Home Cooperation ପାକ୍‍ସରେ ମିଳିବ ୩୦୦ରୁ ଅଧିକ ସେବା

ପାକ୍‍ସରେ ମିଳିବ ୩୦୦ରୁ ଅଧିକ ସେବା

ଭୁବନେଶ୍ୱର : ପ୍ରାଥମିକ କୃଷି ସମବାୟ ସମିତି (ପାକ୍‍ସ)ଗୁଡିକ କମନ୍‍ ସର୍ଭିସ୍‍ ସେଣ୍ଟର (ସିଏସ୍‍ସି) ଭାବେ କାର୍ଯ୍ୟ କରିବା ସହିତ ଏଠାରେ ୩୦୦ରୁ ଅଧିକ ପ୍ରକାରର ସେବା ମିଳିପାରିବ । ଏଥିପାଇଁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଆଇଟି ମନ୍ତ୍ରଣାଳୟ, ନାବାର୍ଡ ଏବଂ ସିଏସ୍‍ସି ଇ-ଗଭର୍ଣ୍ଣାନ୍ସ ସର୍ଭିସ ଇଣ୍ଡିଆ ଲିମିଟେଡ ସହିତ ରାଜିନାମା ସ୍ୱାକ୍ଷରିତ ହୋଇଛି ।

ନିକଟରେ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ୍‍ ଶାହା ସଂସଦରେ ଦେଇଥିବା ସୂଚନାରୁ ଏହା ଜଣାଯାଇଛି । ଏହିସବୁ ସେବା ମଧ୍ୟରେ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ବ୍ୟାଙ୍କ୍‍ସେବା, ବୀମା, ଆଧାର ପଞ୍ଜିକରଣ, ସ୍ୱାସ୍ଥ୍ୟ ଓ କୃଷି ସେବା ଆଦି ରହିଛି । ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା ଦେଶର ୨୪,୪୭୦ଟି ପାକ୍‍ସ ସିଏସ୍‍ସି ଭାବେ ସେବା ଯୋଗାଇବା ଆରମ୍ଭ କରିଥିବାବେଳେ ପର୍ଯ୍ୟାୟକ୍ରମେ ଦେଶର ସମସ୍ତ ପାକ୍‍ସରେ ଏହି ସେବା କାର୍ଯ୍ୟକାରୀ ହେବ ।

ପାକ୍‍ସଗୁଡିକରେ ବିଭିନ୍ନ ପ୍ରଧାନମନ୍ତ୍ରୀ ଜନମଙ୍ଗଳ ଯୋଜନା ଯଥା ଆୟୁଷ୍ମାନ ଭାରତ, ପିଏମ୍‍ କିଷାନ ମନଧନ, ପିଏମ୍‍ ଫସଲବୀମା, ପିଏମ୍‍ କିଷାନ କ୍ରେଡିଟ୍‍ କାର୍ଡ, ପିଏମ୍‍ କିଷାନ ସମ୍ମାନ ନିଧି ଯୋଜନା ଆଦି ରହିଛି । ସେହିଭଳି ବିଭିନ୍ନ କେନ୍ଦ୍ରୀୟ ସେବା ଯଥା ଆଧାର, ପାନ୍‍ କାର୍ଡ, ଜୀବନ ପ୍ରମାଣ, ପାସ୍‍ପୋର୍ଟ, ଜଳ ଓ ବିଦ୍ୟୁତ୍‍ ବିଲ୍‍ ପଇଠ ସେବା, ଆୟକର ଦାଖଲ ଓ ଇ-ଷ୍ଟାମ୍ପ ଆଦି ରହିଛି ।

ରାଜ୍ୟ ସରକାରଙ୍କ ବିଭିନ୍ନ ସେବା ଯଥା ଇ-ଜିଲ୍ଲା, ସାଧାରଣ ବଣ୍ଟନ ବ୍ୟବସ୍ଥା, ପୌର ସେବା ଆଦି ରହିଛି । ବିଭିନ୍ନ ପ୍ରକାର ଆର୍ଥିକ ସେବା ମଧ୍ୟରେ ବ୍ୟାଙ୍କ୍‍, ଋଣ, ବୀମା, ପେନ୍‍ସନ, ଡିଜିପେ, ଫାସ୍‍ଟ୍ୟାଗ୍‍ ଆଦି ଥିବାବେଳେ କୃଷି ସେବା ମଧ୍ୟରେ ସିଏସ୍‍ସି ଇ-ଏଗ୍ରି ପୋର୍ଟାଲ, ଏଗ୍ରି ଟେଲି କନସୁଲଟେସନ ଏବଂ ଇ-ପଶୁ ଚିକିତ୍ସା, ମୃତ୍ତିକା ପରୀକ୍ଷା, କିଷାନ ଇ-ମାର୍ଟ, କିଷାନ କ୍ରେଡିଟ୍‍ କାର୍ଡ ରହିଛି । ଅନ୍ୟାନ୍ୟ ସେବା ମଧ୍ୟରେ ସ୍ତ୍ରୀ ସ୍ୱାଭିମାନ ପ୍ରୋତ୍ସାହନ, ସ୍ପର୍ଶ ଡିଫେନ୍ସ ପେନ୍‍ସନ ଆଦି ରହିଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପାକ୍‍ସ ଗୁଡିକ ସିଏସ୍‍ସି ଆକାରରେ ୩୦୦ରୁ ଅଧିକ ସେବା ଯୋଗାଇବା ଫଳରେ ଗାଁ ଗହଳର ଲୋକଙ୍କ ହାତ ପାଆନ୍ତାରେ ସରକାରୀ ସେବା ପହଞ୍ଚିବା ସହିତ ସେମାନଙ୍କ ଜୀବନ ଯାପନକୁ ସହଜ କରିବ ଏବଂ ପାକ୍‍ସଗୁଡିକର ଆର୍ଥିକ ସ୍ଥିତିକୁ ମଧ୍ୟ ମଜବୁତ କରିବ । ସେହିଭଳି କେନ୍ଦ୍ର ସରକାର ମଧ୍ୟ ପାକ୍‍ସଗୁଡିକୁ ପ୍ରଧାନ ମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ଚଳାଇବା ସହିତ ଏହା ଜରିଆରେ ସାର, କୀଟନାଶକ ଏବଂ କୃଷକମାନଙ୍କୁ ତତ୍‍ଜନିତ ସେବା ଯୋଗାଇବାକୁ ଅନୁମତି ଦେଇଛନ୍ତି । ଏଥି ସହିତ ଏଠାରେ ଗୋଟିଏ ଛାତତଳେ ମୃତ୍ତିକା ପରୀକ୍ଷା, କୃଷି ଯନ୍ତ୍ରପାତି ଆଦି ମିଳିପାରିବ । ବର୍ତ୍ତମାନ ସମଗ୍ର ଦେଶରେ ୨୮,୬୪୮ ଟି ପାକ୍‍ସ ପ୍ରଧାନ ମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ଭାବରେ କାର୍ଯ୍ୟ କରୁଥିବାବେଳେ ପର୍ଯ୍ୟାୟକ୍ରମେ ଏହି ସଂଖ୍ୟାରେ ବୃଦ୍ଧି କରାଯିବ । (ତଥ୍ୟ)