Home General ପନିପରିବା ଦର ଆକାଶଛୁଆଁ

ପନିପରିବା ଦର ଆକାଶଛୁଆଁ

ଭୁବନେଶ୍ୱର : ନିର୍ବାଚନୀ ଭିଡ ଭିତରେ ଏବେ ରାଜ୍ୟରେ ପରିବା ଦର ଆକାଶଛୁଆଁ । ଅଧିକାଂଶ ପନି ପରିବା ଏବେ ରାଜ୍ୟ ବାହାରୁ ଆସୁଥିବାରୁ ଦର ଉଚ୍ଚା ରହୁଛି ।

ବଜାରରେ ଏବେ ପୋଟଳ ଭଳି ଅଳ୍ପ କିଛି ପରିବାକୁ ଛାଡିଦେଲେ ପ୍ରାୟ ସବୁ ପନି ପରିବା ଅନ୍ୟ ରାଜ୍ୟରୁ ଆସୁଛି । ତେବେ ରାଜଧାନୀ ବଜାରରେ ଏବେ ସ୍ଥାନୀୟ ପୋଟଳ କିଲୋପିଛା ୬୦ ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ଅନ୍ୟ ରାଜ୍ୟରୁ ଆସୁଥିବା ପୋଟଳ ଦର ୪୦ରୁ ୫୦ ଟଙ୍କା ରହୁଛି । ସେହିଭଳି ବିତାଲି, ବନ୍ଧାକୋବି, କଲରା, ଫୁଲକୋବି, କ୍ୟାପିସ୍‍କମ୍‍, ଗାଜର ଏପରିକି ଅମୃତଭଣ୍ଡା ବି ଅନ୍ୟ ରାଜ୍ୟରୁ ଆସୁଛି ।

ରାଜଧାନୀ ବଜାରରେ ଏବେ ଅନ୍ୟ ରାଜ୍ୟରୁ ଆସୁଥିବା ବାଇଗଣ କିଲୋ ୬୦ ଟଙ୍କାରେ ବିକ୍ରି ହେଉଛି । କଲରା କିଲୋ ୬୦ରୁ ୮୦ ଟଙ୍କା । ବିଲାତି ୪୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଅମୃତଭଣ୍ଡା କିଲୋ ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଛି । କଖାରୁ କିଲୋ ମଧ୍ୟ ବଜାରରେ ଏବେ ୩୦ ରୁ ୪୦ ଟଙ୍କା । ଗୋଟିଏ ପଟେ ଆଳୁ କିଲୋ ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଅନ୍ୟପଟେ ପନିପରିବା ଦର ବୃଦ୍ଧି ପାଉଥିବାରୁ ଖାଉଟିମାନଙ୍କୁ ବାଧୁଛି । ବିଶେଷକରି ଖାଉଟିମାନେ ଅଧିକ ଦର ଦେଇ ଅନ୍ୟ ରାଜ୍ୟରୁ ଆସୁଥିବା ଦୁଇ ତିନି ଦିନର ଶୁଖିଲା ପନି ପରିବାକୁ କିଣିବାକୁ ବାଧ୍ୟ ହେଉଛନ୍ତି ।

ପରିବା ବ୍ୟବସାୟୀଙ୍କ କହିବାକଥା ଯେ ଓଡିଶାରୁ ଏବେ ପ୍ରବଳ ଖରା ଯୋଗୁଁ ପନି ପରିବା ଉତ୍ପାଦନ କମିଛି । ଯାହା ବି ଉତ୍ପାଦନ ହେଉଛି ତାହା ସ୍ଥାନୀୟ ଅଞ୍ଚଳରେ ବିକ୍ରି ହୋଇଯାଉଛି । ଶୀତଳଭଣ୍ଡାର ଅଭାବରୁ ପନିପରିବା ସଂରକ୍ଷିତ ହୋଇପାରୁ ନାହିଁ । ଓଡିଶା ଏବେ ବିତାଲି, ଗାଜର ଆଦି ପନିପରିବା ପାଇଁ ଅନ୍ୟ ରାଜ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ।

କେବଳ ପନି ପରିବା ନୁହେଁ ଫଳ ବଜାରକୁ ମଧ୍ୟ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ କବଜା କରିଛନ୍ତି । ଫଳର ରାଜା କୁହାଯାଉଥିବା ଆମ୍ବର ସିଂହ ଭାଗ ଏବେ ଅନ୍ୟ ରାଜ୍ୟରୁ ଆସୁଛି । ବାଇଗଲପଲାଇ, ସୁନ୍ଦରୀ, ଦୋଶରୀ, ଆଖୁରସ, ମଲ୍ଲିକା ଆଦିର ଦର ଅତି କମ୍‍ରେ କିଲୋପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି । ଢେଙ୍କାନାଳ ଆଦି ସ୍ଥାନରୁ କମ୍‍ ପରିମାଣରେ ଆସୁଥିବା ଆମ୍ରପଲ୍ଲୀର ଦର ବଜାରରେ ୧୦୦ ରୁ ୧୪୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ସେହିଭଳି ତରଭୁଜ ଓ ପାଚିଲା ଅମୃତଭଣ୍ଡା ମହାରାଷ୍ଟ୍ରରୁ ଆସୁଛି । ଅନ୍ୟ ରାଜ୍ୟରୁ ଆସୁଥିବା ତରୁଭୁଜ କିଲୋ ଏଠାରେ ୩୫ ଟଙ୍କାରେ ବିକ୍ରି ହେଉଥିବାବେଳେ ଅମୃତଭଣ୍ଡା କିଲୋ ୬୦ ରୁ ୭୦ ଟଙ୍କାରେ ବିକ୍ରି ହେଉଛି ।

ମୋଟାମୋଟି ଭାବେ ସବୁଜ ପନିପରିବା ଠାରୁ ଆରମ୍ଭକରି ଫଳ ପର୍ଯ୍ୟନ୍ତ ସବୁକିଛି ପାଇଁ ଅନ୍ୟ ରାଜ୍ୟ ଉପରେ ଓଡିଶା ନିର୍ଭର କରୁଛି । ଏହାର ପ୍ରମୁଖ କାରଣ ଶୀତଳଭଣ୍ଡାରର ଅଭାବ ହୋଇଥିବାବେଳେ ଉନ୍ନତମାନର ଚାଷକୁ ବି ଦାୟୀ କରାଯାଉଛି । ଓଡିଶାରୁ ଉତ୍ପାଦିତ ବିଲାତି ଦିନ କେଇଟାରେ ନଷ୍ଟ ହୋଇଯାଉଥିବାବେଳେ ମହରାଷ୍ଟ୍ର, କର୍ଣ୍ଣାଟକ ଆଦିରେ ଚାଷ ହେଉଥିବା ବିଲାତି ମାସ ମାସ ଧରି ଖୋଲାରେ ରହିପାରୁଛି । ତେଣୁ ବ୍ୟବସାୟୀମାନେ ସେହିସବୁ ବିଲାତିକୁ ଆଣି ବିକ୍ରି ପାଇଁ ପସନ୍ଦ କରୁଛନ୍ତି । ଓଡିଶାରେ ପନିପରିବା ଓ ଫଳ ଉତ୍ପାଦନ ଚାହିଦା ମୁତାବକ ହେଉନଥିବାରୁ ରାଜ୍ୟର ଖାଉଟିମାନେ ଏହିସବୁ ସାମଗ୍ରୀ ପାଇଁ କୋଟି କୋଟି ଟଙ୍କା ଗାଡିଭଡା ଆକାରରେ ଗଣୁଛନ୍ତି । (ତଥ୍ୟ)