ଭୁବନେଶ୍ୱର : ପନି ପରିବା ବିହନ ମଞ୍ଜି ପାଇଁ ଓଡିଶା ଏବେ ବି ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ପଡୋଶୀ ରାଜ୍ୟରୁ ମଞ୍ଜି ନଆସିଲେ ଓଡିଶାରେ ପନି ପରିବା ତ ଦୂରକଥା କୋଶଳାଶାଗ ବିଡାଏ ବି ଅମଳ ହୋଇପାରିବ ନାହିଁ ।
ରାଜ୍ୟର ଚାଷୀମାନଙ୍କୁ ସହଜ ଓ ସୁଲଭରେ ବିଭିନ୍ନ ପ୍ରକାର ମଞ୍ଜି ଯୋଗାଇବାପାଇଁ ରାଜ୍ୟ ସରକାର ଓଡିଶା ରାଜ୍ୟ ବିହନ ନିଗମ ଗଠନ କରିଛନ୍ତି । ହେଲେ ଏହି ନିଗମ ବର୍ତ୍ତମାନ ଧାନ, ବିରି, ମୁଗ ଭଳି ମାତ୍ର କେତୋଟି ବିହନରେ ସୀମିତ ରହିଛି । ଚିନାବାଦାମ, ସୂର୍ଯ୍ୟମୁଖୀ ଭଳି ବିହନ ଅନ୍ୟ ରାଜ୍ୟରୁ ଆଣି ଯୋଗାଣ କରୁଥିବାବେଳେ ପନିପରିବା ବିହନ ଯୋଗାଣ ଆଦୌ କରିପାରୁ ନାହିଁ ।
ରାଜ୍ୟର ଚାଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ନିଜ ବାଡି ବଗିଚାରେ ପନି ପରିବା ଗଛଟିଏ ଲଗାଇବାକୁ ବଜାରରୁ ଯେଉଁ ମଞ୍ଜି କିଣୁଛନ୍ତି ତାହା ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଯୋଗାଉଛନ୍ତି । ବିଶେଷକରି ପଶ୍ଚିମବଙ୍ଗର ବିଭିନ୍ନ କମ୍ପାନୀଙ୍କ ନାମ ଓ ଠିକଣା ଲେଖାଥିବା ମଞ୍ଜି ପ୍ୟାକେଟ ଆକାରରେ ମିଳୁଛି । ସେଠାକାର କମ୍ପାନୀମାନେ ଓଡିଶା ବଜାରକୁ ବାଇଗଣ, ଟମାଟୋ, ଜହ୍ନି, କାକୁଡି, ଲାଉ, ଶିମ୍ବ, କଖାରୁ, ଲଙ୍କା ସମେତ ବିଭିନ୍ନ ପ୍ରକାର ଶାଗ ଓ ଧନିଆ ମଞ୍ଜି ଯୋଗାଇ ବ୍ୟାପକ ମୁନାଫା ଉଠାଇବାରେ ଲାଗିଛନ୍ତି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ୨୦୧୨-୧୩ ପର୍ଯ୍ୟନ୍ତ ରାଜ୍ୟ ଭିତରୁ ଉତ୍ପାଦିତ ବିଭିନ୍ନ ପନିପରିବା ମଞ୍ଜି ବିହନ ନିଗମ ଜରିଆରେ ଯୋଗାଣ କରାଯାଉଥିଲା । ଟେଣ୍ଡର ମାଧ୍ୟମରେ ବିହନ ଚାଷୀଙ୍କ ଠାରୁ ମଞ୍ଜି ସଂଗ୍ରହ ହେଲାପରେ ଏହାର ଗୁଣମାନ ପରୀକ୍ଷା କରାଯାଇ ଚାଷୀଙ୍କୁ ଦିଆଯାଉଥିଲା । ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟରେ ରାଜଧାନୀରେ ଗୋଟିଏ ପନି ପରିବା ବିହନ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା ବି ହୋଇଥିଲା ।
ହେଲେ କୃଷି ବିଭାଗର କିଛି ଅଧିକାରୀ ରାଜ୍ୟ ଭିତରୁ ବିହନ ସଂଗ୍ରହ କରିବା ପରିବର୍ତ୍ତେ ଅନ୍ୟ ରାଜ୍ୟରୁ ବିହନ ଆଣି ଓଡିଶାରେ ଯୋଗାଇବାକୁ ପ୍ରାଥମିକତା ଦେବାରୁ ରାଜ୍ୟ ଭିତରେ ଆଉ ପନି ପରିବା ମଞ୍ଜି ଉତ୍ପାଦିତ ହୋଇପାରିଲା ନାହିଁ । ପ୍ରତିଷ୍ଠା ହୋଇଥିବା ପ୍ରକ୍ରିୟାକରଣ କେନ୍ଦ୍ର ବି ଖତ ହେବାରେ ଲାଗିଲା । ତେଣେ ଅନ୍ୟ ରାଜ୍ୟରୁ ଆମଦାନୀ ହୋଇ ଆସିଥିବା ମଞ୍ଜିଗୁଡିକ ଓଡିଶା ଜଳବାୟୁରେ ଉଧେଇ ପାରିଲା ନାହିଁ ।
ଗୋଟିଏ ପଟେ ଆମଦାନୀ ପନି ପରିବା ମଞ୍ଜି ଉଧେଇ ନପାରିବା ଓ ଅନ୍ୟ ପଟେ ପ୍ରକ୍ରିୟାକରଣ କେନ୍ଦ୍ର ଖତ ଖାଇବା ପରେ ରାଜ୍ୟ ଭିତରୁ ମଞ୍ଜି ଉତ୍ପାଦନ ଏକ ପ୍ରକାର ବନ୍ଦ ହୋଇଗଲା । ତେଣୁ ଏବେ ପ୍ରାୟ ଦଶ ବର୍ଷ ହେଲା ଶାଗ ମଞ୍ଜି ପାଇଁ ଓଡିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ଏଭଳି ସ୍ଥିତି ଯୋଗୁଁ ପନିପରିବା ଓ ଶାଗ ଆଦି ମଞ୍ଜି ଉତ୍ପାଦନ ପାଇଁ ଓଡିଶାରେ ବ୍ୟାପକ ସୁଯୋଗ ଏବଂ ଅନୁକୂଳ ଜଳବାୟୁ ଥିବା ସତ୍ୱେ ରାଜ୍ୟ ବାହାରର ବ୍ୟବସାୟୀମାନେ କିନ୍ତୁ ଏଠାରୁ ମଞ୍ଜି ବେପାର କରି କୋଟି କୋଟି ଟଙ୍କାର ମୁନାଫା ନେଇ ଯାଉଛନ୍ତି ।
କେବଳ ମଞ୍ଜି ଉତ୍ପାଦନ ଉପରେ ଯଦି ସରକାର ଗୁରୁତ୍ୱ ଦେବେ ତେବେ ତାହାଦ୍ୱାରା ବ୍ୟାପକ କର୍ମସଂସ୍ଥାନ ସୃଷ୍ଟି ହେବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଗୁଡିକ ବିଶେଷ ଉପକୃତ ହୋଇପାରିବେ ବୋଲି ଚାଷୀମାନେ ମତ ଦେଉଛନ୍ତି । (ତଥ୍ୟ)