ଭୁବନେଶ୍ୱର : ବିଗତ ସାଢେ ୪ବର୍ଷ ମଧ୍ୟରେ ଓଡିଶାରେ ୧୫୪୦ଟି ପ୍ରାଥମିକ କୃଷି ଋଣ ସମିତି (ପାକସ୍) ଗଠନ ହୋଇଛି ଯାହାକି ଦେଶରେ ଦ୍ୱିତୀୟ ସର୍ବାଧିକ । ଏହି ସମୟରେ ପାକସ୍ ଗଠନରେ ରାଜସ୍ଥାନ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି ।
କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ରାଜ୍ୟସଭାରେ ଦେଇଥିବା ଲିଖିତ ଉତ୍ତରରୁ ଏହି ସୂଚନା ମିଳିଛି । ଶ୍ରୀ ଶାହ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଦେଶରେ ମୋଟ୍ ୨,୬୯,୨୩୦ଟି ଗ୍ରାମ ପଞ୍ଚାୟତ ଥିବାବେଳେ ଏଥି ମଧ୍ୟରୁ ୨,୫୧,୮୭୨ଟି ପଞ୍ଚାୟତରେ ପାକସ୍ ଗଠନ ହୋଇଛି । ଜାତୀୟ ସମବାୟ ଡାଟାବେସ୍ (ଏନସିଡି)ର ସୂଚନା ଅନୁଯାୟୀ ୧,୮୪,୩୮୭ଟି ପଞ୍ଚାୟତରେ ଦୁଗ୍ଧ ସମବାୟ ସମିତି ନଥିବାବେଳେ ୨,୩୯,୭୧୦ଟି ପଞ୍ଚାୟତରେ ମତ୍ସ୍ୟ ସମବାୟ ସମିତି ନାହିଁ ।
ଏନ୍ସିଡର ତଥ୍ୟ ଅନୁଯାୟୀ ୨୦୨୧ ଜାନୁଆରୀ ପହିଲାରୁ ଚଳିତବର୍ଷ ଜୁନ୍ ଶେଷସୁଦ୍ଧା ଦେଶରେ ମୋଟ୍ ୭୭୬୮ଟି ପାକସ୍ ଗଠନ ହୋଇଛି । ଏଥି ମଧ୍ୟରେ ୧୯୬୮ ପାକସ୍ ସହିତ ରାଜସ୍ଥାନ ଦେଶରେ ପ୍ରଥମ ସ୍ଥାନରେ ଥିବାବେଳେ ୧୫୪୦ ପାକସ୍ ସହିତ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଛି । ଏହି ସାଢେ ଚାରିବର୍ଷ ମଧ୍ୟରେ ଲକ୍ଷାଦ୍ୱୀପ,ଦିଲ୍ଲୀ, ଚଣ୍ଡିଗଡରେ ଆଦୌ ପାକସ୍ ଗଠନ ହୋଇନଥିବାବେଳେ ଆଣ୍ଡାମାନ ନିକୋବରରେ ଗୋଟିଏ, ଆନ୍ଧ୍ରପ୍ରଦେଶରେ ୨ଟି, ଲଦାଖରେ ୩ଟି, ପୁଡୁଚେରୀରେ ୪ଟି ପାକସ୍ ଗଠନ ହୋଇଛି । ବୃହତ୍ ରାଜ୍ୟ ଉତ୍ତରପ୍ରଦେଶରେ ଏହି ସମୟ ମଧ୍ୟରେ ୫୫୨ଟି ପାକସ୍ ଗଠନ ହୋଇପାରିଛି ।
ପାକସ୍ଗୁଡିକୁ ସଶକ୍ତ କରିବାପାଇଁ କେନ୍ଦ୍ର ୨୦୨୩ ଫେବୃଆରୀ ମାସରେ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ତଦନୁଯାୟୀ ସମବାୟ ବ୍ୟବସ୍ଥାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାପାଇଁ ଦେଶରେ ୨ଲକ୍ଷ ପାକସ୍ ଗଠନର ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିରେ ଦୁଗ୍ଧ, ମତ୍ସ୍ୟ ସମବାୟଗୁଡିକୁ ଅଗ୍ରାଧିକାର ଦିଆଯାଇଥିଲା । ଏହାଛଡା ପାକସ୍ ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଶେଷକରି ଦୁଗ୍ଧ ବିକାଶ ଯୋଜନା (ଏନପିଡିଡି) ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାକୁ ସାମିଲ ସହିତ ନାବାର୍ଡ, ଏନଡିଡିବି, ଏନଏଫ୍ଡିବି ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ସହାୟତା ଯୋଗାଇବାକୁ ସ୍ଥିର ହୋଇଛି ।
ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ପାକସ୍ ଜରିଆରେ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛନ୍ତି । ମହିଳାମାନଙ୍କୁ ଏଥିରେ ସାମିଲ କରି ସେମାନେ ଯେଭଳି ନୂଆ ନୂଆ ବ୍ୟବସାୟ କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି । ଏଥି ସହିତ ଜନଔଷଧି ଯୋଜନାକୁ ଏଥିରେ ସାମିଲ ପାଇଁ ନିଷ୍ପତ୍ତି ହୋଇଛି । ପାକସ୍ଗୁଡିକ ଜନଔଷଧି କେନ୍ଦ୍ର ସ୍ଥାପନ କରି ଲୋକଙ୍କୁ ଶସ୍ତାରେ ଔଷଧ ଯୋଗାଣ କରିପାରିବେ । ତେବେ ଓଡିଶାରେ ସମବାୟ ବିଭାଗ ଏ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହିତ ରେକର୍ଡ ସଂଖ୍ୟକ ନୂତନ ପାକସ୍ ଗଠନ କରି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣରେ ସଫଳ ହୋଇପାରିଛି । (ତଥ୍ୟ)