ଭୁବନେଶ୍ୱର : ଲୋକସଭା ସହ ଓଡିଶା ବିଧାନସଭା ପାଇଁ ହେବାକୁ ଥିବା ନିର୍ବାଚନ ଯୋଗୁଁ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଠପଢାକୁ ଓ ପରୀକ୍ଷାକୁ ବିଶେଷ ଭାବେ ପ୍ରଭାବିତ କରିବ । ଏଥିଘେନି ଅଭିଭାବକ, ଶିକ୍ଷକ ଓ ଶିକ୍ଷାବିତ୍ମାନେ ଚିନ୍ତିତ ଥିବାବେଳେ ରାଜନୈତିକ ଦଳମାନେ କିନ୍ତୁ ବେଫିକର ।
ନିର୍ବାଚନ ପାଇଁ କମିଶନଙ୍କ ପକ୍ଷରୁ ଯେଭଳି ଓଡିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରସ୍ତୁତି ପର୍ବ ଚାଲୁଛି ସେଥିରୁ ଆସନ୍ତା ଫେବୃୟାରୀ ମାସରେ ଯେକୌଣସି ଦିନ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବାର ସମ୍ଭାବନା ରହିଛି । ଏହାକୁ ଆଖିଆଗରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ୨୦୨୪-୨୫ ଆର୍ଥିକ ବର୍ଷପାଇଁ କାମଚଳା ବଜେଟ୍ ପ୍ରସ୍ତୁତି କାମରେ ଲାଗିପଡିଛନ୍ତି । ଅନ୍ୟ ପକ୍ଷରେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକର ଯୁବ ଭୋଟରମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାଲାଗି ବିଭିନ୍ନ ଦଳ ମଧ୍ୟ ଉଦ୍ୟମ ଚଳାଇଛନ୍ତି ।
ପୂର୍ବରୁ ଛାତ୍ରଛାତ୍ରୀମାନେ ନାମାଙ୍କନବେଳେ ଦେଉଥିବା ଅର୍ଥରେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକର ବିଭିନ୍ନ ସାଂସ୍କୃତିକ, କ୍ରୀଡା ଆଦି କାର୍ଯ୍ୟକ୍ରମ ହେଉଥିଲା । ଚଳିତବର୍ଷ ପ୍ରଥମଥର ପାଇଁ ଓଡିଶା ସରକାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକୁ ଏଥିପାଇଁ ପ୍ରଚୁର ଅର୍ଥ ଯୋଗାଇଦେବା ଫଳରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ଭୋଜିଭାତ ଓ ଗୀତନାଚର ଆସର ଢେର ଜମୁଛି । ଏହାଛଡା ଉଚ୍ଚଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନଙ୍କୁ ବସ୍ଯୋଗେ ଆଣି ଜିଲ୍ଲା ସ୍ତରରେ ସରକାରୀ କାର୍ଯ୍ୟକ୍ରମ ‘ନୂଆ-ଓ’ କରାଯାଉଥିବାରୁ ପିଲାମାନେ ପାଠପଢା ପରିବର୍ତ୍ତେ ଏଥିରେ ବେଶି ମାତିଛନ୍ତି ।
ଏହି କାର୍ଯ୍ୟକ୍ରମଗୁଡିକରେ ଛାତ୍ରଚାତ୍ରୀମାନଙ୍କୁ ସ୍ୱାଦିଷ୍ଟ ଖାଦ୍ୟପେୟ ସହ ଆକର୍ଷଣୀୟ ମନୋରଞ୍ଜନ କାର୍ଯ୍ୟକ୍ରମରେ ଆପ୍ୟାୟିତ କରାଯିବା ସଂଗେ ସଂଗେ ଦାମୀ ଟି-ସାର୍ଟ ଓ ଟୋପି ଇତ୍ୟାଦି ମିଳୁଛି । ନୂଆ-ଓ କାର୍ଯ୍ୟକ୍ରମ ସରିବା ପୂର୍ବରୁ ନୂଆ ଭୋଟରଙ୍କୁ ସଚେତନ ସହିତ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ପାଇଁ ବି ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ଉତ୍ସବ ମୁଖର । ଏହାଛଡା ଶ୍ରୀମନ୍ଦିର ପରିକ୍ରମା, ଅଯୋଧ୍ୟାର ରାମମନ୍ଦିର ଉଦ୍ଘାଟନ, ସମ୍ବଲପୁରର ସମଲାଇ ପ୍ରକଳ୍ପର ଲୋକାର୍ପଣ ଆଦି ପାଇଁ ବି ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି କରାଯାଉଛି ।
କେତେକ ସ୍ଥଳରେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା କାର୍ଯ୍ୟକ୍ରମକୁ ଏସବୁ ପାଇଁ ମଧ୍ୟ ସ୍ଥଗିତ ରଖାଯାଉଛି । କ୍ୟାମ୍ପସର ପିଲାମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବାଲାଗି ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଭିଡ ଜମାଉଛନ୍ତି । ଏ ପରିପ୍ରେକ୍ଷୀରେ ଶିକ୍ଷାନୁଷ୍ଠାନଗୁଡିକରେ ଶୈଖିକ ବାତାବରଣ ନଷ୍ଟହେବା ସହିତ ପରୀକ୍ଷାପାଇଁ ଛାତ୍ରଛାତ୍ରୀମାନେ ଯେଭଳି ପ୍ରସ୍ତୁତ ହେବାକଥା ତାହା ହୋଇପାରୁ ନାହିଁ ।
ନିର୍ବାଚନ ତାରିଖ ଘୋଷଣା ହେବାପରେ ମାଟ୍ରିକ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷାର କାର୍ଯ୍ୟସୂଚୀ ବଦଳିବାର ସମ୍ଭାବନାକୁ ଶିକ୍ଷକମାନେ ଏଡାଇ ଦେଇପାରୁ ନାହାନ୍ତି । ଯଦି ଫେବୃୟାରୀ ମାସରେ ନିର୍ବାଚନ ତାରିଖ ଘୋଷଣା ହୁଏ ତେବେ ସଭା, ସମିତି, ଶୋଭାଯାତ୍ରା ଓ ପ୍ରଚାର ଅଭିଯାନ ଏତେ ବଢିଯିବ ଯେ ଘରେ ବସି ବି ପିଲାମାନେ ପରୀକ୍ଷାପାଇଁ ପ୍ରସ୍ତୁତ ହେବା କଷ୍ଟକର ହୋଇପଡିବ । ଅନେକ ଶିକ୍ଷକ, ଅଭିଭାବକ ଓ ଶିକ୍ଷାବିତ୍ କହୁଛନ୍ତି ଯେ ଏଥର ନିର୍ବାଚନ ପରୀକ୍ଷାର୍ଥୀମାନଙ୍କ ପାଇଁ ବରଦାନ ବଦଳରେ ଅଭିଶାପ ହୋଇପାରେ । ଏଥିଘେନି ବିଭିନ୍ନ ମହଲରେ ଚିନ୍ତାବ୍ୟକ୍ତ କରାଯାଉଥିଲେ ମଧ୍ୟ ରାଜ୍ୟରେ ଯେଭଳି ବିଭିନ୍ନ ଦଳର ନେତାମାନଙ୍କ ସୁଅ ଛୁଟୁଛି ତାହା ଆଗାମୀ ଦିନରେ ପରିସ୍ଥିତିକୁ ଅଧିକ ବିଗାଡିପାରେ । (ତଥ୍ୟ)