Home General ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ କେବେ ?

ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ କେବେ ?

ଭୁବନେଶ୍ୱର : ବରୁଣେଇରେ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ଲାଗି ପ୍ରାୟ ୬ବର୍ଷ ତଳେ ରାଷ୍ଟ୍ରପତିଙ୍କ ଦ୍ୱାରା ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା ତାହାର ନିର୍ମାଣ କାର୍ଯ୍ୟ ଏଯାବତ୍‍ ଆରମ୍ଭ ହୋଇନାହିଁ । ଏହି ପ୍ରକଳ୍ପ କାମ କେବେ ଆରମ୍ଭ ହୋଇ ଶେଷ ହେବ ସେ ସଂକ୍ରାନ୍ତରେ କାହା ପାଖରେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ଦୁଇବର୍ଷ ଧରି ରାଜ୍ୟ ଭିତରେ ଓ ବାହାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ସରକାରୀ ଓ ବେସରକାରୀ ଭାବେ ପାଳନ କରାଯାଇଥିଲା । ଏହି ଅବସରରେ ବରୁଣେଇର ପାଦ ଦେଶରେ ଭବ୍ୟ ପାଇକ ସ୍ମାରକୀ ନିର୍ମାଣ ଲାଗି ପ୍ରସ୍ତାବ ଥିଲା । ସେତେବେଳର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କରକମଳରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

ବରୁଣେଇରେ ପାଇକ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ ପରେ ୨୦୧୯ ଓ ୨୦୨୪ରେ ଦୁଇଟି ନିର୍ବାଚନ ହୋଇଗଲାଣି । କିନ୍ତୁ ଏଯାବତ୍‍ ସେଠାରେ ଆବଶ୍ୟକୀୟ ଜମି ହସ୍ତାନ୍ତରୀକରଣ ସହିତ ଜଙ୍ଗଲ ଓ ପରିବେଶ ବିଭାଗର ଅନୁମୋଦନ ମିଳିପାରି ନାହିଁ । ଏହି ପ୍ରକଳ୍ପ ଲାଗି ଭାରତୀୟ ତୈଳ ନିଗମ ୯୦ କୋଟି ଟଙ୍କା ଦେବ ବୋଲି ଘୋଷଣା କରିଥିଲା । ଏହାଛଡା କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ମଧ୍ୟ ଏଥିଲାଗି ଆର୍ଥିକ ବ୍ୟବସ୍ଥା କରିବ ବୋଲି କୁହାଯାଇଥିଲା । ପାଇକ ସ୍ମାରକୀ ପ୍ରକଳ୍ପ ଲାଗି ଆର୍ଥିକ ପ୍ରତିବନ୍ଧକ ନଥିବାବେଳେ ଏହି ପ୍ରକଳ୍ପ କାର୍ଯ୍ୟ କିନ୍ତୁ ଆରମ୍ଭ ହୋଇପାରୁ ନାହିଁ । ଏଠାରେ ବକ୍ସି ଜଗବନ୍ଧୁଙ୍କର ଏକ ସୁଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ ଲାଗି ଯେଉଁ ପ୍ରସ୍ତାବ ରହିଥିଲା ତାହା ଏବେ ବି ପ୍ରସ୍ତାବରେ ରହିଯାଇଛି । ଏହି ଅବସରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯେତେସବୁ ଘୋଷଣା କରାଯାଇଥିଲା ତାହାର ପୂର୍ଣ୍ଣ ପ୍ରତିପାଳନ ହୋଇପାରି ନାହିଁ ।

ପୂର୍ବରୁ ନୂଆଦିଲ୍ଲୀର ସଂସଦ ଭବନରେ ବକ୍ସି ଜଗବନ୍ଧୁଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରସ୍ତାବ ଥିଲା ଏବଂ ଏଥିପାଇଁ ଘୋଡା ଉପରେ ଉତ୍ତୋଳିତ ଖଡ୍‍ଗ ଧରି ବସିଥିବାର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥାନ୍ତା । ଓଡିଶା ସରକାର ନିଜ ଖର୍ଚ୍ଚରେ ବି ଏହି ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ କହିଥିଲେ । ତେବେ ସଂସଦ ଭବନ ପରିସରରେ ଏହି ପ୍ରତିମୂର୍ତ୍ତି ବସିବାଲାଗି ଆପତ୍ତି ଉଠିବାରୁ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । ଏଠାରେ ଉଲ୍ଲେଖନୀୟ ଯେ ଛତିପତି ଶିବାଜୀ, ଚିତ୍ତୁରର ରାଣୀ ଚେନାମ୍ମାଙ୍କ ଭଳି ସଂଗ୍ରାମୀମାନଙ୍କ ଉତ୍ତୋଳନ ଖଡ୍‍ଗ ଥିବା ପ୍ରତିମୂର୍ତ୍ତି ସଂସଦ ଭବନ ପରିସରରେ ରଖାଯାଇଥିବାବେଳେ ବକ୍ସିଙ୍କ କ୍ଷେତ୍ରରେ କିନ୍ତୁ ଆପତ୍ତି ଉଠାଯିବାକୁ ଓଡିଶାର ସଂସ୍କୃତି ପ୍ରେମୀମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ରାଜଧାନୀ ଦିଲ୍ଲୀରେ ବିଭିନ୍ନ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କ ନାମରେ ନଗର, ଦପ୍ତର ଓ ଅନେକ ରାସ୍ତାଘାଟ ନାମିତ ହୋଇଥିବାବେଳେ ସ୍ୱତନ୍ତ୍ର ଓଡିଶା ଗଠନର ୮୭ବର୍ଷରେ ବି ଓଡିଶାର କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ଜାତୀୟ ରାଜଧାନୀରେ ସେଭଳି କିଛି ଆଖିଦୃଶିଆ ସ୍ମାରକୀ ନାହିଁ । କେବଳ ସେତିକି ନୁହେଁ, ସ୍ୱାଧୀନତାର ୭୭ବର୍ଷରେ ବି ଓଡିଶାର ଜଣେ ହେଲେ କାହାକୁ ଭାରତ ରତ୍ନ ଦିଆଯାଇ ନାହିଁ । ଯେତେବେଳେ ରାଜ୍ୟର କୌଣସି ବରପୁତ୍ର ବା ପୁତ୍ରୀଙ୍କର ଜୟନ୍ତୀ ଅଥବା ଶ୍ରାଦ୍ଧ ଉତ୍ସବ ପଡେ ସେତେବେଳେ ତାଙ୍କୁ ଭାରତ ରତ୍ନ ଦେବାପାଇଁ ବିଭିନ୍ନ ବେସରକାରୀ ସଂଗଠନ ପକ୍ଷରୁ ଦାବି ଉଠାଯାଇଥାଏ । ଅନ୍ୟ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ୫୦ଦଶକରୁ ଏଯାବତ୍‍ କେନ୍ଦ୍ର ସରକାର ଭାରତ ରତ୍ନ ପ୍ରଦାନ କରିଆସୁଥିବାବେଳେ ଓଡିଶାର କେହି କିନ୍ତୁ ଏହି ତାଲିକାରେ ସ୍ଥାନ ପାଇନାହାନ୍ତି । ଏହାଛଡା ଓଡିଆ ଭାଷା ଓ ଓଡିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଥିବାବେଳେ ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାପାଇଁ ଦୀର୍ଘବର୍ଷ ଧରି ଦାବି ଉଠି ଆସୁଛି । (ତଥ୍ୟ)