ଭୁବନେଶ୍ୱର : ନିର୍ବାଚନ ଲଢିବାକୁ ମନସ୍ଥିର କରି ଦୀର୍ଘ ବର୍ଷ ଧରି ପ୍ରସ୍ତୁତି ଚଳାଇଥିବା ଅନେକ ଆଶାୟୀ ପ୍ରାର୍ଥୀ ଏବେ ନିରାଶ । ବିଶେଷକରି ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେଉଥିବା ଘେନି ଚାଲିଥିବା ଚର୍ଚ୍ଚା ପରିପ୍ରେକ୍ଷୀରେ ଏହି ଆଶାୟୀମାନଙ୍କ ମଧ୍ୟରୁ ଅନେକଙ୍କ ମୁଣ୍ଡରେ ଚଡକ ପଡିଛି । ଦଳୀୟ ଶୀର୍ଷ ନେତୃତ୍ୱଙ୍କୁ ଭେଟିପାରୁନଥିବାବେଳେ ଏମାନେ ଏବେ ଜିଲ୍ଲା ଓ ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଥିବା ପ୍ରଭାରୀ ଓ ପର୍ଯ୍ୟବେକ୍ଷକମାନଙ୍କୁ କଲବଲ କରୁଛନ୍ତି । ଏଥିଯୋଗୁଁ ଅଧିକାଂଶ ସ୍ଥାନରୁ ଏବେ ପର୍ଯ୍ୟବେକ୍ଷକ ଓ ପ୍ରଭାରୀମାନେ ଗାଏବ ହୋଇଗଲେଣି ।
ଉଭୟ ବିଜେଡି ଓ ବିଜେପି ନିଜ ନିଜ ବାହୁବଳରେ ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ଆସନରୁ ଲଢିବାପାଇଁ ଦୀର୍ଘବର୍ଷ ଧରି ପ୍ରସ୍ତୁତି ଚଳାଇଛନ୍ତି । ଏଥିପାଇଁ ବିଜେପିର ବହୁ କେନ୍ଦ୍ରୀୟ ନେତା ବାରମ୍ବାର ଓଡିଶା ଗସ୍ତକରି ନିର୍ବାଚନମଣ୍ଡଳୀ ସ୍ତରରେ କର୍ମୀ ଓ ଆଶାୟୀ ପ୍ରାର୍ଥୀମାନଙ୍କ ଆଶା ବଢାଇଥିବାବେଳେ ବୁଥ୍ ସ୍ତରରୁ ସଂଗଠନକୁ ସୁଦୃଢ କରିବାପାଇଁ ଲାଗି ପଡିଥିବା ବିଜେଡିର ସ୍ଥାନୀୟ କର୍ମୀମାନଙ୍କୁ ଅଧିକ କ୍ରିୟାଶୀଳ କରିବାପାଇଁ ଦଳର ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ଠାରୁ ଆରମ୍ଭକରି ୫ଟି ଅଧ୍ୟକ୍ଷଙ୍କ ପର୍ଯ୍ୟନ୍ତ ନେତାମାନେ ଘନ ଘନ ଗସ୍ତ କରିଆସିଛନ୍ତି ।
କେବଳ ସେତିକି ନୁହେଁ ଏହି ଦୁଇ ଦଳର ନେତାମାନେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମରେ ପରସ୍ପର ବିରୁଦ୍ଧରେ ଗୁରୁତର ଅଭିଯୋଗ ଓ ପ୍ରତି ଅଭିଯୋଗମାନ ଆଣି ରାଜନୈତିକ ବାତାବରଣକୁ ସରଗରମ କରୁଥିଲେ । ପ୍ରାୟ ପ୍ରତିଦିନ ଦଳର ମୁଖପାତ୍ରମାନେ ସାମ୍ବାଦିକ ସମ୍ମିଳନୀ ଓ ପ୍ୟାନେଲ ଆଲୋଚନା ମାଧ୍ୟମରେ ରାଜନୈତିକ ଆକ୍ରମର ଓ ପ୍ରତି ଆକ୍ରମଣ ଜାରି ରଖିଥିଲେ । ତେବେ ଯେଉଁ ଦିନଠାରୁ ମେଣ୍ଟ ଚର୍ଚ୍ଚା ଜୋର ଧରିଛି ସେବେଠାରୁ ଆଉ ବିଜେଡି କି ବିଜେପି ନେତାମାନେ କେହି କାହା ବିରୁଦ୍ଧରେ ଗଣମାଧ୍ୟମରେ ବୟାନବାଜି କରୁନାହାନ୍ତି ।
ଦୁଇ ଦଳ ଏକାକୀ ନିର୍ବାଚନ ଲଢିବାପାଇଁ ରଣହୁଙ୍କାର ଦେଉଥିବା ସମୟରେ ଦଳଡିଆଁମାନଙ୍କ ମିଶ୍ରଣ ପର୍ବ ଜୋରଦାର ହେଉଥିଲା । ବିଶେଷକରି ପ୍ରାୟ ପ୍ରତିଦିନ ବିଜେପିରୁ ବିଜେଡି ଓ ବିଜେଡିରୁ ବିଜେପିକୁ କିଛି ନେତା ଡିଆଁ ମାରୁଥିଲେ । ଏବେ ମେଣ୍ଟ ପ୍ରସଙ୍ଗରେ ଗଣମାଧ୍ୟମରେ ଚର୍ଚ୍ଚା ଚାଲିବା ପରଠାରୁ ମିଶ୍ରଣପର୍ବ ବି ଧିମେଇ ଯାଇଛି । କେବଳ ସେତିକି ନୁହେଁ, ଯେଉଁମାନେ ବିଜେଡି ଛାଡି ବିଜେପି ଏବଂ ବିଜେପି ଛାଡି ବିଜେଡିକୁ ଆସିଛନ୍ତି ସେହି ନେତାମାନଙ୍କ ମଧ୍ୟରୁ ଅନେକ ଟିକଟ ଲାଗି ସନ୍ଦେହରେ ପଡିଛନ୍ତି ।
ବିଜେଡିରେ ଦଳୀୟ ଟିକଟ ପାଇବାପାଇଁ ୧୦ହଜାରରୁ ଅଧିକ ଆବେଦନ ଆସିଥିବାବେଳେ ବିଜେପିରେ ବି ଢେର ସଂଖ୍ୟକ ଆବେଦନକାରୀ ଥିବା ଗଣମାଧ୍ୟମରେ ପ୍ରକାଶ ପାଉଛି । କେବଳ ସେତିକି ନୁହେଁ, ବିଭିନ୍ନ ସର୍ଭେ ରିପୋର୍ଟକୁ ଆଧାର କରି ବିଜେଡି ୨୦ଟି ଲୋକସଭା ସହ ୧୨୬ ପର୍ଯ୍ୟନ୍ତ ବିଧାନସଭା ଆସନ ପାଇପାରେ ବୋଲି ଦାବି କରୁଥିବାବେଳେ ବିଜେପି ମଧ୍ୟ ୧୮ଟି ଲୋକସଭା ସହ ୧୨୦ରୁ ଅଧିକ ଆସନ ହାସଲ କରିବ ବୋଲି କହୁଥିଲା ।
ଏ ପରିପ୍ରେକ୍ଷୀରେ ଉଭୟ ଦଳର ଆଶାୟୀ ନବାଗତ ପ୍ରାର୍ଥୀମାନଙ୍କୁ ଦଳର କିଛି ନେତା ବି ନିରବ ସମର୍ଥନ ଦେଉଥିଲେ । ଟିକଟ ପାଇ ନିର୍ବାଚିତ ହେବା ଆଶାରେ କେତେକ ପ୍ରାର୍ଥୀ ମଧ୍ୟ ପ୍ରସ୍ତୁତିପର୍ବରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ସାରିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାବେଳେ ଦଳୀୟ ଟିକଟ ଘେନି ସମ୍ଭାବ୍ୟ ମେଣ୍ଟ ପରିପ୍ରେକ୍ଷୀରେ ଗୋଳମାଳିଆ ବାତାବରଣ ସୃଷ୍ଟି ହୋଇଥିବାବେଳେ ଏମାନେ ନିଜ ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ଘେନି କୌଣସି ତୁଙ୍ଗ ନେତାଙ୍କ ଠାରୁ କିଛି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପାଉନଥିବାବେଳେ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିବା ଜିଲ୍ଲା ଓ ନିର୍ବାଚନମଣ୍ଡଳୀ ସ୍ତରୀୟ ପ୍ରଭାରୀ ଓ ପର୍ଯ୍ୟବେକ୍ଷମାନଙ୍କୁ ଟିକଟ ସଂକ୍ରାନ୍ତୀୟ ପ୍ରଶ୍ନ ପଚାରି ପଚାରି ନୟାନ୍ତ କରିଦେଉଛନ୍ତି । ଏ ପରିପ୍ରେକ୍ଷୀରେ ଉଭୟ ଦଳର କିଛି ପ୍ରଭାରୀ ଓ ପର୍ଯ୍ୟବେକ୍ଷକ ଆଉ ସେମାନଙ୍କୁ ଧରାଛୁଆଁ ଦେଉନାହାନ୍ତି । (ତଥ୍ୟ)