Home Finance ପଦବୀ ପୂରଣ ପାଇଁ ଅର୍ଥ ବାଧକ

ପଦବୀ ପୂରଣ ପାଇଁ ଅର୍ଥ ବାଧକ

ଭୁବନେଶ୍ୱର : ଆର୍ଥିକ ସଂକଟ ଯୋଗୁ ରାଜ୍ୟରେ ଖାଲି ପଡିଥିବା ବିଭିନ୍ନ ପାହ୍ୟାର ସରକାରୀ ପଦପଦବୀରୁ ଅଧିକାଂଶ ପୂରଣ ହୋଇପାରୁ ନାହିଁ । ଫଳରେ ବହୁୂ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ତଳିଆ କର୍ମଚାରୀଙ୍କ ପର୍ଯ୍ୟନ୍ତ ଅନେକ ଏକାଧିକ ଦାୟିତ୍ୱରେ ରହୁଛନ୍ତି । ଆର୍ଥିକ ସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ଖାଲି ପଡିଥିବା ସମସ୍ତ ପଦପଦବୀ ପୂରଣ କରାଯିବା ସମ୍ଭବପର ନୁହେଁ ବୋଲି ଅର୍ଥନୀତି ଓ ଯୋଜନା ବିଶାରଦମାନେ କହୁଛନ୍ତି ।

୨୦୨୪ ଆରମ୍ଭ ବେଳକୁ ରାଜ୍ୟରେ ୨ଲକ୍ଷ ୫ ହଜାରରୁ ଅଧିକ ଚାକିରି ବିଭିନ୍ନ ସରକାରୀ ପଦପଦବୀରେ ଖାଲି ପଡିଥିଲା । ଏହାପରଠାରୁ ଯେତେ ପଦବୀ ଖାଲି ହୋଇଛି ଓ ଯେତେ ନୂଆ ନିଯୁକ୍ତି ହୋଇଛି ତାହାର ସ୍ପଷ୍ଟ ଚିତ୍ର ଉପଲବ୍ଧ ନଥିଲେ ମଧ୍ୟ ଖାଲି ପଦବୀ ସଂଖ୍ୟା ଏବେ ପ୍ରାୟ ୧ଲକ୍ଷ ୮୦ ହଜାର ହେବ ବୋଲି ଆଶଙ୍କା କରାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟର ନିଅଣ୍ଟିଆ ଆର୍ôଥକ ସମସ୍ୟା ଦୃଷ୍ଟିରୁ ପଦପଦବୀ ଉଚ୍ଛେଦ ସହିତ ନୂଆ ପଦବୀରେ ନିଯୁକ୍ତି ଉପରେ କଟକଣା ୧୯୯୯ ମମିହାରେ ଜାରି କରାଯାଇଥିଲା । ତଦନୁଯାୟୀ ସରକାରୀ ଚାକିରିରେ ପାଖାପାଖି ଲକ୍ଷେ ପଦବୀ ଉଚ୍ଛେଦ ହୋଇସାରିଛି । ନୂଆ ପଦବୀ ପୂରଣ ପାଇଁ ଅର୍ଥ ବିଭାଗର ଅନୁମୋଦନ ଆବଶ୍ୟକ ପଡୁଥିବାବେଳେ ଅନେକ କ୍ଷେତ୍ରରେ ଆଉଟ୍‍ ସୋର୍ସିଂ ମାଧ୍ୟମରେ ପଦବୀମାନ ପୂରଣ ହେଉଛି । ଶିକ୍ଷାନୁଷ୍ଠାନଗୁଡ଼ିକରେ ଏ ପରିପ୍ରେକ୍ଷୀରେ ଅତିଥି ଶିକ୍ଷକମାନେ ଆଶାବାଡ଼ି ସାଜିଛନ୍ତି ।

୧୯୯୯-୨୦୦୦ ବେଳକୁ ଓଡ଼ିଶାର ଋଣ ଭାର ପ୍ରାୟ ୧୮,୧୦୦ କୋଟି ଥିଲା । ଏହା ବଢ଼ିବଢ଼ି ଗତ ଅକ୍ଟୋବର ସୁଦ୍ଧା ୧ଲକ୍ଷ ୨୬ ହଜାର କୋଟି ଟଙ୍କାକୁ ଟପିଛି । ରାଜ୍ୟ ସରକାରଙ୍କ ଆକଳନ ମୁତାବକ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣ ବୋଝ ଅନ୍ୟୁନ ୧ଲକ୍ଷ ୩୫ ହଜାର କୋଟି ଟଙ୍କାରେ ପହଞ୍ôଚବ । ଏଭଳି ସ୍ଥିତିରେ ୨୦୨୬-୨୭ ଆର୍ôଥକ ବର୍ଷରେ ମଧ୍ୟ ରାଜ୍ୟ ସରକାର ବିଗତ ବର୍ଷଗୁଡ଼ିକ ତୁଳନାରେ ଅଧିକ ଋଣ ଉଠାଇବା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ ।

ଏବେ ରାଜ୍ୟର ପ୍ରାୟ ୧୭ଟି ବିଶ୍ୱବିଦ୍ୟାଳୟରେ ନିୟମିତ କୁଳପତି ନାହାନ୍ତି । ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଅନ୍ୟୁନ ୬୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଛି । ସେହିଭଳି ଡାକ୍ତରଖାନାଗୁଡ଼ିକରେ ବି ୬୦ ପ୍ରତିଶତରୁ ଅଧିକ ପଦବୀ ଖାଲି ପଡିଛି । ବ୍ଲକ, ତହସିଲଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ଓ ରାଜ୍ୟସ୍ତରୀୟ ବିଭିନ୍ନ ଦପ୍ତରରେ ମାଳମାଳ ପଦବୀ ଖାଲି । ଯଦି ପ୍ରଶାସନିକ କାର୍ଯ୍ୟ ତୁଲାଇବା ପାଇଁ କୃତ୍ରିମ ବୁଦ୍ଧିମତା (ଏଆଇ)ର ଉପଯୋଗ କରାଯାଏ ତେବେ ଖାଲି ପଦବୀ ସଂଖ୍ୟା ଢେର ଅଧିକ ବୃଦ୍ଧି ପାଇବ ।

ଗୋଟିଏ ପଟେ ରାଜ୍ୟରେ ଅନ୍ୟୁନ ୩କୋଟି ୩୦ ଲକ୍ଷ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ଆବଶ୍ୟକ ହେଉଛି । ଏହାଛଡ଼ା ୫୬ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ବିଭିନ୍ନ ସାମାଜିକ ନିରାପତ୍ତା ଯୋଜନାରେ ଭତ୍ତାମାନ ମିଳୁଛି । ପାଖାପାଖି କୋଟିଏ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାରେ ଅର୍ଥ ବ୍ୟବସ୍ଥା କରିବାକୁ ପଡୁଛି । ଏହାଛଡ଼ା କୃଷି, ଶିଳ୍ପ ଆଦିଲାଗି ସରକାରଙ୍କୁ ମଧ୍ୟ ମୋଟା ଅଙ୍କର ରିହାତି ଦେବାକୁ ହେଉଛି ।

ରାଜ୍ୟ ସରକାରଙ୍କ ଆୟର ମୁଖ୍ୟାଂଶ ଖଣିରୁ ଆସୁଛି । ତେବେ ଏ ବାବଦରେ ଯେତେ ଖଣିଜ ସଂପଦ କାରବାର ହେଉଛି ସେଥିରୁ ମାତ୍ରାଧିକ ଚୋରା ବଜାରରେ ଯାଉଛି । କର୍ମ ନିଯୁକ୍ତି ଅଭାବରୁ ଓଡ଼ିଶାରୁ ଲକ୍ଷଲକ୍ଷ ଲୋକ ଅନ୍ୟ ରାଜ୍ୟକୁ ବାଧ୍ୟ ହୋଇ ଚାଲିଯାଉଛନ୍ତି । ଏମିତିକି ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ କଲେଜ୍‍ ଓ ୟୁନିଭର୍ସିଟ୍‍ର ଯୋଗ୍ୟ ଛାତ୍ରମାନେ ମଧ୍ୟ ନିଯୁକ୍ତି ନପାଇ ବାର ଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି । ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରୁଛନ୍ତି ଯେ ଗ୍ରାମ୍ୟ ଶିଳ୍ପକୁ ପ୍ରାଧାନ୍ୟ ଦେବା ସହିତ କୃଷି ଓ କୃଷିଭିତ୍ତିକ ଶିଳ୍ପର ବିକାଶ ଘଟିଲେ ହିଁ ରାଜ୍ୟର ଉନ୍ନତି ହୋଇପାରିବ । ଏହାଛଡ଼ା ପ୍ରଗତିର ସବୁଠାରୁ ବଡ଼ ପ୍ରତିବନ୍ଧକ ଭାବେ ନିଶା ପ୍ରସାର ଉଭା ହୋଇଥିବାରୁ ଏହାର ନିୟନ୍ତ୍ରଣ କରାନଯିବା ପର୍ଯ୍ୟନ୍ତ ସମସ୍ୟା ଲାଗି ରହିପାରେ ।