Home News in Odia ପର୍ଯ୍ୟଟନର ବିକାଶ ପାଇଁ ପରାମର୍ଶ

ପର୍ଯ୍ୟଟନର ବିକାଶ ପାଇଁ ପରାମର୍ଶ

ଭୁବନେଶ୍ୱର : ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ‘ଥିଙ୍କ ଇଣ୍ଡିଆ, ଥିଙ୍କ ଓଡିଶା’ ଆଭିମୁଖ୍ୟରେ କାମ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରୀୟ  କରିବା ପାଇଁ ଆଜି ସଚିବ ସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଆଲୋଚନା କରିଥିଲେ। ଏଦିଗରେ ସେ ସମସ୍ତଙ୍କ ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି। ବିଦେଶରୁ ପର୍ଯ୍ୟଟକମାନେ ଭାରତକୁ ଆସିଲେ ଯେପରି  ସେମାନେ ଓଡ଼ିଶାକୁ ପ୍ରଥମ ପସନ୍ଦର ସ୍ଥାନ ଭାବେ ବାଛିବେ, ସେଥିପାଇଁ  ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ  ଆକର୍ଷଣୀୟ ଓ ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଥିଲେ।

ଆଜି ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରୁ ଜଣାପଡିଛି ଯେ, ମାର୍ଚ୍ଚ ୨୦୨୬ ଶେଷ ସୁଦ୍ଧା ୨୦୨୫-୨୬ ଆର୍ଥିକ ବର୍ଷରେ ବଜେଟ୍ ଅନୁମୋଦନ ଅନୁସାରେ ସାମଗ୍ରିକ ବ୍ୟୟ ପୂର୍ବ ବର୍ଷ ଏହି ସମୟ ତୁଳନାରେ ୮.୮ ପ୍ରତିଶତ ବୃଦ୍ଧି ପାଇଛି। ସେହିଭଳି କାର୍ଯ୍ୟକ୍ରମ ବାବଦକୁ ବ୍ୟୟ ସାମଗ୍ରିକ ଭାବେ ୧୦ ପ୍ରତିଶତ ବୃଦ୍ଧି ଘଟିଛି। କୃଷି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ସାମଗ୍ରିକ ଭାବେ ୧୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ  ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ସାମଗ୍ରିକ ଭାବେ ଗତ ବର୍ଷ ତୁଳନାରେ ବ୍ୟୟ ଅଭିବୃଦ୍ଧି ଘଟିଛି। ରାଜ୍ୟର ନିଜସ୍ୱ ଆୟ, ଅଣ ଟିକସ, କେନ୍ଦ୍ରୀୟ କର ବାବଦକୁ ରାଜ୍ୟର ଅଂଶ ବାବଦକୁ ଅନୁଦାନକୁ ମିଶାଇ ସାମଗ୍ରିକ ଭାବେ ରାଜସ୍ୱ ଆଦାୟ ୮୩.୪୨ ପ୍ରତିଶତ ହୋଇଛି। 

ଚଳିତ ଆର୍ଥିକ ବର୍ଷ ବଜେଟ୍ ୨୦୨୬-୨୭ ପରିପ୍ରେକ୍ଷୀରେ ପ୍ରତି ୧୫ ଦିନରେ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ରହୁଥିବା ବିଭିନ୍ନ ସମସ୍ୟା ଓ ସମାଧାନ ସଂପର୍କରେ ସମୀକ୍ଷା କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ବିଭାଗରେ ଚାଲୁ ରହିଥିବା ପ୍ରାୟ ଏକ ପ୍ରକାର ଯୋଜନାକୁ ସଂଗଠିତ କରି  ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ ଦିଆଯାଇଛି। ବୈଠକରେ ୨୦୩୬ ବିକଶିତ ଓଡ଼ିଶା ଏବଂ  ଓ ୨୦୪୭  ବିକଶିତ ଭାରତ ଆଭିମୁଖ୍ୟକୁ ଲକ୍ଷ୍ୟ ରଖି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବିଭାଗୀୟ କମିଶନର ତଥା ଶାସନ ସଚିବ ବଲଓ୍ୱନ୍ତ ସିଂ ଏକ ପ୍ରସ୍ତାବ ରଖିଥିଲେ।

ସାଧନା ସପ୍ତାହ-୨୦୨୬ ଅବସରରେ ମିଶନ କର୍ମଯୋଗୀ ଅଧିନରେ ନିଜ ନିଜ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ସପ୍ତାହରେ ଅନ୍ତତଃ ଗୋଟିଏ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ପାଠ୍ୟକ୍ରମ ଓ ଗୋଟିଏ ଆଇ-ଗଟ୍(ଆଇ-ଜିଓଟି) ଅନୁମୋଦିତ ଉପଲବ୍ଧ ମାର୍କେଟପ୍ଲସ ପାଠ୍ୟକ୍ରମ ପ୍ରଶିକ୍ଷଣ ପାଇଁ ବାଧ୍ୟତାମୂଳକ  କରାଯାଇଛି ଏବଂ ସପ୍ତାହରେ ୪ଟି ଘଣ୍ଟାର ପାଠ୍ୟକ୍ରମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।