏବେ ରାଜଧାନୀର ବାୟୁ ପ୍ରଦୂଷଣ ଉପରେ ପ୍ରଭାବ ପଡୁଛି ।
ଯେଉଁ ହାରରେ ରାଜ୍ୟ ରାଜଧାନୀରେ ବାୟୁ ପ୍ରଦୂଷଣ ବଢୁଛି ତାହାକୁ ସୁଚିନ୍ତିତ ଯୋଜନା ଜରିଆରେ ନିୟନ୍ତ୍ରଣ କରାନଗଲେ ଖୁବଶୀଘ୍ର ଦିଲ୍ଲୀ ଭଳି ସ୍ଥିତି ଉପୁଜିବ ବୋଲି ଲୋକେ ଆଶଙ୍କା କଲେଣି । କାରଣ ବର୍ତ୍ତମାନ ରାଜଧାନୀର ପ୍ରଦୂଷିତ ବାୟୁରେ ଯେତିକି କ୍ଷତି ହେଉଛି ସେଥିରେ ଜଣେ ବ୍ୟକ୍ତି ଦିନକୁ ହାରାହାରି ୩ଟି ସିଗାରେଟ ଟାଣିବାର କ୍ଷତି ସହିତ ସମାନ ବୋଲି ଦର୍ଶାଗଲାଣି । ଜରୁରୀ କାର୍ଯ୍ୟ ନଥିଲେ ଘରେ ରହିବା, ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଓ ନିଜ ନିଜ ଗାଡିରେ ବାୟୁଛଣା ଯନ୍ତ୍ର ଲଗାଇବାକୁ ବି ପରାମର୍ଶ ଦିଆଯାଉଛି । (ତଥ୍ୟ)

