Home Energy ପରିତ୍ୟକ୍ତ ଖଣିରେ ପଡିବ ତାଜପ ପାଉଁଶ

ପରିତ୍ୟକ୍ତ ଖଣିରେ ପଡିବ ତାଜପ ପାଉଁଶ

ଭୁବନେଶ୍ୱର : ତାପଜ ବିଦ୍ୟୁତ୍‍ କେନ୍ଦ୍ରରୁ ବାହାରୁଥିବା ପାଉଁଶକୁ ଖାଲି ପଡିଥିବା ଖଣିଗୁଡିକରେ ପକାଯିବ । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୨୦୧୯ ମାର୍ଗନିର୍ଦ୍ଦେଶିକା ଆଧାରରେ ଏହା କରିବାପାଇଁ ରାଜ୍ୟ ସରକାର ତିନି ଜିଲ୍ଲାର ଜିଲ୍ଲାପାଳଙ୍କୁ କହିଛନ୍ତି ।

ତାପଜ ବିଦ୍ୟୁତ୍‍ ଉତ୍ପାଦନ କରୁଥିବା ବେଦାନ୍ତ କମ୍ପାନୀ ପକ୍ଷରୁ ମିଳିଥିବା ଅନୁରୋଧକୁ ବିଚାର କରି ଇସ୍ପାତ ଓ ଖଣି ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ବିଭାଗର ସ୍ୱତନ୍ତ୍ର ସଚିବ ଏହି ମର୍ମରେ ଝାରସୁଗୁଡା, ସମ୍ବଲପୁର ଓ ସୁନ୍ଦରଗଡର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି । ଏଥିରେ କୁହାଯାଇଛି ଯେ ଯେଉଁସବୁ ଖଣିଗୁଡିକ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାର୍ଗଦର୍ଶିକା ଆଧାରରେ ସେଠାରେ ପାଉଁଶ ପକାଇବାକୁ ପଦକ୍ଷେପ ନିଅ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏ ସଂକ୍ରାନ୍ତରେ ଥିବା ମାର୍ଗଦର୍ଶିକାକୁ ଜିଲ୍ଲାପାଳମାନଙ୍କୁ ପୂର୍ବରୁ ପଠାଇ ଦିଆଯାଇଛି ।

ଯେଉଁସବୁ ଖଣିଗୁଡିକୁ ପରିତ୍ୟକ୍ତ ବୋଲି ଘୋଷଣା କରାଯାଉଛି ଜିଲ୍ଲା ପ୍ରଶାସନ ସେଗୁଡିକୁ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କିମ୍ବା ଅନ୍ୟ ଆଇନ୍‍ ଓ ଅଧିନିୟମ ବଳରେ ପୂରଣ କରିବାପାଇଁ ପଦକ୍ଷେପ ଗ୍ରହଣ କରିପାରିବେ । ଯେତେବେଳେ ଖାଲି ପଡିଥିବା ଏହି ଖାଦାନଗୁଡିକୁ ପୂରଣ କରିବାପାଇଁ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ ସେତେବେଳେ ଲଘୁ ଖଣିଜ ଦ୍ରବ୍ୟ ସଂକ୍ରାନ୍ତୀୟ ନିୟମାବଳୀକୁ ଧ୍ୟାନ ଦେବାପାଇଁ କୁହାଯାଇଛି ।

ଉଲ୍ଲେଖ କରାଯାଇପାରେ ଯେ ଝାରସୁଗୁଡା, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରେ ଥିବା ତାପଜ ବିଦ୍ୟୁତ୍‍ କେନ୍ଦ୍ରରୁ ଦୈନିକ ବାହାରୁଥିବା ପାଉଁଶ ପକାଇବା ଏବେ ଚିନ୍ତାର କାରଣ ହୋଇଥିବାବେଳେ ଆଇନ୍‍ କାନୁନ୍‍କୁ ନେଇ ଜିଲ୍ଲା ପ୍ରଶାନ ଏକ ପ୍ରକାର ହାତଟେକି ଦେଇଥିଲା । ଏହାର ସୁଯୋଗରେ ସ୍ଥାନୀୟ ଲୋକେ ମଧ୍ୟ ନିଜ ନିଜ ଅଞ୍ଚଳରେ ପାଉଁଶ ପକାଇବାକୁ ବିରୋଧ କରୁଥିଲେ । ତେଣୁ ବିଭିନ୍ନ ତାପଜ ବିଦ୍ୟୁତ୍‍ କେନ୍ଦ୍ର ମୁଣ୍ଡରେ ପାଉଁଶ ବୋଝ ବଢି ବଢି ଚାଲିଥିଲା ।

ପାଉଁଶ ସମସ୍ୟାର ସମାଧାନ ପାଇଁ ନିକଟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉଚ୍ଚସ୍ତରୀୟ ବୈଠକ ଡାକିଥିବାବେଳେ ଏ ଦିଗରେ ପଦକ୍ଷେପ ନେବାକୁ ଇସ୍ପାତ ଓ ଖଣି ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଜିଲ୍ଲା ପ୍ରଶାସନଗୁଡିକୁ କହିଥିଲେ । ତଦନୁଯାୟୀ ଇସ୍ପାତ ଓ ଖଣି ବିଭାଗ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ସହିତ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାର୍ଗଦର୍ଶିକା ଆଧାରରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି ।

ଉଲ୍ଲେଖନୀୟ ଯେ କେବଳ ଝାରସୁଗୁଡା ଜିଲ୍ଲାରେ ଥିବା ତାଜପ ବିଦ୍ୟୁତ୍‍ କେନ୍ଦ୍ରରୁ ବାର୍ଷିକ ପ୍ରାୟ ଦେଢ କୋଟି ମେଟ୍ରିକ ଟନ୍‍ ପାଉଁଶ ବାହାରୁଛି । ଏଗୁଡିକ ପକାଇବା ପାଇଁ ତାପଜକେନ୍ଦ୍ରଗୁଡିକ ଦୀର୍ଘଦିନ ଧରି ସମସ୍ୟାରେ ପଡିଥିଲେ । ବର୍ତ୍ତମାନ ଇସ୍ପାତ ଓ ଖଣି ବିଭାଗ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବାପରେ ଏହି ସମସ୍ୟା ଅନେକାଂଶରେ ସମାଧାନ ହୋଇଯିବ ବୋଲି ତାଜପ କେନ୍ଦ୍ରଗୁଡିକ ବିଚାରୁଛନ୍ତି । (ତଥ୍ୟ)