ଭୁବନେଶ୍ୱର : ସପ୍ତାହକ ଭିତରେ ମହାମାରୀ କରୋନା ପୁଣି ତାହାର କରାଳ କାୟା ଓଡିଶା ସମେତ ସମଗ୍ର ଦେଶରେ ବିସ୍ତାର କରି ଚାଲିଥିବାବେଳେ ପବିତ୍ର ରଥଯାତ୍ରା, ରଜ ମହୋତ୍ସବ ଓ ଅନ୍ୟାନ୍ୟ ପର୍ବ ପର୍ବାଣିରେ ବିପୁଳ ଜନସମାଗମ ହେବାର ସମ୍ଭାବନା ଥିବାରୁ ସ୍ୱାସ୍ଥ୍ୟ ବିଶାରଦମାନେ ଚିନ୍ତିତ ।
ଅବଶ୍ୟ ଏଯାବତ୍ ଓଡିଶାରେ କରୋନା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରିତ ରହିଛି । କିଛିଦିନ ଭିତରେ ରାଜ୍ୟରେ ୪୨ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ସାରା ଦେଶରେ ୭ହଜାରରୁ ଉର୍ଦ୍ଧ୍ୱ କୋଭିଡ ସଂକ୍ରମିତ ବ୍ୟକ୍ତି ଚିହ୍ନିତ ହୋଇଛନ୍ତି । ଏମିତିକି ଇତି ମଧ୍ୟରେ କରୋନା ଦେଶରେ ତିନିଜଣଙ୍କ ଜୀବନ ନେଇସାରିଥିବା ସରକାରୀ ଭାବେ କୁହାଯାଉଛି । ତେବେ ଗତଥର ଭଳି କୋଭିଡ ଭୂତାଣୁ ପରୀକ୍ଷା ଏପର୍ଯ୍ୟନ୍ତ ବ୍ୟାପକ ଭାବେ ହୋଇନଥିବାରୁ ଚିହ୍ନଟ ହୋଇନଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହୋଇପାରେ ।
ଇତି ମଧ୍ୟରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଭାରପ୍ରାପ୍ତ ଅଧିକାରୀମାନେ ଗଣମାଧ୍ୟମରେ ସାଧାରଣ ଲୋକଙ୍କୁ ବାରମ୍ବାର ସଚେତନ କରୁଛନ୍ତି । ସମସ୍ତେ ମାସ୍କ ପିନ୍ଧିବା ଓ ଗହଳି ସ୍ଥାନକୁ ନଯିବା ଲାଗି କୁହାଯାଉଛି । ଗତଥର ଭଳି ମଧ୍ୟ ହାତ ଧୋଇବାପାଇଁ କେହି କେହି ପରାମର୍ଶ ଦେଉଛନ୍ତି । ଏମିତିକି ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ହେଲେ କେନ୍ଦ୍ରମନ୍ତ୍ରୀମାନଙ୍କର ବି କରୋନା ପରୀକ୍ଷା କରିବାକୁ ପଡୁଛି ।
ନିକଟରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନଙ୍କ ସ୍ନାନଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏବେ ଜ୍ୱରାକ୍ରାନ୍ତ ଶ୍ରୀଜୀଉମାନଙ୍କ ବିଗ୍ରହ ସବୁ ଶ୍ରୀମନ୍ଦିରର ଅଣସର ଘର ଭିତରେ ପରମ୍ପରା ଅନୁଯାୟୀ ଚିକିତ୍ସିତ ହେଉଛନ୍ତି । ସ୍ନାନପୂର୍ଣ୍ଣିମାରେ ଭିଡ ନଜମାଇବାପାଇଁ ପ୍ରଶାସନର ବାରମ୍ବାର ତାଗିଦ ସତ୍ୱେ ରାଜନେତା, ପ୍ରଶାସକଙ୍କ ସମେତ ଲକ୍ଷାଧିକ ଶ୍ରଦ୍ଧାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସି ପୁରୀରେ ସମବେତ ହୋଇଥିଲେ । ଏମାନଙ୍କ ଭିତରୁ ଏହି ପର୍ବ ପୂର୍ବରୁ ଓ ପରେ କାହାର କରୋନା ପରୀକ୍ଷା ପୁରୀରେ କରାଯାଇନାହିଁ । ଏବେ କରୋନା ଯେଭଳି ସାରା ଦେଶରେ ବଢିବାରେ ଲାଗିଛି ସେଥିରୁ ରଥଯାତ୍ରା ବେଳକୁ ପ୍ରତିଷେଧାତ୍ମକ ପଦକ୍ଷେପ ନିଆନଗଲେ ଅବସ୍ଥା ବିଗିଡିପାରେ ।
ଏହାକୁ ଆଖିଆଗରେ ରଖି ଜନସାଧାରଣଙ୍କ ସ୍ୱାସ୍ଥ୍ୟରକ୍ଷା ଦୃଷ୍ଟିରୁ ଭିଡ କମାଇବାପାଇଁ କୁାହାଯାଉଛି । ଅଥଚ ଏହି ସରକାରୀ ଉପଦେଶକୁ ସାଧାରଣ ଲୋକେ ତ ଦୂରରକଥା ସରକାରୀ ବାବୁମାନେ ବି ଖାତିର କରୁନାହାନ୍ତି । କେବଳ ଶ୍ରୀକ୍ଷେତ୍ର ପୁରୀରେ ନୁହେଁ, ଓଡିଶାର କୋଣ ଅନୁକୋଣ ସମେତ ଦେଶ ବିଦେଶରେ ମଧ୍ୟ ରଥଯାତ୍ରା ଉତ୍ସବ ପାଳନ କରାଯାଏ । ଏହା ଯେଭଳି ଶାନ୍ତି ଶୃଙ୍ଖଳାର ସହିତ କୋଭିଡମୁକ୍ତ ହୋଇପାରିବ ତାହା ଉପରେ ସମସ୍ତଙ୍କ ନଜର । ବିଶେଷକରି ଲୋକେ କିଭଳି ନିଜ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାଇ କରୋନା ଠାରୁ ଦୂରରେ ରହିବେ, ଅନ୍ତତଃ ପକ୍ଷେ ବିଗତ ବର୍ଷର ଭୟଙ୍କର କରେନା ମହାମାରୀରୁ ଶିକ୍ଷା କରିବା ଉଚିତ୍ ବୋଲି ସ୍ୱାସ୍ଥ୍ୟ ବିଜ୍ଞାନୀମାନେ କହୁଛନ୍ତି । (ତଥ୍ୟ)