ଭୁବନେଶ୍ୱର : ରାଜ୍ୟରେ ପନିପରିବା ଦର ଏବେ ଆକାଶଛୁଆଁ । ପନିପରିବା ଚାଷ ପାଇଁ ସରକାରଙ୍କ ବ୍ୟାପକ ସବସିଡ୍ ସତ୍ୱେ ଆବଶ୍ୟକ ମୁତାବକ ଉତ୍ପାଦନ ହେଉନଥିବାରୁ ଦର ଉଚ୍ଚା ରହୁଥିବା ବ୍ୟବସାୟୀମାନେ କହୁଛନ୍ତି ।
ବଜାରରେ ଏବେ ଗୋଟିଏ ଦୁଇଟିକୁ ବାଦ୍ ଦେଲେ ଅଧିକାଂଶ ସବୁଜ ପନିପରିବାର ଦର ୫୦ ଟଙ୍କା ଓ ତାହାଠାରୁ ଅଧିକ ରହୁଛି । ଅମୃତଭଣ୍ଡା ଓ କଖାରୁ ଓ କୁନ୍ଦୁରୀ ଦର କିଲୋପ୍ରତି ୩୦ ରୁ ୪୦ ଟଙ୍କା ରହିଥିବାବେଳେ ପୋଟଳ ୭୦ ରୁ ୮୦ ଟଙ୍କା, ଭେଣ୍ଡି ୪୦ ରୁ ୫୦ ଟଙ୍କା, ଜହ୍ନି ୫୦ ଟଙ୍କା, କଲରା ୬୦ଟଙ୍କା, ଟମାଟୋ ୮୦ ଟଙ୍କା, ସଜନାଛୁଇଁ ୧୦୦ ଟଙ୍କା, ବାଇଗଣ ୫୦ ଟଙ୍କା ରହୁଛି । ରାଜ୍ୟ ବାହାରୁ ଆସୁଥିବା ଗାଜର ସମେତ ଅନ୍ୟ ପନିପରିବାର ଦର ବି କିଲୋପ୍ରତି ୪୦ ରୁ ୫୦ ଟଙ୍କାରେ ବିକ୍ରି ହେଉଛି । ଆଳୁ ଦର କିଲୋ ପ୍ରତି ୨୫ ଟଙ୍କାକୁ ଟପି ଗଲାଣି ।
ବର୍ତ୍ତମାନ ରାଜ୍ୟରୁ ଉତ୍ପାଦିତ ପନିପରିବାର ଦର ଏଭଳି ଉଚ୍ଚା ରହିବାପାଇଁ ବ୍ୟବସାୟୀ ଓ ଚାଷୀମାନେ କମ୍ ଉତ୍ପାଦନକୁ ଦାୟୀ କରୁଛନ୍ତି । ବଜାର ଚାହିଦା ଅନୁଯାୟୀ ପନିପରିବା ଉତ୍ପାଦନ ହୋଇପାରୁ ନାହିଁ । ପ୍ରବଳ ଖରାଯୋଗୁଁ ବି ଉତ୍ପାଦନ ହ୍ରାସ ପାଇଛି । ବ୍ୟବସାୟୀଙ୍କ କହିବାକଥା ବର୍ତ୍ତମାନ ପୋଟଳ କିଲୋ ୩୦ରୁ ୪୦ଟଙ୍କାରେ ବିକ୍ରି ହେବାକଥା । ହେଲେ ବଜାରକୁ କମ୍ ପରିମାଣରେ ପୋଟର ଆସୁଥିବାରୁ ଏହାର ଦର ଚଳିତବର୍ଷ ୬୦ଟଙ୍କା ତଳକୁ ଖସୁନାହିଁ ।
ତେବେ ରାଜ୍ୟରେ ପନିପରିବା ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ବ୍ୟାପକ ପରିମାଣରେ ସବସିଡ୍ ପ୍ରଦାନ କରୁଛନ୍ତି । ଶଙ୍କର କିସମ ପନିପରିବା ଚାଷ ପାଇଁ ହେକ୍ଟର ପ୍ରତି ୨୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି । ସେହିଭଳି ପନିପରିବା ଚାଷରେ ଜଳ ସୁପରିଚାଳନା ପାଇଁ ଅଣୁ ଜଳସେଚନ ବ୍ୟବସ୍ଥାରେ ୪୫ରୁ ୫୫ ପ୍ରତିଶତ ରିହାତି ପ୍ରଦାନ କରାଯାଉଥିବାବେଳେ ଏଥିପାଇଁ ଅତିରିକ୍ତ ଭାବେ ୧୫ ରୁ ୨୫ ପ୍ରତିଶତ ରିହାତିର ବି ବ୍ୟବସ୍ଥା ରହିଛି ।
ସେହିଭଳି ପନିପରିବା ଉତ୍ପାଦିକତା ବୃଦ୍ଧି ତଥା ପ୍ରତିକୂଳ ପରିବେଶରେ ପନିପରିବା ଉତ୍ପାଦନ କରିବାପାଇଁ ସବୁଜ ଗୃହ ଓ ଛାୟାଗୃହ ପ୍ରତିଷ୍ଠା ଓ ଚାଷ ପାଇଁ ଶତକଡା ୫୦ଭାଗ ସହାୟତା ପ୍ରଦାନ କରାଯାଉଚି । ପନିପରିବାରେ ରୋଗପୋକ ତଥା ଖାଦ୍ୟସାରର ସମନ୍ନିତ ପରିଚାଳନା ପାଇଁ ହେକ୍ଟର ପ୍ରତି ୧୨୦୦ ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି । ଏଥି ସହିତ ପନିପରିବା ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ପ୍ରତିଷ୍ଠା ଲାଗି ବି ସରକାର ବ୍ୟାପକ ରିହାତି ଯୋଗାଇ ଦେଉଛନ୍ତି ।
ଏତେ ସବୁ ସତ୍ୱେ ବି ରାଜ୍ୟରେ ପନିପରିବା ଉତ୍ପାଦନ ଓ ସଂରକ୍ଷଣ ଆଶାନୁରୂପ ହେଉନଥିବାରୁ ତିରୋଟ ସମୟରେ ରାଜ୍ୟ ବାହାରର ବ୍ୟବସାୟୀମାନେ ଟମାଟୋ ଭଳି ପରିବା ବିକ୍ରିକରି ଓଡିଶାର ଖାଉଟିଙ୍କ ଠାରୁ କୋଟି କୋଟି ଟଙ୍କାର ମୁନାଫା ଉଠାଉଛନ୍ତି । କେବଳ ଟମାଟୋ ନୁହେଁ, ଗାଜର, ବନ୍ଧାକୋବି, କ୍ୟାପ୍ସିକମ୍, ବିନ୍ ଆଦି ପାଇଁ ବି ଏବେ ଓଡିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ତେବେ ବର୍ଷାଦିନିଆ ପରିବା ବଜାରକୁ ନଆସିବା ପର୍ଯ୍ୟନ୍ତ ପନିପରିବାର ଦର ହ୍ରାସ ପାଇବ ନାହିଁ ବୋଲି ବ୍ୟବସାୟୀମାନେ କହୁଛନ୍ତି । (ତଥ୍ୟ)