Home General ପାଞ୍ଚ ଦିନିଆ ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ପାଞ୍ଚ ଦିନିଆ ୟୁଏଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେପ୍ଟେମ୍ବର ୮ତାରିଖରୁ ଠାରୁ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟ୍ସକୁ ପାଞ୍ଚ ଦିନିଆ ଗସ୍ତରେ ଯାଉଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପୁଞ୍ଜି ଆକର୍ଷଣ ପାଇଁ ବିଭିନ୍ନ ନିବେଶକ ଓ ଶିଳ୍ପପତିଙ୍କ ସହିତ ଆଲୋଚନା କରିବେ । ଏହାସହିତ ପ୍ରବାସୀ ଓଡ଼ିଆଙ୍କୁ ସମ୍ୱୋଧନ କରି ଓଡ଼ିଶାର ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିବା ସହିତ ଓଡ଼ିଶା ଏବଂ ୟୁଏଇ ମଧ୍ୟରେ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀ ପ୍ରଥମେ ନୂଆଦିଲ୍ଲୀ ଯାଇ ସେଠାରୁ ଆବୁଧାବି ଯିବେ । ୯ ତାରିଖ ଦିନ ଇଣ୍ଟରନ୍ୟାସନାଲ ହୋଲ୍‌ଡିଂ କମ୍ପାନୀ (ଆଇଏଚସି), ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ ଗ୍ରୁପ୍, ପେଟ୍ରୋ କେମିକାଲ କ୍ଷେତ୍ରର ବୋରଗ୍ କମ୍ପାନୀ ଆଦି ବିଶ୍ୱସ୍ତରୀୟ କମ୍ପାନୀର ପ୍ରମୁଖ ନେତୃତ୍ୱ ଏବଂ ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ । ସେଦିନ ସନ୍ଧ୍ୟାରେ ଦୁବାଇରେ ‘ୱାନ ଡିଷ୍ଟ୍ରିକଟ ୱାନ ପ୍ରଡକଟ’ କାର୍ଯ୍ୟକ୍ରମ ଅଧୀନରେ ଉତ୍ପାଦିତ ଓଡ଼ିଶାର ବିଭିନ୍ନ ଦ୍ରବ୍ୟର ଏକ ପ୍ରଦର୍ଶନୀ ଉଦ୍‌ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି ।

୧୦ ତାରିଖ ଦିନ ୟୁଏଇର ଅର୍ଥନୀତି ତଥା ପର୍ଯ୍ୟଟନ ମନ୍ତ୍ରୀ ଏବଂ କାଉନ୍‌ସିଲ ଅଫ୍ ଇଣ୍ଟରନ୍ୟାସନାଲ ଇନ୍‌ଭେଷ୍ଟମେଣ୍ଟସ’ର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତକ୍ ଅଲ୍ ମାରିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାସହିତ ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ କାଉନସିଲ, ଏମିରେଟ୍ସ ଗ୍ଲୋବାଲ ଆଲୁମିନିଅମ୍‌ର ପ୍ରମୁଖ ନେତୃତ୍ୱମାନଙ୍କ ସହିତ ଆଲୋଚନା କରିବେ । ମିଡିଲ ଇଷ୍ଟ ରିସାଇକ୍ଲିଙ୍ଗ୍ ଆସୋସିଏସନ୍ ସହିତ ରାଉଣ୍ଡ ଟେବୁଲ ବୈଠକ, ଓଡ଼ିଶା ବିଜନେସ ଡେଲିଗେସନ୍ ସହିତ ଆଲୋଚନା ଆଦି କାର୍ଯ୍ୟକ୍ରମ ମଧ୍ୟ ରହିଛି ।

୧୧ ତାରିଖ ଦିନ ଦୁବାଇରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍’ରେ ଉଦ୍ୟୋଗପତି ଓ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସମ୍ପର୍କରେ ଆଲୋଚନା କରିବେ । ଏହାସହିତ ପ୍ରବାସୀ ଓଡ଼ିଆ ମାନଙ୍କ ସହିତ ମଧ୍ୟ ଏକ ବ୍ୟାପକ ମତବିନିମୟ କାର୍ଯ୍ୟକ୍ରମ ରହିଛି । ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ।

ସୂଚନାଯୋଗ୍ୟ ଯେ, ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ଉଦ୍ୟମ ଜାରି ରହିଛି । ପୂର୍ବରୁ ସେ ଦେଶର ବିଭିନ୍ନ ରାଜ୍ୟକୁ ଗସ୍ତ କରି ନିବେଶକମାନଙ୍କୁ ଓଡ଼ିଶାରେ ନିବେଶ ପାଇଁ ପ୍ରୋତ୍ସାହିତ କରିଛନ୍ତି । ସିଙ୍ଗାପୁର ଯାଇ ମଧ୍ୟ ସେଠାରେ ନିବେଶକମାନଙ୍କ ସହିତ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶାକୁ ବ୍ୟାପକ ନିବେଶ ଆସୁଛି ଏବଂ ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟା  ତ୍ୱରାନ୍ୱିତ ହେଉଛି । ସଂଯୁକ୍ତ ଆରବ ଏମିରେଟ୍ସକୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ରାଜ୍ୟ ପାଇଁ ପୁଞ୍ଜି ନିବେଶ କ୍ଷେତ୍ରରେ ଏକ ମାଇଲଷ୍ଟୋନ ହେବ ବୋଲି ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଗସ୍ତ କରୁଛନ୍ତି ।