Home Environment ପଲିଥିନ୍‍ ବୋଝରେ କର୍ତ୍ତୃପକ୍ଷ ନୟାନ୍ତ

ପଲିଥିନ୍‍ ବୋଝରେ କର୍ତ୍ତୃପକ୍ଷ ନୟାନ୍ତ

ଭୁବନେଶ୍ୱର : ରାଜଧାନୀରୁ ଦୈନିକ ପ୍ରାୟ ୫୦୦ ମେଟ୍ରିକ ଟନ୍‍ ବର୍ଜ୍ୟ ବାହାରୁଥିବାବେଳେ ଏଥିରେ ବିପୁଳ ପରିମାଣର ପଲିଥିନ୍‍ ଓ ଅନ୍ୟାନ୍ୟ ଜରି ରହୁଛି । ଏହାକୁ ବିଘଟନ କରିବା ଏବେ କର୍ତ୍ତୃପକ୍ଷଙ୍କ ପାଇଁ କାଠିକରପାଠ ହେଲାଣି ।

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ପକ୍ଷରୁ ଘରକୁ ଘର ବର୍ଜ୍ୟ ସଂଗ୍ରହ ହେଉଥିବାବେଳେ ଏଥି ମଧ୍ୟରେ ଖାଦ୍ୟ ସାମଗ୍ରୀ, ପନିପରିବା ଚୋପା ସହିତ ପୁଳା ପୁଳା ପଲିଥିନ୍‍ ରହୁଛି । କର୍ତ୍ତୃପକ୍ଷଙ୍କ ବାରମ୍ବାର ତାଗିଦା ସତ୍ୱେ ଲୋକେ ପଲିଥିନ୍‍ ମୁଣାରେ ଅଳିଆ ଭର୍ତ୍ତିକରି ତାହାକୁ ଘର ଆଗରେ ଝୁଲାଇ ଦେଉଛନ୍ତି । ଅଳିଆ ସଂଗ୍ରହକାରୀମାନେ ବାଧ୍ୟହୋଇ ତାହାକୁ ସଂଗ୍ରହ କରିବା ସହିତ ପଲିଥିନ୍‍କୁ ପୃଥକ କରୁଛନ୍ତି ।

ପଲିଥିନ୍‍ ପରିମାଣ ଏତେ ପରିମାଣରେ ହୋଇ ଅଳିଆ ସଂଗ୍ରହକ ଯାନକୁ ଜାମ୍‍ କରିଦେଉଛି ଯେ ସଂଗ୍ରହକାରୀମାନେ ବାଟରେ ଗାଡି ରଖି ତାହାକୁ ବାଡିରେ ଚାପ ଦେଉଛନ୍ତି । ପଲିଥିନ୍‍ ସଂଗ୍ରହ ପାଇଁ ନିୟମ ନଥିବାବେଳେ ଯଦି ତାହାକୁ ନିଆନଯିବ ତେବେ ଅଳିଆ ତ ଯିବନାହିଁ, ପଲିଥିନ୍‍ ଏଣେ ତେଣେ ପଡିବ ।

କେବଳ ପଲିଥିନ୍‍ ନୁହେଁ, ସହରରେ ଏବେ ବିଭିନ୍ନ ପ୍ରକାର ଗୁଟ୍‍ଖା ଜରି, ଶୁଖିଲା ଖାଦ୍ୟ ଭର୍ତ୍ତିହୋଇ ଆସୁଥିବା ଜରି, ଦୁଗ୍ଧ, ଦହି ଆସୁଥିବା ଜରି ପ୍ୟାକେଟ ଆଦି ଗଦାହୋଇ ଯାଉଛି । ଏହାକୁ ବି ଅଳିଆ ସହିତ ସଂଗ୍ରହ କରିବାକୁ ପଡୁଛି । ଯେଉଁ ଜରିଗୁଡିକ ରାସ୍ତାରେ ପଡୁଛି ତାହାକୁ ଝାଡୁଦାରମାନେ ଏକାଠି କରିବା ପରେ ବର୍ଜ୍ୟରେ ମିଶି ତାହା ବି ଯାଉଛି ।

ମୋଟାମୋଟି ଭାବେ ରାଜଧାନୀରେ ଦିନକୁ ଦିନ ବେଆଇନ୍‍ ପଲିଥିନ ସହିତ ବିଭିନ୍ନ ପ୍ରକାର ଖାଦ୍ୟ ଜରି, ଗୁଟଖା ଜରି ଆଦି ଗୁରୁତର ପରିବେଶଗତ ସମସ୍ୟା ସୃଷ୍ଟି କଲାଣି । ଏହାକୁ ସଂଗ୍ରହ କରୁଥିବା ସଂସ୍ଥା କିଭଳି ବିଘଟନ କରିବେ ତାହା ବି ଜାଣିପାରୁ ନାହାନ୍ତି । ଖାରବେଳନଗର ଭଳି ଯେଉଁସବୁ ସ୍ଥାନରେ କବାଡିଆମାନେ ପଲିଥିନ୍‍ ଓ ଅନ୍ୟାନ୍ୟ ଜରିକୁ ପୋଡୁଛନ୍ତି ସେଠାରେ ବିଷାକ୍ତ ପରିବେଶ ସୃଷ୍ଟି ହେଉଛି ।

ରାଜ୍ୟରେ ଏକକ ବ୍ୟବହାରଯୋଗ୍ୟ (ସିଙ୍ଗିଲ୍‍ ୟୁଜ୍‍) ପଲିଥିନ୍‍ ଉପରେ କଟକଣା ଲାଗିଥିଲେ ମଧ୍ୟ ତାହା କେବଳ ଧର୍ମକୁ ଆଖିଠାର ଭଳି ହୋଇଛି । ସମସ୍ତ ପ୍ରକାର ସଚେତନତା ସତ୍ୱେ ଲୋକେ ଏହାକୁ ବ୍ୟବହାର କରୁଛନ୍ତି । ରାଜଧାନୀକୁ ଜରିମୁକ୍ତ କରିବାପାଇଁ ବିଭିନ୍ନ ସମୟରେ ବିଏମ୍‍ସି ପକ୍ଷରୁ ଆରମ୍ଭ ହୋଇଥିବା କପଡା ବ୍ୟାଗ୍‍ ଅଭିଯାନ ବି ଫେଲ୍‍ ମାରିଛି । ସେହିଭଳି ବିଏମ୍‍ସି କର୍ତ୍ତୃପକ୍ଷଙ୍କର ଘରୁ ଦୁଗ୍ଧ ଜରି ସଂଗ୍ରହ କରିବା ଯୋଜନା ବି ଶୀତଳଭଣ୍ଡାରେ ରହିଯାଇଛି ।

ସହରାଞ୍ଚଳରେ ଜରି ହାଉଜାଉ ହେଲେ ଲୋକ ଦେଖାଣିଆ ଭାବେ କର୍ତ୍ତୃପକ୍ଷ ହାତଗଣତି କୋତୋଟି ସ୍ଥାନରେ ଚଢାଉକରି ପଲିଥିନ୍‍ ଜବତ କରିବା ସହିତ ଫାଇନ୍‍ କାଟୁଛନ୍ତି । ହେଲେ ଅବସ୍ଥା ଯେଉଁ ତିମିରେ କୁ ସେହି ତିମିରେ । ସହରରେ ପଲିଥିନ୍‍ ବ୍ୟବହାର କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ହାଟ ବଜାର ଠାରୁ ଆରମ୍ଭ କରି ଗଳି କନ୍ଦିରେ ଥିବା ଛୋଟ ଛୋଟ ଦୋକାନ ଏପରିକି ଉଠା ପରିବା ଦୋକାନୀମାନେ ନିର୍ଭୟରେ ପଲିଥିନ୍‍ ବ୍ୟବହାର କରୁଥିବାବେଳେ ଏହା ଏବେ ରାଜଧାନୀରେ ଭୟଙ୍କର ସ୍ଥିତି ସୃଷ୍ଟି କରିବାକୁ ଯାଉଛି । ଆଗାମୀ ଦିନରେ ପଲିଥିନ୍‍ର ପାହାଡ ସୃଷ୍ଟି ହେବାକୁ ଯାଉଥିବାବେଳେ ସରକାର କିଭଳି ଏହାକୁ ମୁକାବିଲା କରିବେ ତାହା ଏବେଠାରୁ ଚିନ୍ତା ନକଲେ ବଡ ବିଷମ ସ୍ଥିତି ଉପୁଜିବ ବୋଲି ପରିବେଶ ବିଜ୍ଞାନୀ ଓ ଚିକିତ୍ସକମାନେ ସତର୍କ କରାଇ ଦେଲେଣି । (ତଥ୍ୟ)