Home News in Odia ପାକିସ୍ତାନୀ ହ୍ୟାକରଙ୍କ ହଙ୍ଗାମା

ପାକିସ୍ତାନୀ ହ୍ୟାକରଙ୍କ ହଙ୍ଗାମା

ଭୁବନେଶ୍ୱର : ଭର୍ଚୁଆଲ ମୋଡ୍‍ରେ ହେଉଥିବା କାର୍ଯ୍ୟକ୍ରମଗୁଡିକରେ ଏବେ ପାକିସ୍ତାନ ହ୍ୟାକରମାନେ ହଙ୍ଗାମା ଚଳାଇଛନ୍ତି । କାର୍ଯ୍ୟକ୍ରମକୁ ନିଜ ନିୟନ୍ତ୍ରଣକୁ ନେବା ସହିତ କେତେବେଳେ ପାକିସ୍ତାନର ଜୟ ଜୟକାର କରୁଛନ୍ତି ତ ଆଉ କେତେବେଳେ ଅଶ୍ଳୀଳ ସଙ୍ଗୀତ ଶୁଣାଇବା ସହ ଗାଳିଗୁଲଜ ବି କରୁଛନ୍ତି ।

ପାକିସ୍ତାନୀ ହ୍ୟାକରଙ୍କ ଏଭଳି କାରନାମା ଦେଖିବାକୁ ମିଳିଛି ରାଜଧାନୀର ଏକ କାର୍ଯ୍ୟକ୍ରମରେ । ସ୍ଥାନୀୟ ରେଡକ୍ରସଭବନ ଠାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍‍ ତଥା ସମାଜ ସଂସ୍କାରକ ଶରତ ଚନ୍ଦ୍ର ମହାରଣାଙ୍କ ଜୀବନୀ ଆଧାରିତ ଏକ ପୁସ୍ତକ ‘ଏ ମ୍ୟାନ ଅଫ୍‍ ହ୍ୟୁମିଲିଟି’ ଭର୍ଚୁଆଲ ମୋଡ୍‍ରେ ଲୋକାର୍ପିତ ହେବା ସମୟରେ ପାକିସ୍ତାନୀ ହ୍ୟାକରମାନେ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଥିଲେ ।

ପୁସ୍ତକର ଲେଖକ ଆମେରିକାର ମେରିଲ୍ୟାଣ୍ଡ୍‍ରୁ ଯୋଡିହୋଇ ତାଙ୍କ ବକ୍ତବ୍ୟ ରଖୁଥିବାବେଳେ ହ୍ୟାକରମାନେ କାର୍ଯ୍ୟକ୍ରମକୁ ନିଜ ନିୟନ୍ତ୍ରଣକୁ ନେଇଯିବା ସହିତ ପାକିସ୍ତାନର ଜୟ ଜୟକାର ଧ୍ୱନି ଶୁଣାଇବା ସହିତ ଅଶ୍ଳିଳ ଗୀତ ବି ବଜାଇଥିଲେ । ଫଳରେ ଜୁମ୍‍ କାର୍ଯ୍ୟକ୍ରମରେ ଯୋଡିହୋଇଥିବା ଦେଶ ବିଦେଶର ଅନେକ ବ୍ୟକ୍ତି ବୈଠକ ଅଧରୁ ଛାଡି ପଳାଇଥିଲେ । ପାକ୍‍ ହ୍ୟାକରମାନଙ୍କ ଏଭଳି ଦୌରାତ୍ମ୍ୟରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ବକ୍ତବ୍ୟ ବି ଶୁଣାଯାଇନଥିଲା ।

କେବଳ ଏହି ଗୋଟିଏ କାର୍ଯ୍ୟକ୍ରମ ନୁହେଁ, ଅନେକ ଭର୍ଚୁଆଲ ବୈଠକରେ ବାରମ୍ବାର ଏଭଳି ଅପ୍ରୀତିକର ପରିସ୍ଥିତି ହ୍ୟାକରମାନେ ସୃଷ୍ଟି କରୁଛନ୍ତି । ବେଳେବେଳେ ସେମାନେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର ୱେବ ପୋର୍ଟାଲକୁ ମଧ୍ୟ ହ୍ୟାକିଂ କରି ସାଂଘାତିକ ସମସ୍ୟା ଉପୁଜାଉଛନ୍ତି ।

କରୋନା ପରିପ୍ରେକ୍ଷୀରେ ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ଏବେ ଭର୍ଚୁଆଲ ମୋଡ୍‍ରେ ହେଉଛି । ଏମିତିକି ଶିଳାନ୍ୟାସ, ଉଦ୍‍ଘାଟନ ଠାରୁ ଆରମ୍ଭକରି ସଭା ସମିତି ଓ ସରକାରୀ ବୈଠକ ମଧ୍ୟ ଏହି ମାଧ୍ୟମରେ ଚାଲୁଛି । ଏହାଛଡା ବହୁ ବେସରାରୀ ସଂସ୍ଥା ପୁସ୍ତକ ଉଦ୍‍ଘାଟନଠାରୁ ଆରମ୍ଭକରି ଆଲୋଚନାଚକ୍ର ବି ଭର୍ଚୁଆଲ ମୋଡ୍‍ରେ କରୁଛନ୍ତି ଯେଉଁଥିରେ ଦେଶ ବିଦେଶର ଅନେକ ବ୍ୟକ୍ତି ସାମିଲ ହୋଇଥାନ୍ତି ।

ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଅନେକ ଶ୍ରେଣୀର ପାଠପଢା ଏବେ ଭର୍ଚୁଆଲମୋଡ୍‍ରେ ଚାଲୁଛି । ବହୁ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ଅଭିଯୋଗ କରୁଛନ୍ତି ଯେ ଅନ୍‍ଲାଇନ୍‍ରେ ପାଠପଢା ଚାଲିଥିବାବେଳେ ଅନେକ ସମୟରେ ହ୍ୟାକରମାନେ ଅଶ୍ଳିଳ ଚିତ୍ର ଛାଡୁଥିବାରୁ ଗୁରୁତର ସମସ୍ୟା ଉପୁଜୁଛି । ପୂର୍ବରୁ ଏଭଳି ଅନେକ ଘଟଣାର ନଜିର ବି ଅଛି । ଭଚୁଆଲ କାର୍ଯ୍ୟକ୍ରମ ଉପରେ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାମାନେ ଦିନକୁ ଦିନ ଅଧିକ ନିର୍ଭରଶୀଳ ହେଉଥିବାବେଳେ ହ୍ୟାକରମାନଙ୍କ ଦୌରାତ୍ମ୍ୟରୁ କିଭଳି ଏହାକୁ ରକ୍ଷା କରାଯାଇ ପାରିବ ସେଥିଘେନି ଏବେ ଉଦ୍ୟୋକ୍ତ୍‍ାମାନଙ୍କ ଚିନ୍ତା ବଢିଯାଇଛି ।