ଭୁବନେଶ୍ୱର : କନଜରଭେନ୍ସିରେ ପରିବା ହାଟ ହେବା ନେଇ ବିଏମ୍ସି ସୂଚନା ଦେବାପରେ ଏବେ ଜବରଦଖଲକାରୀମାନେ ସଜବାଜ ହେଲେଣି । ପରିବା ଦୋକାନ ନାଁରେ କନଜରଭେନ୍ସି ଦଖଲ କରି ସେଠାରେ କିଭଳି ଘରଟିଏ କରିବେ ସେଥିପାଇଁ ପ୍ରସ୍ତୁତି ଚଳାଇଲେଣି ।
ସରକାରୀ କ୍ୱାଟର୍ସ ସମେତ ଘରୋଇ ପ୍ଲଟ ମଝିରେ ଥିବା ସ୍ଥାନ ହେଉଛି କନଜରଭେନ୍ସି । ଏହି ସ୍ଥାନଟିକୁ ଦୁଇପଟ ଘର ପାଇଁ ସ୍ୱରେଜ ପାଇପ୍ ଲାଇନ୍ ବିଛାଇବା ପାଇଁ ରଖାଯାଇଥିଲା । ପୂର୍ବରୁ ଏହି ସ୍ଥାନରେ ପାନୀୟଜଳ ପାଇପ୍ ବିଛା ଯାଇଥିବାବେଳେ ଏବେ ତାହା ଘର ଆଗପଟକୁ ଆସିଛି । ତେବେ ସ୍ୱରେଜ ଲାଇନ୍ ବିଛାଯାଇଥିବା ଏହି ସ୍ଥାନଟି ପୂର୍ବରୁ ଅନାବନା ଗଚ୍ଛରେ ପରିପୂର୍ଣ୍ଣ ହୋଇ ମଶାବଣ ପାଲଟିଥିବାବେଳେ ନିକଟରେ ବିଏମ୍ସି ପକ୍ଷରୁ ତାହାକୁ ସଫା କରାଯାଇ ଟାଇଲ୍ ବିଛାଯାଇଛି ।
ଟାଇଲ୍ ବିଛାଯିବା ପୂର୍ବରୁ ଏବଂ ପରେ କେତେକ ସ୍ଥାନରେ ମାଫିଆମାନେ କନଜରଭେନ୍ସିକୁ ଜବରଦଖଲ କରି ସେଠାରେ ଘର ତିଆରି କରିଛନ୍ତି । ଏହି ଘରକୁ ଭଡା ଲଗାଇ ବେଶ୍ ମୋଟା ଅଙ୍କର ପଇସା ଆଦାୟ କରୁଛନ୍ତି । ଏହି ବେଆଇନ୍ ଘରକୁ ବିଜୁଳି ପାଣି ସଂଯୋଗ ବି ମିଳିଯାଇଛି । ତେଣୁ ଏହା ସହଜରେ ଭଡା ଲାଗିଯାଉଥିବାବେଳେ ବିଏମ୍ସି, ବିଡିଏ ଓ ସାଧାରଣ ପ୍ରଶାସନ କର୍ତ୍ତୃପକ୍ଷ ଏହାକୁ ଉଚ୍ଛେଦ କରିପାରୁ ନାହାନ୍ତି ।
ଟାଇଲ୍ ବିଛା ପରେ ମାଫିଆମାନେ କନଜରଭେନ୍ସି ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି । କେତେକ ସ୍ଥାନରେ ବର୍ଗଫୁଟ ପିଛା ଏହାକୁ ବିକ୍ରି କରି ଦେଉଛନ୍ତି । ତେବେ ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ଭୟରେ ଏହାକୁ ଜବରଦଖଲ କରିବାକୁ ପଛଉଥିବାବେଳେ ଏବେ ବିଏମ୍ସିର ସଙ୍କେତ ପାଇଁ ସେଠାରେ ପରିବା ହାଟ କରିବାକୁ ସଜବାଜ ହେଲେଣି । ଥରେ ପରିବା ଦୋକାନଟିଏ କରିଦେଲେ ଏମାନଙ୍କୁ ସେଠାରୁ ହଟାଇବା ଖୋଦ ବିଏମସି ପକ୍ଷରେ ଆଉ ସହଜ ହେବନାହିଁ ।
ସରକାରୀ କ୍ୱାଟର୍ସ ଓ ଘର ଆଖପାଖରେ ଖାଲିଥିବା ସ୍ଥାନରେ ଭେଣ୍ଡିଂ ଜୋନ୍ କରି ସେଠାରେ ଦୋକାନ ଖୋଲିବା ବଦଳରେ ପାଇଖାନା ଟାଙ୍କି ନିକଟରେ ଓ ଲୋକଙ୍କ ବାଡିପଟେ ପରିବା ହାଟ ଖୋଲିବାକୁ ବିଏମ୍ସିର ନିଷ୍ପତ୍ତି ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ପରିବା ସମେତ ଅନ୍ୟାନ୍ୟ ବ୍ୟବସାୟୀ ସେଠାରେ ବସିଲେ ଓ ଶହ ଶହ ଲୋକ ସେଠାରେ ଜମାହେଲେ ସେମାନଙ୍କ କୋଳାହଳରେ ପିଲାଏ ପାଠ ଟିକେ ପଢିପାରିବେ ନାହିଁ ବୋଲି ଅନେକ ବ୍ୟକ୍ତି ମତ ଦେଉଛନ୍ତି ।
ତେବେ ରାଜଧାନୀରେ ରାସ୍ତାକଡ, ଖାଲି ଥିବା ସ୍ଥାନ, ଗଳି କନ୍ଦି ଆଦିକୁ ଜବରଦଖଲ କରିଥିବା ମାଫିଆମାନେ ଏବେ ବିଏମ୍ସିର ପରିବା ହାଟ ନିଷ୍ପତ୍ତିରେ ଉତ୍ସାହିତ ଅଛନ୍ତି । ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ସେମାନଙ୍କ ରୋଜଗାର ବଢିଯିବ ବୋଲି ଏବେ ଠାରୁ ଆକଳନ କରୁଛନ୍ତି । ତେଣୁ ଲୋକଙ୍କ ଘର ପଛପଟେ ପାଇଖାନା ଟାଙ୍କି କଡରେ ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରିବା ପୂର୍ବରୁ ବିଏମ୍ସି ଏ ସଂକ୍ରାନ୍ତରେ ଭଲଭାବେ ଚିନ୍ତା କରିବା ଆବଶ୍ୟକ ବୋଲି କନଜରଭେନ୍ସି କଡରେ ବସବାସ କରୁଥିବା ଅନେକ ବ୍ୟକ୍ତି ମତ ଦେଉଛନ୍ତି । (ତଥ୍ୟ)