ଭୁବନେଶ୍ୱର : ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଚିଲିକା ବିଧାୟକ ତଥା ବିଜେଡି ନେତା ପ୍ରଶାନ୍ତ ଜଗଦ୍ଦେବ ନିଜର ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି ।
ଶ୍ରୀ ଜଗଦ୍ଦେବ କହିଛନ୍ତି ଯେ, ମୁଁ ବିଜେପିରେ ସାମିଲ ହୋଇ ଖୁସି ଓ ଗର୍ବିତ । ବିଜେଡିରେ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ସମ୍ମାନ ଜଣାଇବା ସହ ତାଙ୍କ ପାର୍ଟିକୁ ସମ୍ମାନ ଦେଉଥିଲି । କିନ୍ତୁ ଏକଥାକୁ ମୁଁ ପରିପ୍ରକାଶ କରିପାରୁନଥିଲି । ଭାରତ ତଥା ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶାସନର ଆବଶ୍ୟକତା ରହିଛି । ମୋଦିଜୀଙ୍କ କାର୍ଯ୍ୟଶୈଳୀ ମୋତେ ପ୍ରଭାବିତ କରିଛି । ଏଠି ମୁଁ ସୈନିକ ଭାବେ କାମ କରିବି ।
ପୂର୍ବରୁ ନବୀନ ବାବୁଙ୍କ ପାଇଁ ବହୁତ କାମ କରିଛି, ସିଏ ବି ମୋତେ ବହୁତ ସମ୍ମାନ ଦେଇଛନ୍ତି କିନ୍ତୁ ଆଜି ନବୀନ ବାବୁ ସେ ଅବସ୍ଥାରେ ନାହାନ୍ତି । ନବୀନ ବାବୁ ରାଜନୀତି ବ୍ୟବସ୍ଥା ଭିତରୁ ନିବୃତ ରହିବାର ଆବଶ୍ୟକତା ରହିଛି । ଓଡିଶାରେ ବିଜେପିର “ଡବଲ ଇଞ୍ଜିନ ସରକାର” ହେବ । ଏବେ ମୁଁ ପୂରା ଆକ୍ସନ ମୁଡ୍ରେ ଅଛି, ବିଜେପି ଦଳର କାର୍ଯ୍ୟ କରିବି ବୋଲି । ପୁରୁଣା ଘରକୁ ଫେରିବା ଭଳି ଲାଗୁଛି । ବିଜେପିରେ ମୋର ପୁରୁଣା ବନ୍ଧୁମାନେ ଥିଲେ ସମସ୍ତଙ୍କୁ ସାଥୀରେ ନେଇ ପୁଣିଥରେ “ବିକଶିତ ଓଡିଶା ଓ ବିକଶିତ ଭାରତ” ଗଠନ କରିବାକୁ ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ଜଗଦ୍ଦେବ କହିଛନ୍ତି ।
ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସଦସ୍ୟ ତଥା ବ୍ଲକ ସଭାପତି ଅନାଦି ସାହୁ, ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନି ଜଗଦ୍ଦେବ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ବସନ୍ତ ମହାପାତ୍ର, ଗୌରୀ ସାହୁ, ବିଜୁ ମହିଳା ଜନତା ଦଳ ସାଧାରଣ ସମ୍ପାଦକ ସୋନାଲୀ ଡାକୁଆ, ବିଜୁ ଛାତ୍ର ଜନତା ଦଳ ବେଗୁନିଆ ବ୍ଲକ ସଭାପତି ବିଶ୍ୱଜିତ ଭୂଜବଳ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଏହି ମିଶ୍ରଣ ପର୍ବରେ ରାଜ୍ୟ ଉପସଭାପତି ବିଂରଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଖଣ୍ଡାଇତରାୟ, ବିଶ୍ୱରଂଜନ ବଡଜେନା ପ୍ରମୁଖ ଉପସ୍ଥିତ ଥିଲେ ।