ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଥିବାବେଳେ ଏହାର ପରୀକ୍ଷା ରିପୋର୍ଟକୁ ନେଇ ଲୋକେ ହଲାପଟା ହେଉଛନ୍ତି । ଜ୍ୱର ଆସିବାମାତ୍ରେ ଡେଙ୍ଗୁ ସମେତ ରକ୍ତରେ ଥିବା ପାଟ୍ଲେଟ୍ର ପରିମାଣ ଜାଣିବାକୁ କରୁଥିବା ପରୀକ୍ଷାରୁ ଭିନ୍ନ ଭିନ୍ନ ରିପୋର୍ଟ ଆସିବାରୁ ଲୋକେ ଛାନିଆ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି ।
ରାଜଧାନୀରେ ଏବେ ପ୍ରାୟ ସବୁ ଅଞ୍ଚଳରେ ଡେଙ୍ଗୁ ରୋଗୀ ବାହାରୁଛନ୍ତି । ସରକାରୀ ଡାକ୍ତରଖାନାରେ ପ୍ରାୟତଃ ଡେଙ୍ଗୁ ରୋଗୀଙ୍କୁ ଭର୍ତ୍ତି କରିବାପାଇଁ ଆଉ ସ୍ଥାନ ନାହିଁ । ତେଣୁ ଯେଉଁମାନେ ସେଠାକୁ ଚିକିତ୍ସା ପାଇଁ ଯାଉଛନ୍ତି ଓ ନିଜର କମ୍ ପାଟ୍ଲେଟ୍ ଥିବା ରିପୋର୍ଟ ଦେଖାଉଛନ୍ତି ସେମାନଙ୍କୁ ତୁରନ୍ତ ଅନ୍ୟ କୌଣସି ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି ।
ତେବେ ସହରରେ ଥିବା ଘରୋଇ ନିଦାନ କେନ୍ଦ୍ର ଗୁଡିକରେ ଏଭଳି ଭିନ୍ନ ଭିନ୍ନ ରିପୋର୍ଟ ଆସୁଛି । ଏପରିକି ଜଣେ ଡେଙ୍ଗୁ ଆକ୍ରାନ୍ତ ଯଦି ଅଧିକ ସତର୍କ ହୋଇ ଦୁଇ ତିନିଟି ସ୍ଥାନରେ ଗୋଟିଏ ରକ୍ତ ନମୂନାକୁ ଦେଉଛନ୍ତି ତେବେ ପାଟ୍ଲେଟ୍ର ମାତ୍ରା ଭିନ୍ନ ଭିନ୍ନ ଆସୁଛନ୍ତି । ଏପରିକି ଗୋଟିଏ ରିପୋର୍ଟ ଠାରୁ ଆଉ ଗୋଟିଏ ରିପୋର୍ଟ ମଧ୍ୟରେ ୫ରୁ ୧୦ହଜାର ପର୍ଯ୍ୟନ୍ତ ପାର୍ଥକ୍ୟ ରହୁଛି । ରୋଗୀଟି ଯାଇ ଯେଉଁ ଡାକ୍ତରଖାନାରେ ଭର୍ତ୍ତି ହେଉଛି ସେଠାରେ ଆଉଥରେ ପରୀକ୍ଷା ସମୟରେ ମଧ୍ୟ ଆଉ ଗୋଟିଏ ପ୍ରକାର ରିପୋର୍ଟ ଆସୁଛି ।
ସହରର ନିଦାନ କେନ୍ଦ୍ରଗୁଡିକରେ ଗୋଟିଏ ନମୂନାରୁ ଏଭଳି ଭିନ୍ନ ଭିନ୍ନ ରିପୋର୍ଟ ଆସିବା ଓ ଏହାକୁ ନେଇ ଲୋକେ ଆତଙ୍କିତ ହୋଇ ଘରୋଇ ଡାକ୍ତରଖାନାକୁ ଖର୍ଚ୍ଚାନ୍ତ ହେବା ଏବେ ଗୁରୁତର ସମସ୍ୟା ସୃଷ୍ଟି କଲାଣି । ତେଣୁ ତୁରନ୍ତ ଏଭଳି ନିଦାନ କେନ୍ଦ୍ରଗୁଡିକୁ ଯାଞ୍ଚ କରିବା ସହିତ ରକ୍ତ ପରୀକ୍ଷା ନେଇ ଲୋକଙ୍କୁ ସଚେତନ କରିବାକୁ ମତପ୍ରକାଶ ପାଉଛି । ଏହା ହେଲେ ଘରୋଇ ଡାକ୍ତରଖାନା ରିପୋର୍ଟ ଦେଖି ଲୋକେ ଯେଭଳି ଛାନିଆ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଦଉଡୁଛନ୍ତି ତାହା ହ୍ରାସ ପାଇବ । ଏହାଛଡା ଘରୋଇ ଡାକ୍ତରଖାନାଗୁଡିକ ଯେଭଳି ଲୋକଙ୍କ ପକେଟ ଖାଲି କରୁଛନ୍ତି ସେଥିରେ ମଧ୍ୟ ବିରାମ ଲାଗିବ ।
କେବଳ ରକ୍ତ ପରୀକ୍ଷା ରିପୋର୍ଟ ଯୋଗୁଁ ଲୋକେ ଡାକ୍ତରଖାନାକୁ ଦଉଡୁଛନ୍ତି ତାହା ନୁହେଁ, ଅନେକ ଡେଙ୍ଗୁ ଆକ୍ରାନ୍ତ ବି ମନଇଚ୍ଛା ଆଣ୍ଟିବାୟୋଟିକ, ଭିଟାମିନ୍ ଓ ଅନ୍ୟାନ୍ୟ ଔଷଧ ସେବନ କରିବାରେ ଲାଗିଛନ୍ତି । ବିଶେଷକରି ଯେଉଁ ନିଦାନକେନ୍ଦ୍ରଗୁଡିକ ରକ୍ତ ପରୀକ୍ଷା ରିପୋର୍ଟ ଦେଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ବାହାରୁ ଔଷଧ କିଣି ଖାଇବାପାଇଁ ବି ପରାମର୍ଶ ଦେଉଛନ୍ତି । ଏହାଦ୍ୱାରା ସାଧାରଣ ଜ୍ୱର ରୋଗୀ ବି ଛାନିଆରେ ଆବଶ୍ୟକ ନଥାଇ ଡେଙ୍ଗୁରୁ ରକ୍ଷା ପାଇବାପାଇଁ ଏକାଧିକ ଔଷଧ ଖାଉଛି ଏ ବାବଦରେ ଖର୍ଚ୍ଚାନ୍ତ ବି ହେଉଛି । ତେଣୁ ଡେଙ୍ଗୁ ଆକ୍ରାନ୍ତମାନେ କିଭଳି ସଠିକ୍ ରିପୋର୍ଟ ପାଇବେ ସେ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)