ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଚରଣ ଜେନାଙ୍କର ହୃଦ୍ଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କ ୬୮ ବର୍ଷ ବୟସ ହୋଇଥିଲା । ଶ୍ରୀ ଜେନାଙ୍କର ଏଭଳି ଅକାଳନ ବିୟୋଗ ସାମ୍ବାଦିକ ତଥା ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।
ଚଳିତ ବିଧାନସଭାର ଅଧିବେଶନରେ ବିଧାନସଭାକୁ ଆସି ରିପୋର୍ଟିଂ କରୁଥିବା ଶ୍ରୀ ଜେନା ଗତକାଲି ରାତିରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ପରିବାର ଲୋକ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନେଇଥିବାବେଳେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ ପାରିନଥିଲା ।
ସାମ୍ବାଦିକ ଜଗତରେ ଜଣେ ଅମାୟିକ, ପରୋପକାରୀ ବିଶେଷକରି ସବୁ ବର୍ଗର ସାମ୍ବାଦିକଙ୍କ ସହ ମିଶୁଥିବା ଶ୍ରୀ ଜେନାଙ୍କ ପରିଲୋକ ଖବର ପାଇବାପରେ ବହୁ ସଂଖ୍ୟାରେ ସାମ୍ବାଦିକ ଓ ରାଜନୈତିକ ନେତା ତାଙ୍କ ବାସଭବନରେ ପହଞ୍ଚିଥିଲେ । ଶ୍ରୀ ଜେନାଙ୍କ ବଡପୁଅ ନୂଆଦିଲ୍ଲୀରେ ଥିବାବେଳେ ଆଜି ପୂର୍ବାହ୍ନରେ ଆସି ପହଞ୍ଚିବେ । ଏହାପରେ ତାଙ୍କର ପାର୍ଥିବ ଶରୀରକୁ ତାଙ୍କ ଗାଁ ବରୀର ମନ୍ଦାରପୁର ପଞ୍ଚାୟତ ଅର୍ନ୍ତଗତ ବେଞ୍ଜାରପୁରକୁ ନେଇ ସେଠାରେ ଶେଷକୃତ୍ୟ କରାଯିବ ବୋଲି ତାଙ୍କ ପରିବାର ସୂତ୍ରରୁ ଜଣାପଡିଛି ।
ଉଲ୍ଲେଖନୀୟ ଯେ ଶ୍ରୀ ଜେନା ପ୍ରାୟ ମାସକ ତଳେ ହୃଦ୍ରୋଗ ସମସ୍ୟାରେ ପୀଡିତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ଏହାପରେ କିନ୍ତୁ ସେ ବେଶ ଚଳଚଞ୍ଚଳ ଓ ସକ୍ରିୟ ରହିଥିଲେ । ଏପରିକି ଗତକାଲି ଦିନ ବେଳା କଟକରେ ଜଣେ ସମ୍ପର୍କିୟଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିଥିଲେ ।
ବ୍ୟାଙ୍କ୍ ଚାକିରି ଛାଡି ସାମ୍ବାଦିକତାକୁ ପେଶା କରିଥିବା ଶ୍ରୀ ଜେନାଙ୍କର ଗଣମାଧ୍ୟମରେ ଜଗତରେ ବେଶ୍ ପରିଚିତି ଥିଲା । ବିଭିନ୍ନ ଖବରକାଗଜ ସହିତ ସେ ଆକାଶବାଣୀ, ଦୂରଦର୍ଶନ ଓ ପିଆଇବି ଆଦି ପାଇଁ ମଧ୍ୟ କାର୍ଯ୍ୟ କରୁଥିଲେ । ତାଙ୍କ ବିୟୋଗରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି । ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା,ବିଧାୟକ ତାରା ପ୍ରସାଦ ବାହିନୀପତି,ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ପିସିସି ଗଣମାଧ୍ୟମ ବିଭାଗର ଆବାହକ ସତ୍ୟ ପ୍ରକାଶ ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।