Home Administration ପାଞ୍ଚବର୍ଷ ପରେ ମିଳିଲା ଓଏଏସ୍‍ ଚାକିରି

ପାଞ୍ଚବର୍ଷ ପରେ ମିଳିଲା ଓଏଏସ୍‍ ଚାକିରି

ଭୁବନେଶ୍ୱର : ନିଜର ଯୋଗ୍ୟତା, ଦକ୍ଷତା ଓ ଅଧିକାର ସପକ୍ଷରେ ୫ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ଫୋରମ୍‍ରେ ସଂଘର୍ଷ ଚଳାଇଥିବା ଜଣେ କୃତୀ ପ୍ରାର୍ଥୀଙ୍କୁ ଶେଷରେ ଓଏଏସ୍‍ ଅଧିକାରୀ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ଏ ସଂକ୍ରାନ୍ତୀୟ ଐତିହାସିକ ରାୟକୁ ଅନୁପାଳନ କରାଯିବାରୁ ଏହି ପ୍ରାର୍ଥୀ ଜଣକ ଏବେ ପୁରୀ ଜିଲ୍ଲାରେ ଅବସ୍ଥାପିତ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ବିଜ୍ଞପ୍ତି, ଓଡ଼ିଶା ଲୋକସେବା ଆୟୋଗଙ୍କ ସ୍ପଷ୍ଟୀକରଣ ଏବଂ ହାଇକୋର୍ଟଙ୍କ ରାୟରୁ ଜଣାପଡିଛି ଯେ ରାଉରକେଲାସ୍ଥିତ ନିଟ୍‍ରୁ କୃତିତ୍ୱର ସହ ଡିଗ୍ରୀ ହାସଲ କରିଥିବା ଅଣୁଶ୍ରଭ ଗନ୍ତାୟତ ୨୦୧୭-୧୮ ବର୍ଷର ଓଡ଼ିଶା ସିଭିଲ୍‍ ସର୍ଭିସ୍‍ ପରୀକ୍ଷା ପାଇଁ ଆବେଦନ କରିଥିଲେ । ପ୍ରିଲିମନାରୀ ପରୀକ୍ଷାରେ ସବୁଠାରୁ ଭଲ ପ୍ରଦର୍ଶନ କରିବା ପରେ ତାଙ୍କୁ ଅନ୍ୟମାନଙ୍କ ସହ ଲିଖିତ ପରୀକ୍ଷା ଦେବାକୁ ସୁଯୋଗ ମିଳିଥିଲା । ଲିଖିତ ପରୀକ୍ଷାରେ ମଧ୍ୟ ସେ ବେଶ୍‍ ଭଲ ନମ୍ବର ରଖିଥିବାରୁ ତାଙ୍କୁ ମୌଖିକ ପରୀକ୍ଷା ପାଇଁ ଡକାଯାଇଥିଲା । ଲିଖିତ ଓ ମୌଖିକ ପରୀକ୍ଷାରେ ସେ ୧୩୬୫ ନମ୍ବର ରଖିଥିଲେ ମଧ୍ୟ ତାଙ୍କ ନାମ ମେଧା ତାଲିକାରୁ ବାଦ୍‍ ଦିଆଯାଇ ୧୩୦୨ରୁ ୧୦୬୫ ପର୍ଯ୍ୟନ୍ତ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ଏଥିରେ ସାମିଲ କରାଯାଇଥିଲା ।

ଏ ସଂକ୍ରାନ୍ତରେ ବଞ୍ôଚତ ଯୋଗ୍ୟ ପ୍ରାର୍ଥୀ ଅଣୁଶ୍ରଭ ଲୋକସେବା ଆୟୋଗଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଆଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଥିଲେ । ଘଟଣାର ଟିକ୍‍ନିଖ୍‍ ଅନୁଧ୍ୟାନ ପରେ ଅଣୁଶ୍ରଭଙ୍କ ନାମ ମେଧା ତାଲିକାର ଅସଂରକ୍ଷିତ ପ୍ରାର୍ଥୀ ହିସାବରେ ଗ୍ରହଣ କରିବାକୁ ସାଧାରଣ ପ୍ରଶାସନ ବିଭାଗ ଏବଂ ନିଜେ ମୁଖ୍ୟ ଶାସନ ସଚିବ ଆୟୋଗଙ୍କୁ ଚିଠି ଲେଖିଥିଲେ । ଏମିତି କି ସ୍ୟାଟ୍‍ ମଧ୍ୟ ଆଇନାନୁଯାୟୀ ଅଣୁଶ୍ରଭଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ଆୟୋଗଙ୍କୁ ମଧ୍ୟ ଆଦେଶ ଦେଇଥିଲେ ।

ଏସବୁ ସତ୍ତ୍ୱେ ଅଣୁଶ୍ରଭଙ୍କୁ ବାଦ୍‍ ଦେଇ ଅନ୍ୟମାନଙ୍କୁ ଓଏଏସ୍‍, ଓପିଏସ୍‍, ଓଏଫ୍‍ଏସ୍‍ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯାଇଥିଲା । ଏ ପ୍ରସଙ୍ଗରେ ଅଣୁଶ୍ରଭ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ଓଡ଼ିଶା ସରକାର ତାଙ୍କ ସତ୍ୟପାଠରେ ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସ୍ୱୀକାର କରିଥିଲେ । ଆୟୋଗଙ୍କ ପକ୍ଷରୁ ମଧ୍ୟ ସତ୍ୟପାଠ ଦାଖଲ କରାଯାଇଥିଲା । ତେବେ ଓଡ଼ିଶା ହାଇକୋର୍ଟ ଅଣୁଶ୍ରଭଙ୍କ ପକ୍ଷରୁ ଉଠାଯାଇଥିବା ଯୁକ୍ତିକୁ ଗ୍ରହଣ କରି ଗତ ଡିସେମ୍ବର ମାସରେ ୫୬ ପୃଷ୍ଠା ସମ୍ବଳିତ ଦୀର୍ଘ ରାୟ ପ୍ରକାଶ କରିଥିଲେ ।

ଓଡ଼ିଶା ହାଇକୋର୍ଟ ନିର୍ଦ୍ଦିଷ୍ଟ ଭାବରେ ନିର୍ଦ୍ଦେଶ ଦେଇଥିଲେ ଯେ ୨୦୧୯ ଜୁନ୍‍ ମାସରେ ଯେଉଁ ମେଧା ତାଲିକା ପ୍ରସ୍ତୁତ ହୋଇଥିଲା ସେଥିରେ ଅନୁଶ୍ରବଙ୍କ ନାମ ଯଥାସ୍ଥାନରେ ଦୁଇମାସ ମଧ୍ୟରେ ସ୍ଥାନିତ କରି ତାଙ୍କୁ ଅସଂରକ୍ଷିତ ପ୍ରାର୍ଥୀ ଭାବରେ ଓଏଏସ୍‍ ପ୍ରଥମ ଶ୍ରେଣୀ କନିଷ୍ଠ ବର୍ଗରେ ନିଯୁକ୍ତି ଦେବାଲାଗି । ଏଥିସହିତ ଅଣୁଶ୍ରଭଙ୍କ ଚାକିରି କାଳ ବରିଷ୍ଠତା ଓ ବେତନ ଆଦି ୨୦୧୯ ମସିହାରୁ ସ୍ଥିର କରିବାକୁ ମଧ୍ୟ ହାଇକୋର୍ଟ ଉଲ୍ଲେଖ କରିଥିଲେ ।

କେବଳ ସେତିକି ନୁହେଁ, ତାଙ୍କଠାରୁ ଯଦି କେହି କମ୍‍ ମେଧା ସଂପନ୍ନ ପ୍ରାର୍ଥୀ ଇତିମଧ୍ୟରେ ପଦୋନ୍ନତି ପାଇଥାନ୍ତି ତେବେ ସେହିଦିନ ଠାରୁ ଅଣୁଶ୍ରଭଙ୍କୁ ମଧ୍ୟ ପଦୋନ୍ନତି ସହ ଅନ୍ୟାନ୍ୟ ଚାକିରି ସୁବିଧା ଦେବା ପାଇଁ ଏଥିରେ କୁହାଯାଇଥିଲା । ଏମିତିକି ଜଣେ ମେଧାବୀ ପ୍ରାର୍ଥୀଙ୍କୁ ଅଯଥାରେ ହଇରାଣ ହରକତ କରାଯାଇଥିବାରୁ ତାଙ୍କୁ ୧ଲକ୍ଷ ଟଙ୍କା ପ୍ରଦାନ କରିବାକୁ ମଧ୍ୟ ହାଇକୋର୍ଟ ରାୟ ଦେଇଥିଲେ । ରାୟ ପ୍ରକାଶର ଦୁଇମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ସହ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟ ସରକାର ହାଇକୋର୍ଟରେ ନିର୍ଦ୍ଦେଶ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ରାୟରେ ସ୍ପଷ୍ଟ ନିର୍ଦ୍ଦେଶ ଥିଲା ।

ହାଇକୋର୍ଟଙ୍କ ରାୟ ପାଇବା ପରେ ଓଡ଼ିଶା ଲୋକସେବା ଆୟୋଗ ମେଧା ତାଲିକାରେ ସଂଶୋଧନ କରି ଯଥାସ୍ଥାନରେ ଅଣୁଶ୍ରଭଙ୍କ ନାମ ସ୍ଥାନିତ କରିଥିଲେ ଏବଂ ରାଜ୍ୟ ସରକାର ବିଭିନ୍ନ ବିଭାଗ ସହ ବିଚାର ବିମର୍ଷ ପରେ ଅଣୁଶ୍ରଭଙ୍କୁ ହାଇକୋର୍ଟଙ୍କ ରାୟ ମୁତାବକ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇ ମେଡିକାଲ୍‍ ବୋର୍ଡରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ଏବଂ ତାଙ୍କ ସଂପର୍କରେ ମଧ୍ୟ ପୋଲିସ ରିପୋର୍ଟ ଅଣାଇଥିଲେ । ଅର୍ଥ ବିଭାଗର ଅନୁମୋଦନ ପରେ ସାଧାରଣ ପ୍ରଶାସନ ବିଭାଗ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନେଇ ଅଣୁଶ୍ରଭଙ୍କୁ ନିଯୁକ୍ତି ଦେବା ଲାଗି ରାଜସ୍ୱ ବିଭାଗକୁ ଅନୁରୋଧ କରିଥିଲେ ।

ରାଜସ୍ୱ ବିଭାଗର ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ମନ୍ତ୍ରୀ ଓ ପରିଶେଷରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସଂକ୍ରାନ୍ତୀୟ ନଥିରେ ଆଉଥରେ ଅନୁମୋଦନ ଦେବା ପରେ ଚଳିତ ମାସ ୨୪ ତାରିଖ ରାତିରେ ଏହି ବଞ୍ôଚତ ମେଧାବୀ ପ୍ରାର୍ଥୀଙ୍କୁ ଓଏଏସ୍‍ ଚାକିରିରେ ନିଯୁକ୍ତି ଦିଆଯାଇ ପୁରୀ ଜିଲ୍ଲାପାଳଙ୍କ ଅଧୀନରେ ତାଲିମ ନେବା ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶନର ୧୨ ଘଣ୍ଟା ମଧ୍ୟରେ ଅନୁଶ୍ରବ ପୁରୀ ଜିଲ୍ଲାପାଳଙ୍କୁ ଭେଟି ଚାକିରିରେ ଯୋଗଦାନ ସଂକ୍ରାନ୍ତୀୟ କାଗଜପତ୍ର ଦାଖଲ କରିଛନ୍ତି ।

ପ୍ରାୟ ସାଢ଼େ ୫ବର୍ଷ ଧରି ଏହି ଘଟଣାରେ କୋରାପୁଟର ବୋରିଗୁମ୍ମାରେ ରହୁଥିବା ତାଙ୍କର ପିତା-ମାତା ଗଭୀର ମନସ୍ତାପ ମଧ୍ୟରେ ଥିବାବେଳେ ଅଣୁଶ୍ରଭ କିନ୍ତୁ ଧୈର୍ଯ୍ୟର ସହିତ ଅପେକ୍ଷା କରିଥିଲେ । ନିଯୁକ୍ତି ପତ୍ର ପାଇ ଓଏଏସ୍‍ ଚାକିରିରେ ଯୋଗଦେବା ପରେ ସେ ଓଡ଼ିଶା ହାଇକୋର୍ଟ ଓ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିବା ସହ ଭବିଷ୍ୟତରେ ଯେଭଳି ତାଙ୍କଭଳି କେହି ଏମିତି ହଇରାଣ ହରକତ ନହୁଅନ୍ତୁ ସେଥିଘେନି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହି ଘଟଣା ରାଜ୍ୟ ସଚିବାଳୟରୁ ପୁରୀ ଜିଲ୍ଲାପାଳଙ୍କ ଦପ୍ତର ପର୍ଯ୍ୟନ୍ତ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । (ତଥ୍ୟ)