Home Election ପଦ୍ମପୁର ଉପନିର୍ବାଚନ ପାଇଁ ତତ୍ପରତା

ପଦ୍ମପୁର ଉପନିର୍ବାଚନ ପାଇଁ ତତ୍ପରତା

ଭୁବନେଶ୍ୱର : ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଶେଷ ହେବା ପରେ ପରେ ପଦ୍ମପୁର ଆସନ ଲାଗି ଉପନିର୍ବାଚନ ତାରିଖ ଘୋଷଣା କରାଯାଇପାରେ । ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବର ମାସରେ ଏହି ଉପନିର୍ବାଚନ ହେବାର ସମ୍ଭାବନା ଥିବାରୁ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ବେଶ୍‍ ତତ୍ପରତା ଲକ୍ଷ୍ୟ କରାଯାଉଛି ।

ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲି ପଡିଛି । ଏ ସଂକ୍ରାନ୍ତାରେ ବିଧାନସଭା ସଚିବାଳୟ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଜଣାଇ ଦିଆଯାଇଛି । ଇତି ମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦପ୍ତର ଠାରୁ ଆରମ୍ଭ କରି ବରଗଡ ଜିଲ୍ଲାପାଳଙ୍କ ଦପ୍ତରରେ ପଦ୍ମପୁର ଉପନିର୍ବାଚନକୁ ଆଖିଆଗରେ ରଖି ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ୨୦୧୪ରେ ପଦ୍ମପୁର ଆସନରୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହୋଇଥିଲେ । ତେବେ ୨୦୧୯ ରେ ପ୍ରାୟ ୫ହଜାର ଭୋଟ ବ୍ୟବଧାନରେ ପ୍ରଦୀପଙ୍କୁ ପରାସ୍ତ କରି ବିଜୟ ରଞ୍ଜନ ସିଂହବରିହା ଏଠାରୁ ବିଜୟୀ ହୋଇଥିଲେ ।

୧୯୯୦ ମସିହାରେ ସ୍ୱର୍ଗତ ବରିହା ଏଠାରେ ଜନତାଦଳ ଟିକଟରେ ନିର୍ବାଚନ ଜିଣିଥିଲେ ଏବଂ ସେତେବେଳେ ନିଜେ ବିଜୁ ପଟ୍ଟନାୟକ ନିଜେ କନ୍ୟାଦାନ କରି ବିଜୟ ରଞ୍ଜନଙ୍କ ବିବାହ କରାଇଥିଲେ । ପରବର୍ତ୍ତୀ ସମୟରେ ବିଜେଡି ଟିକଟରେ ଲଗାତାର ଭାବେ ପଦ୍ମପୁରରୁ ଜିଣି ବିଜୟ ରଞ୍ଜନ ମଧ୍ୟ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ ।

ଏବେ ସମସ୍ତଙ୍କ ନଜର ଧାମନଗର ବିଧାନସଭା ଉପରେ କେନ୍ଦ୍ରୀଭୂତ ଥିବାବେଳେ ବିଜେଡି ଓ ବିଜେପି ପଞ୍ଚାୟତୱାରୀ ପର୍ଯ୍ୟବେକ୍ଷକ ପଠାଇ ନିଜ ନିଜ ସଂଗଠନକୁ ସୁଦୃଢ କରିବାରେ ଲାଗିଛନ୍ତି । କଂଗ୍ରେସ ମଧ୍ୟ ଏଠାରେ ତୃଣମୂଳ ସ୍ତରରୁ କାମ ଆରମ୍ଭ କରିଛି । ତେବେ ଏହି ଆସନରୁ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ସେ ସଂକ୍ରାନ୍ତରେ କେହି ପାଟି ଖୋଲୁନଥିଲେ ମଧ୍ୟ ସ୍ୱର୍ଗତ ବରିହାଙ୍କ ପରିବାରରୁ କେହି ପ୍ରାର୍ଥୀ ହୋଇପାରନ୍ତି । ତେବେ ଶେଷ ମୂହୂର୍ତ୍ତରେ ବିଜେଡି ଏଠାରେ ଧାମନଗର ଭଳି ମହିଳା କାର୍ଡ ଖେଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟ ପକ୍ଷରେ ପ୍ରଦୀପ ପୁରୋହିତ ସ୍ଥାନୀୟ ବିଜେପି କର୍ମୀମାନଙ୍କୁ ଭେଟି ଏକ ପ୍ରକାର ର୍ନିବାଚନୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କିନ୍ତୁ ଶେଷ ମୂହୂର୍ତ୍ତରେ ଏଠାରେ କିଏ ପ୍ରାର୍ଥୀ ହେବ ତାହା ଦଳର ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ । ବରଗଡ ସମେତ ପଶ୍ଚିମ ଓଡିଶାର ସମସ୍ତ ଲୋକସଭା ଆସନ ୨୦୧୯ରେ ବିଜେପି ଦଖଲ କରିଥିବା ପରିପ୍ରେକ୍ଷୀରେ ଆଗାମୀ ପଦ୍ମପୁର ବିଧାନସଭା ଉପନିର୍ବାଚନ ଉଭୟ ବିଜେପି ଓ ବିଜେଡି ପାଇଁ ମର୍ଯ୍ୟାଦାର ପ୍ରଶ୍ନ ହୋଇଛି । ତେବେ ଧାମନଗର ଉପର୍ନିବାଚନର ଫଳାଫଳ ପଦ୍ମପୁର ଉପରେ କେତେଦୂର ପ୍ରଭାବ ପକାଇବ ତାହା ଆଗାମୀ ଦିନରେ ଜଣାପଡିବ । ବିଶେଷକରି ପଶ୍ଚିମଓଡିଶାରେ ରାଜନୈତିକ ପାଣିପାଗ ଘନ ଘନ ବଦଳୁଥିବାରୁ ଗୋଟିଏ ନିର୍ବାଚନରେ ଭୋଟ ଧାରା ଯେଉଁଭଳି ରହୁଛି ପରବର୍ତ୍ତୀ ନିର୍ବାଚନରେ ତାହା ବଦଳି ଯାଉଥିବାରୁ ପଦ୍ମପୁର ଏବେ ମନ୍ତ୍ରୀ, ବିଧାୟକ, ସାଂସଦ ଆଦିଙ୍କ ପାଇଁ ଏକ ରାଜନୈତିକ ପର୍ଯ୍ୟଟନସ୍ଥଳୀ ପାଲଟିଛି । (ତଥ୍ୟ)