Home Administration ପଦୋନ୍ନତି ବିବାଦ ପାଇଁ କୋର୍ଟ ମୁହାଁ କର୍ମଚାରୀ

ପଦୋନ୍ନତି ବିବାଦ ପାଇଁ କୋର୍ଟ ମୁହାଁ କର୍ମଚାରୀ

ଭୁବନେଶ୍ୱର : ପଦୋନ୍ନତି କ୍ଷେତ୍ରରେ ସଂରକ୍ଷିତ ବର୍ଗର ରାଜ୍ୟ ସରକାରୀ କର୍ମଚାରୀଙ୍କ ପ୍ରତି ବିଭିନ୍ନ ବିଭାଗ ଦୋମୁହାଁ ନୀତି ଅବଲମ୍ବନ କରୁଥିବାରୁ ଅଧିକାରୀମାନଙ୍କ ଭିତରେ ଅସନ୍ତୋଷ ଓ ବିଦ୍ୱେଷ ବଢ଼ୁଛି ।

ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବହୁ ମାମଲାରେ ବାରମ୍ବାର ସ୍ପଷ୍ଟ କରିଦେଇଛନ୍ତି ଯେ ଅଣ ସଂରକ୍ଷିତ ଆସନ କୌଣସି ନିର୍ଦ୍ଦିଷ୍ଟ ବର୍ଗଙ୍କ ପାଇଁ ସଂରକ୍ଷିତ ନୁହେଁ । ଜଣେ ସଂରକ୍ଷିତ ବର୍ଗର ବ୍ୟକ୍ତି ଅଣ ସଂରକ୍ଷିତ ଆସନରୁୂ ନିର୍ବାଚନ ଲଢ଼ିବପାରିବ ଅଥଚ ଅଣ ସଂରକ୍ଷିତ ପ୍ରାର୍ଥୀ ସଂରକ୍ଷିତ ଆସନରୁ ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ଦେଶର ଆଇନ୍‍ ସ୍ପଷ୍ଟ କରିଦେଇଛି ।

ସେହିପରି ସଂରକ୍ଷିତ ହୁଅନ୍ତୁ କି ଅଣ ସଂରକ୍ଷିତ ବର୍ଗର ପ୍ରାର୍ଥୀ ହୁଅନ୍ତୁ ସେମାନେ ଶିକ୍ଷାନୁଷ୍ଠାନରେ ନାମାଙ୍କନ, ଚାକିରିରେ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ଯୋଗ୍ୟତା, ଦକ୍ଷତା ଆଦି ଆଧାରରେ ପ୍ରଥମେ ଅଣ ସଂରକ୍ଷିତ ଆସନରେ ବସିବେ ଏବଂ ଅଣ ସଂରକ୍ଷିତ ଆସନଗୁଡ଼ିକ ପୂରା ହୋଇଯିବା ପରେ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ସେମାନଙ୍କ ଯୋଗ୍ୟତା ଓ ଦକ୍ଷତା ଆଧାରରେ ସଂରକ୍ଷିତ ଆସନରେ ରଖାଯିବ । ପଦୋନ୍ନତି କ୍ଷେତ୍ରରେ ଯୋଗ୍ୟତା ଆଉ ଦକ୍ଷତା ସହିତ ବରିଷ୍ଠତାକୁ ମଧ୍ୟ ମାନଦଣ୍ଡ କରିବା ପାଇଁ ଆଇନଗତ ବ୍ୟବସ୍ଥା ରହିଛି । ଏ ସଂକ୍ରାନ୍ତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ପଷ୍ଟ ମାର୍ଗ ନିର୍ଦ୍ଦେଶିକା ଥିବାବେଳେ ରାଜ୍ୟ ସରକାରରେ କିନ୍ତୁ ବହୁ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟୁଛି ।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଯୋଗ୍ୟତା, ଦକ୍ଷତା ଓ ବରିଷ୍ଠତା ଆଧାରରେ ଅଣ ସଂରକ୍ଷିତ ଆସନକୁ ପଦୋନ୍ନତି ଦେବା କ୍ଷେତ୍ରରେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ଉପେକ୍ଷା କରାଯାଇଥିଲା । ଏ ସଂକ୍ରାନ୍ତରେ ଲଳିତ କୁମାର ନାଏକ ନାମକ ଜଣେ ସଂରକ୍ଷିତ ବର୍ଗର ବଞ୍ôଚତ କର୍ମଚାରୀ ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଏହି ମାମଲାର ରାୟ ଦେଇ ଓଡ଼ିଶା ହାଇକୋର୍ଟ ଅଣ ସଂରକ୍ଷିତ ଆସନରେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ପଦୋନ୍ନତି ଦିଆଯାଇପାରିବ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଏହାକୁ ଆଧାର କରି ଆଉ ଅନେକ ମାମଲାର ମଧ୍ୟ ଅଦାଲତ ଫଇସଲା କରିଛନ୍ତି ।

ତେବେ ପୂର୍ତ୍ତ, ନଗର ଉନ୍ନୟନ, ସ୍ୱାସ୍ଥ୍ୟ, ରାଜସ୍ୱ ସମେତ ବହୁ ବିଭାଗରେ ଏବେ ବି ସଂରକ୍ଷିତ ବର୍ଗର କର୍ମଚାରୀଙ୍କୁ ଅଣ ସଂରକ୍ଷିତ ପଦବୀକୁ ପଦୋନ୍ନତି ଦିଆଯିବ କି ନାହିଁ ସେଥିଘେନି ବିବାଦ ସୃଷ୍ଟି ହେବା ଫଳରେ ଶହଶହ ସଂଖ୍ୟାର କର୍ମଚାରୀ ଅଦାଲତ ମୁହାଁ ହୋଇଛନ୍ତି । ଏଥିଯୋଗୁ ପଦୋନ୍ନତି କ୍ଷେତ୍ର ବାଧାପ୍ରାପ୍ତ ହେଉଥିବା ଘେନି ସରକାର ସ୍ୱୀକାର କରୁଛନ୍ତି । ତେବେ ଏହି ପ୍ରସଂଗର ନୀତିଗତ ସମାଧାନ ଲାଗି ବିଶେଷ ଗୁରୁତ୍ୱ ଦିଆଯିବା ଭଳି ମନେ ହେଉନାହିଁ ।

ନିକଟରେ ପୂର୍ତ୍ତ ବିଭାଗ ୧୧୫ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ବାହୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ଦେଇଛନ୍ତି । ଏଥିରେ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ସେମାନଙ୍କ ଯୋଗ୍ୟତା, ଦକ୍ଷତା ଓ ବରିଷ୍ଠତା ଆଧାରରେ କେତେକ ଅଣ ସଂରକ୍ଷିତ ପଦବୀ ଦିଆଯାଇଛି । ଅଥଚ ସହକାରୀ ଯନ୍ତ୍ରୀ ପଦବୀରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ଦିଆଯିବା ବେଳେ ପୂର୍ତ୍ତ ବିଭାଗର କେତେକ ଅଧିକାରୀ ଅଯଥାରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାରୁ ପ୍ରାୟ ୩୦୦ ଯନ୍ତ୍ରୀ ପଦବୀ ପଦୋନ୍ନତି ଭିତ୍ତିରେ ପୂରଣ ହୋଇପାରୁ ନାହିଁ ।

ଏଥିଲାଗି ୪ମାସ ତଳୁ ବିଭାଗୀୟ ପଦୋନ୍ନତି କମିଟି ସୁପାରିସ କରିସାରିଛନ୍ତି । ଆଇନ୍‍ ଅଦାଲତଙ୍କ କଟକଣା ଯୋଗୁ ପଦବୀ ପୂରଣ ହୋଇପାରୁ ନାହିଁ ବୋଲି କୁହାଯାଉଥିବା ବେଳେ ସରକାରଙ୍କ ପକ୍ଷରୁ ଅଦାଲତଙ୍କ ନିକଟରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରାଯାଉନଥିବାରୁ ମାମଲା ଗଡ଼ି ଚାଲୁଛି ବୋଲି ପଦୋନ୍ନତି କ୍ଷେତ୍ରରୁ ବଞ୍ôଚତ ଉଭୟ ସଂରକ୍ଷିତ ଓ ଅଣ ସଂରକ୍ଷିତ ବର୍ଗର ଅଧିକାରୀମାନେ ଖୋଲା ଅଭିଯୋଗ କରୁଛନ୍ତି ।(ତଥ୍ୟ)