Home General ପାଞ୍ଚ ବର୍ଷରେ ସୁନା ବିକ୍ରି ଦୁଇ ଗୁଣା

ପାଞ୍ଚ ବର୍ଷରେ ସୁନା ବିକ୍ରି ଦୁଇ ଗୁଣା

ଭୁବନେଶ୍ୱର : ସୁନା ଦର ବୃଦ୍ଧି ସହିତ ରାଜ୍ୟରେ ଏହାର ବିକ୍ରି ମଧ୍ୟ ବଢିବାରେ ଲାଗିଛି । ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ସୁନା ବିକ୍ରିର ପରିମାଣ ଦୁଇଗୁଣାରୁ ଅଧିକ ହୋଇଥିବା ଜଣାଯାଇଛି ।

ସୁନା ବିକ୍ରି ସମୟରେ ତାହା ଉପରୁ ସରକାର ଜିଏସଟି ଆଦାୟ କରିଥାନ୍ତି । ସୁନା ଗହଣା ଉପରୁ ୩ ପ୍ରତିଶତ ଟିକସ ଆଦାୟ ହେଉଥିବାବେଳେ ଏହି ଟିକସ ଆଦାୟର ପରିମାଣ ୫ବର୍ଷ ମଧ୍ୟରେ ଦୁଇଗୁଣରୁ ଅଧିକ ହୋଇଗଲାଣି । ଟିକସ ବୃଦ୍ଧିକୁ ଲକ୍ଷ୍ୟ କରି ରାଜ୍ୟରେ ସୁନା ବିକ୍ରି ବଢିଥିବା ଆକଳନ କରାଯାଇଛି ।

ସୂଚନା ଅନୁଯାୟୀ ୨୦୧୯-୨୦ ବର୍ଷରେ ସୁନାରୁ ୨୫୦୫ ଲକ୍ଷ ଟଙ୍କାର ଜିଏସଟି ଆଦାୟ ହୋଇଥିବାବେଳେ ଏହାର ପରିମାଣ ପ୍ରତିବର୍ଷ ବଢିବାରେ ଲାଗିଛି । ୨୦୨୦-୨୧ରେ ସୁନାରୁ ମିଳିଥିବା ଜିଏସଟି ପରିମାଣ ୨୫୮୪ ଲକ୍ଷ ଟଙ୍କା ଥିବାବେଳେ ୨୦୨୧-୨୨ରେ ୩୬୦୩ ଲକ୍ଷ, ୨୦୨୨-୨୩ରେ ୩୭୭୯ ଲକ୍ଷ ଏବଂ ୨୦୨୩-୨୪ ବର୍ଷରେ ଏହା ୫୮୬୬ଲକ୍ଷ ଟଙ୍କା ଆଦାୟ ହୋଇଥିଲା ।

ରାଜ୍ୟରେ ଏବେ ସୁନାର ଦର ୧୦ଗ୍ରାମ ପିଛା ଲକ୍ଷେ ଟଙ୍କା ପାଖାପାଖି ହୋଇଥିବାବେଳେ ଏହାର ଉପରେ ଗଢା ମଜୁରୀ ରହିଛି । ଦଶ ଗ୍ରାମ ଓଜନର ଗହଣାର ଦାମ ଲକ୍ଷେ ଟଙ୍କାରୁ ଅଧିକ ରହିଛି । ତଥାପି ଲୋକେ ସୁନା କିଣିବାକୁ ପଛାଉ ନାହାନ୍ତି । ନିକଟରେ ଅକ୍ଷୟତୃତୀୟା ଅବସରରେ ରାଜ୍ୟରେ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା କାରବାର ହୋଇଥିବା ଆକଳନ କରାଯାଇଛି ।

ତେବେ ଦର ବୃଦ୍ଧି ଯୋଗୁଁ ଲୋକେ ଏବେ ହାଲୁକା ଗହଣା ଉପରେ ଗୁରୁତ୍ୱ ଦେଉଥିବାବେଳେ ବ୍ୟବସାୟୀମାନେ ବି ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ହାଲୁକା ଗହଣା ପ୍ରସ୍ତୁତ କରୁଛନ୍ତି । ରାଜ୍ୟରେ ବିବାହ ଋତୁ ସହିତ ଅକ୍ଷୟତୃତୀୟ ଓ ଧନତରାସ ସମୟରେ ସୁନା ବିକ୍ରି ବୃଦ୍ଧି ପାଉଛି ।

ତେବେ ସମସ୍ତ ସୁନା ଦୋକାନରେ ସୁନାର ମାନ ଜାଣିବାପାଇଁ ସେଭଳି କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ଦୋକାନିଟି ଯେଉଁ ସୁନାକୁ ୨୨ କ୍ୟାରେଟ୍‍ ଓ ଯେଉଁ ସୁନାକୁ ୨୪ କ୍ୟାରେଟ୍‍ କହିଲା ଗ୍ରାହକମାନେ ଆଖିବୁଜି ତାହାକୁ ବିଶ୍ୱାସ କରିଯାଉଛନ୍ତି । ଖୋଦ ରାଜଧାନୀରେ ହାତଗଣତି କୋତୋଟି ସୁନା ଦୋକାନରେ କ୍ୟାରେଟ୍‍ ଚିହ୍ନଟ ଯନ୍ତ୍ର ରହିଛି । ସେହିଭଳି ରାଜ୍ୟର ଗ୍ରାହକମାନେ ମଧ୍ୟ ଏଥିପ୍ରତି ସେତେଟା ସଚେତନ ନୁହନ୍ତି ।

ସୁନା ଚିହ୍ନଟ ସହିତ ସୁନା ଗହଣାର ଓଜନ କ୍ଷେତ୍ରରେ ମଧ୍ୟ ଶତ ପ୍ରତିଶତ ସାଧୁତା ରହୁନାହିଁ । ଦୋକାନରେ ଥିବା ଗହଣାରେ ଲାଗିଥିବା ଷ୍ଟିକରରେ ସୁନାର ଯେତିକି ଓଜନ ଲେଖାଥାଏ ଗ୍ରାହକମାନେ ତାକୁହିଁ ମାନି ନେଇଥାନ୍ତି । ମଝିରେ ମଝିରେ ଖୋଦ ରାଜଧାନୀର କେତେକ ସୁନା ଦୋକାନୀ ମାପ ଓଜନ ନିର୍ଦ୍ଦେଶାଳୟ ଜାଲରେ ପଡୁଥିବାରୁ ସମସ୍ତ ଗ୍ରାହକ ଯେଭଳି କିଣୁଥିବା ସୁନାର ଓଜନ କରିପାରିବେ ବ୍ୟବସାୟୀମାନେ ସେଥିପାଇଁ ବ୍ୟବସ୍ଥା କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)