Home General ପର୍ଯ୍ୟଟନସ୍ଥଳୀରେ ନିମ୍ନମାନର ଖାଦ୍ୟ

ପର୍ଯ୍ୟଟନସ୍ଥଳୀରେ ନିମ୍ନମାନର ଖାଦ୍ୟ

ଭୁବନେଶ୍ୱର : ରାଜ୍ୟର ପର୍ଯ୍ୟଟନସ୍ଥଳୀଗୁଡିକରେ ମଦୁଆ ଓ ଅସାମାଜିକଙ୍କୁ ରୋକିବାପାଇଁ ପୁଲିସ୍‍ ପଦକ୍ଷେପ ଆରମ୍ଭ କରିଥିବାବେଳେ ସ୍ଥାନୀୟ ବ୍ୟବସାୟୀମାନେ କିନ୍ତୁ ପର୍ଯ୍ୟଟକଙ୍କୁ ଲୁଟିବାରେ ଲାଗିଛନ୍ତି । ଚଢା ଦର ସହିତ ନିମ୍ନମାନର ଖାଦ୍ୟ ସାମଗ୍ରୀ ବି ବିକ୍ରି କରୁଛନ୍ତି ।

ନୂଆବର୍ଷ ଅବସରରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଏବେ ଲୋକଙ୍କୁ ସୁଅ ଛୁଟିବାରେ ଲାଗିଛି । ରାଜ୍ୟ ଭିତର ଓ ବାହାରର ପର୍ଯ୍ୟଟକମାନେ ସପରିବାର ପର୍ଯ୍ୟଟନସ୍ଥଳୀ ବୁଲୁଛନ୍ତି । କେତେକ ସ୍ଥାନରେ ବଣଭୋଜିର ଆୟୋଜନ ହେଉଥିବାବେଳେ ଆଉ କେତେକ ସ୍ଥାନରେ ପର୍ଯ୍ୟଟକମାନେ ସ୍ଥାନୀୟ ହୋଟେଲ ଓ ଖାଇବା ଦୋକାନଗୁଡିକ ଉପରେ ନିର୍ଭର କରୁଛନ୍ତି ।

ତେବେ ପର୍ଯ୍ୟଟନସ୍ଥଳୀଗୁଡିକ ନିକଟରେ ଥିବା ହୋଟେଲଗୁଡିକ ଏବେ ନିମ୍ନମାନର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା ଅଭିଯୋଗ ହେଉଛି । ଜଳଖିଆ ଠାରୁ ଆରମ୍ଭକରି ମିଲ୍‍ ପର୍ଯ୍ୟନ୍ତ ଖାଦ୍ୟର ମାନ ପରଖିବାକୁ କେହି ନଥିବାରୁ ସେମାନେ ମନଇଚ୍ଛା ଖାଦ୍ୟ ପ୍ରସ୍ତୁତ ସହିତ ଦର ବି କଷୁଛନ୍ତି । ଏପରିକି କେତେକ ଦେବପୀଠରେ ବି ଅନୁରୂପ ଅବସ୍ଥା । ପର୍ଯ୍ୟଟକମାନେ ଭୋକରେ ଆଉଟୁପାଉଟୁ ହେଉଥିବାବେଳେ ମଉକା ଦେଖି ବ୍ୟବସାୟୀମାନେ ଟଙ୍କା ରୋଜଗାରେ ବ୍ୟସ୍ତ ରହୁଛନ୍ତି ।

ସେହିଭଳି ପର୍ଯ୍ୟଟନସ୍ଥଳୀଗୁଡିକ ନିକଟରେ ଥିବା ଦୋକାନଗୁଡିକରେ ସାମଗ୍ରୀର ଦର ହଠାତ୍‍ ବଢିଯାଇଛି । ଏପରିକି ମୃଦୁପାନୀୟ ଓ ଅନ୍ୟାନ୍ୟ ପ୍ୟାକେଟ୍‍ ସାମଗ୍ରୀରେ ଯେତିକ ଦର ଲେଖାଯାଇଛି ବ୍ୟବସାୟୀମାନେ ତାହାଠାରୁ ଅଧିକ ଦର କଷୁଛନ୍ତି । ପଚାରିଲେ ଉତ୍ତର ମିଳୁଛି, ବହୁ ଦୂରରୁ ଆଣିବାକୁ ପଡୁଥିବାରୁ ଅଧିକ ପଇସା ନେଉଛୁ ।

ବର୍ତ୍ତମାନ ପର୍ଯ୍ୟଟନସ୍ଥଳୀ ଓ ଏହାର ଆଖପାଖରେ ନିଶାଡି ଓ ଅସାମାଜିକମାନଙ୍କୁ ନିୟନ୍ତ୍ରଣ ପାଇଁ ପୁଲିସ୍‍ ମୁତୟନ ସହିତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ୍‍ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ପର୍ଯ୍ୟଟନସ୍ଥଳୀଗୁଡିକ ଯେଭଳି ପଲିଥିନ୍‍ ମୁକ୍ତ ହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜିଲ୍ଲା ପ୍ରଶାସନକୁ କହିଥିବାବେଳେ ଦୁର୍ଘଟଣା ରୋକିବାପାଇଁ ପର୍ଯ୍ୟଟନସ୍ଥଳୀଗୁଡିକୁ ଯାତାୟତ କରୁଥିବା ଯାନବାହାନ ଓ ଏହାର ଚାଳକଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପରିବହନ ବିଭାଗ ନିଜ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ।

ହେଲେ ପର୍ଯ୍ୟଟନସ୍ଥଳୀରେ ଖାଦ୍ୟର ମାନ ଯାଞ୍ଚ କରିବା କିମ୍ବା ଦରଦାମ ଉପରେ ନଜର ରଖିବାପାଇଁ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ କିମ୍ବା ଖାଦ୍ୟ ନିରୀକ୍ଷକମାନେ ମଧ୍ୟ ନିଜ ଆଡୁ ସେଭଳି କୌଣସି ଯାଞ୍ଚ ଆରମ୍ଭ କରିନାହାନ୍ତି । ତେଣୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ସରକାର ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି ।

ସେହିଭଳି ସମସ୍ତ ପର୍ଯ୍ୟଟନସ୍ଥଳୀରେ ମାତାଲ ଓ ଅସାମାଜିକଙ୍କୁ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ପୁଲିସ୍‍ ମୁତୟନ କରିବା ସହଜ ହୋଇନଥିବାରୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଆଖପାଖରେ ଥିବା ମଦଦୋକାନଗୁଡିକୁ କିଛି ଦିନ ପାଇଁ ବନ୍ଦ ରଖିବାକୁ ସମାଜସେବୀମାନେ ମତ ଦେଉଛନ୍ତି । ଏହାଦ୍ୱାରା ନିଶାଡିଙ୍କ ଉତ୍ପାତକୁ ବହୁ ପରିମାଣରେ ରୋକଯାଇ ପାରନ୍ତା । (ତଥ୍ୟ)