ଭୁବନେଶ୍ୱର : ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖନୀୟ ଯେ ଆସନ୍ତା ୪/୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ସହିତ ଗ୍ରୀଷ୍ମ ପ୍ରଦାହ ହେବା ନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ସହିତ ଅତି ଜରୁରୀ କାମ ନଥିଲେ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।
ତେବେ ଗ୍ରୀଷ୍ମ ପ୍ରଦାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଆଜି ଅର୍ଥାତ୍ ୧୧ ତାରିଖରୁ ରାଜ୍ୟରେ ସକାଳୁଆ ବିଦ୍ୟାଳୟ ଆରମ୍ଭ ହୋଇଥିଲା ଏବଂ ସମସ୍ତ ବିଦ୍ୟାଳୟ ଦିନ ୧୧.୩୦ ସୁଦ୍ଧା ଛୁଟି କରିବାକୁ କୁହାଯାଇଥିଲା ।
ଆଜି ରାଜ୍ୟର ୯ଟି ଜିଲ୍ଲାରେ ତାପମାତ୍ରା ୪୦ଟି ଡିଗ୍ରୀ ଉପରେ ରହିବା ଏବଂ ପଶ୍ଚିମା ବାୟୁ ପ୍ରବାହ ଯୋଗୁଁ ଆସନ୍ତା କାଲିଠାରୁ ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ବଢିବାର ସତର୍କତା ଜାରି ପରେ ରାଜ୍ୟ ସରକାର ଆଜି ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।