ଭୁବନେଶ୍ୱର : ରାଜଧାନୀରୁ ବାହାରୁଥିବା ପରିବା ବର୍ଜ୍ୟରୁ ଉତ୍ପାଦନ ହେବ ସିଏନ୍ ଜି । ଏଥିପାଇଁ ନେକ୍ସବ୍ୟାଣ୍ଡ ରିନ୍ୟୁୟେବଲ୍ସ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି ବିଏମ୍ ସି ।
ଏହି ଅବସରରେ ବିଏମ୍ ସି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନନୀୟା ମେୟର ସୁଲୋଚନା ଦାସ, ବିଏମ୍ ସି କମିଶନର ଚଞ୍ଚଳ ରାଣା, ଅତିରିକ୍ତ କମିଶନର କୈଳାସଚନ୍ଦ୍ର ଦାସ, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାରଙ୍କ ସହ ବହୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା, ଅଧ୍ୟକ୍ଷ ଓ କର୍ପୋରେଟର ଉପସ୍ଥିତ ଥିବା ବେଳେ ନେକ୍ସ ବ୍ୟାଣ୍ଡ ରିନ୍ୟୁୟେବଲ୍ସର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ଓଡିଶାର ପ୍ରଥମ ସ୍ୱାୟତ୍ତ ସଂସ୍ଥାଭାବେ ନେକ୍ସବ୍ୟାଣ୍ଡ ସହିତ ଚୁକ୍ତି ସ୍ୱାକ୍ଷର କରିଛି ବିଏମ୍ ସି ।
ସୂଚନାଯୋଗ୍ୟ କି ବିଏମ୍ ସି ଅଂଚଳରେ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର (ଏମ୍ ସି ସି)ଏବଂ ମ୍ୟାରିଆଲ ରିକଭରି ଫ୍ୟାସିଲିଟ୍ (ଏମ୍ ଆର୍ ଏଫ୍) କରାଯାଇ ପୃଥକୀକୃତ ବର୍ଜ୍ୟଗୁଡିକର ପ୍ରକ୍ରିୟାକରଣ କରାଯାଉଅଛି । ତେବେ ଏହି ବର୍ଜ୍ୟକୁ ଅଧିକ ଉନ୍ନତ ଓ ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ କରି କିପରି ସେଥିରୁ ଶକ୍ତି ଉତ୍ପାଦନ କରାଯାଇ ପାରିବ ସେଥିପାଇଁ ମଧ୍ୟ ବିଏମ୍ ସି ପଦକ୍ଷେପ ନେଇଛି ।
ଭୁବନେଶ୍ୱର ନିକଟରେ ନେକ୍ସବ୍ୟାଣ୍ଡ ରିନ୍ୟୁୟେବଲ୍ସ ତରଫରୁ କରାଯାଉଥିବା କମ୍ପ୍ରେସେଡ୍ ବାୟୋଗ୍ୟାସ୍ ପ୍ଲାଣ୍ଟ ବେଗୁନିଆଠାରେ ପରିବା ବର୍ଜ୍ୟ ଏବଂ ନାପିୟର ଘାସର ଆବଶ୍ୟକତା ରହିଅଛି । ସଂପୃକ୍ତ ସଂସ୍ଥା ପରିବାବର୍ଜ୍ୟ ନେବା ପାଇଁ ଆଜି ବିଏମ୍ ସି ସହିତ ଚୁକ୍ତି ସ୍ୱାକ୍ଷରିତ କରିଛି । ଦିନକୁ ହାରାହାରି ୫୦ ମେଟ୍ରିକ ଟନ୍ ପରିବା ବର୍ଜ୍ୟ ବିଏମ୍ ସି ଅଂଚଳରୁ ଦେବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ବେଳେ ଋତୁ ଅନୁସାରେ ଏହାର ପରିମାଣରେ ଏହାର କିଛି ପରିବର୍ତ୍ତନ ହୋଇପାରେ ।
ତେବେ ସମଗ୍ର ସହରରୁ ସଂଗୃହିତ ପରିବା ବର୍ଜ୍ୟକୁ ଚିହ୍ନିତସ୍ଥାନଗୁଡିକରେ ରଖାଯିବ ଏବଂ ଉକ୍ତ ସଂସ୍ଥା ସେହିସବୁ ସ୍ଥାନରୁ ନିଜସ୍ୱ ଖର୍ଚ୍ଚରେ କମ୍ପ୍ରେସେଡ୍ ବାୟୋ ଗ୍ୟାସ୍ ପ୍ଲାଣ୍ଟକୁ ନେବ ଏବଂ ସେଥିରୁ ଶକ୍ତି ଉତ୍ପାଦନ କରିବ । ଏହା ଚୁକ୍ତି ଏକ ଅଣ-ବ୍ୟବସାୟିକ ଏବଂ ପ୍ରାଥମିକ ଭାବେ ଏକବର୍ଷ ପାଇଁ କରାଯାଇଅଛି ।
ଏହି ପଦକ୍ଷେପ ବୈଜ୍ଞାନିକ ପ୍ରକ୍ରିୟାକରଣ ପାଇଁ ଜୈବିକ ପନିପରିବା ବର୍ଜ୍ୟକୁ ସ୍ଥାନାନ୍ତର କରି ଅସ୍ଥାୟୀ ପରିବହନ ଷ୍ଟେସନ (ଟିଟିଏସ୍) ଉପରେ ବୋଝକୁ ଯଥେଷ୍ଟ ହ୍ରାସ କରିବ। ବଜାରରୁ ପରିବା ବର୍ଜ୍ୟ ସଂଗ୍ରହ ଅଧିକ ନିୟମିତ ହେବା ସହ ବଜାର ଅଂଚଳର ପରିଚ୍ଛନ୍ନତା ସାଙ୍ଗକୁ ପରିବା ବର୍ଜ୍ୟର ସଦୁପୋଯୋଗ ହୋଇପାରିବ । ଏହି ପଦକ୍ଷେପ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ ଦ୍ୱାରା ପରିବହନ ଭାର ଏବଂ ସମ୍ବନ୍ଧିତ ପରିଚାଳନାଗତ ସମସ୍ୟା ଓ ଖର୍ଚ୍ଚକୁ ମଧ୍ୟ ହ୍ରାସ କରିବ। ଅଳିଆକୁ ସ୍ୱଚ୍ଛ ଶକ୍ତି ଏବଂ ଜୈବ ସାରରେ ରୂପାନ୍ତରିତ କରାଯିବ । ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ, ସହର ପରିବେଶକୁ ସଫା ରଖିବା ଏବଂ ସ୍ଥାୟୀ ସମ୍ବଳ ବ୍ୟବହାରରେ ମଧ୍ୟ ସହାୟକ ହେବ । ସ୍ଥାୟୀ ସହରାଞ୍ଚଳ ବିକାଶକୁ ଏହା ସୁଦୃଢ଼ କରିବାରେ ସହାୟକ ହେବ ବୋଲି କୁହାଯାଇଛି ।
ଏହି ବୁଝାମଣା ପତ୍ରରେ ବିଏମ୍ ସି ପକ୍ଷରୁ କମିଶନର ଶ୍ରୀ ଚଞ୍ଚଳ ରାଣା ଏବଂ ନେକ୍ସ ବ୍ୟାଣ୍ଡ ରିନ୍ୟୁୟେବଲ୍ସ ପକ୍ଷରୁ ପରିଚାଳନା ନିର୍ଦେଶିକା ଲୋରୀ ଦାସ ସ୍ୱାକ୍ଷର କରିଛନ୍ତି ।

