ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ଶେଷ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ବିଶ୍ୱବିଦ୍ୟାଳୟଗୁଡିକରେ ଖାଲି ପଡିଥିବା କୁଳପତିଙ୍କ ଠାରୁ ଆରମ୍ଭକରି ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡିକ ପୂରଣ ହେବା ସମ୍ଭାବନା କ୍ଷୀଣ । ତେବେ ଆଗାମୀ ଶିକ୍ଷାବର୍ଷରେ ଏସବୁ ପଦବୀ ପୂରଣ ହୋଇପାରିବ ନାହିଁ ସେଥିଘେନି କେହି କିଛି ସ୍ପଷ୍ଟ ସୂଚନା ଦେଇପାରୁ ନାହାନ୍ତି ।
ଉଚ୍ଚଶିକ୍ଷା ବିଭାଗ ଅଧିନରେ ରାଜ୍ୟରେ ଅନ୍ୟୁନ ୨୫ଟି ବିଶ୍ୱବିଦ୍ୟାଳୟ ଥିବାବେଳେ ସେଥିରୁ ୭ଟି ବେସରକାରୀ ଓ ୧୮ଟି ସରକାରୀ ବିଶ୍ୱବିଦ୍ୟାଳୟ । ୧୯୪୩ ମସିହାରେ ଓଡିଶାର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ଜନ୍ମଲାଭ କରିଥିବାବେଳେ ଏବେ ରାଜ୍ୟରେ ବିଭିନ୍ନ ବିଭାଗର ବିଶ୍ୱବିଦ୍ୟାଳୟ ସଂଖ୍ୟା ୪୩ରେ ପହଞ୍ଚିଲାଣି ।
ଉଚ୍ଚଶିକ୍ଷା ବିଭାଗର ଏହି ୧୮ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଉତ୍କଳ, ମା’ମାଣିକେଶ୍ୱରୀ, ଗଙ୍ଗାଧର ମେହେର, ରମାଦେବୀ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଖଲିକୋଟ ବିଶ୍ୱବିଦ୍ୟାଳୟ, ଧରଣୀଧର, ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଓ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଆଦିରେ ନିୟମିତ କୁଳପତି ନଥିବାରୁ ଏଗୁଡିକ ଏବେ ଅସ୍ଥାୟୀ କୁଳପତିମାନଙ୍କ ଦ୍ୱାରା ଚାଲୁଛି । କେନ୍ଦୁଝର ଓ ଜୟପୁର ସ୍ଥିତ ଦୁଇଟିଯାକ ସରକାରୀ ବିଶ୍ୱବିଦ୍ୟାଳୟ ଆରମ୍ଭ ହେବା ଦିନରୁ କୁଳପତି ନିଯୁକ୍ତ ହୋଇନାହିଁ । କେତେକ ସ୍ଥାନରେ ଗୋଟିଏ ବିଶ୍ୱବିଦ୍ୟାଳୟର କୁଳପତି ଅନ୍ୟ ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ ରହୁଛନ୍ତି ।
ଚଳିତବର୍ଷରେ ରେଭେନ୍ସା, ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ କୁଳପତିମାନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଶିକ୍ଷା ବିଭାଗ ଅଧିନରେ ଥିବା ଏହି ବିଶ୍ୱବିଦ୍ୟାଳୟଗୁଡିକରେ ପ୍ରାୟ ୧୨୦୦ ଶିକ୍ଷକ ପଦବୀ ଖାଲିପଡିଛି । ମୋଟାମୋଟି ଭାବେ ଉଚ୍ଚଶିକ୍ଷା ବିଭାଗର ନିୟନ୍ତ୍ରଣରେ ଥିବା ଏହି ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ପ୍ରାୟ ୬୨ ପ୍ରତିଶତ ଶିକ୍ଷକ ପଦବୀ ଖାଲି । ଅନେକ ବିଷୟର ପ୍ରଫେସର ପଦବୀ ମଧ୍ୟ ବର୍ଷ ବର୍ଷ ଧରି ଖାଲିପଡୁଛି ।
ମୋଟାମୋଟି ଭାବେ ଏହି ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ଥିବା ୨୭୪ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀରୁ ୨୨୫ଟି ଖାଲି ପଡିଥିବାବେଳେ ୫୫୦ଟି ମଞ୍ଜୁରୀପ୍ରାପ୍ତ ସହଯୋଗୀ ପ୍ରଫେସର ପଦବୀରୁ ୪୦୧ଟି ଖାଲି ପଡିଛି । ଠିକା ଓ ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଥିବା ଓଡିଶାର ଏହି ବିଶ୍ୱବିଦ୍ୟାଳୟଗୁଡିକ ନେତାମାନଙ୍କ ଭାଷଣରେ କିଭଳି ବିଶ୍ୱସ୍ତରୀୟ ହେବେ ସେଥିଘେନି ଛାତ୍ରଛାତ୍ରୀ, ଗବେଷକ ଓ ବୁଦ୍ଧିଜୀବୀ ମହଲ ବିସ୍ମୟ ପ୍ରକାଶ କରୁଛନ୍ତି । କେବଳ ସେତିକି ନୁହେଁ, ଏହି ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ୨୯୬୯ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ସେଥିରୁ ବି ପାଖାପାଖି ୨୨୦୦ ପଦବୀ ଖାଲି ପଡିଛି । ଏବେ କ୍ୟାଡର ପୁର୍ନଗଠନ ଆଳରେ ଉତ୍କଳ ସମେତ ଅନେକ ବିଶ୍ୱବିଦ୍ୟାଳୟ ବହୁ ସେକ୍ସନ ଅଫିସର ପଦବୀ ସହିତ ଅନ୍ୟ ଅଣଶିକ୍ଷକ ପଦବୀ ସଂଖ୍ୟା ହ୍ରାସ କର।।ଯାଇଥିବାରୁ କର୍ମଚାରୀ ମହଲରେ ବି ପ୍ରତିକ୍ରିୟା ସୃଷ୍ଟି ହେଉଛି । ତେବେ ବିଶ୍ୱବିଦ୍ୟାଳୟଗୁଡିକର ଏଭଳି ଦୟନୀୟ ସ୍ଥିତି ଲାଗି ରହିଥିବାବେଳେ ଶିକ୍ଷକ ଓ ଛାତ୍ର ସଂଗଠନ ଓ ରାଜନୈତିକ ଦଳମାନେ ସ୍ୱର ଉଠାଉ ନାହାନ୍ତି ।
୨୦୨୦ ମସିହାର ବିଶ୍ୱବିଦ୍ୟାଳୟ ଆଇନ୍ ସଂଶୋଧନ ପରେ ଅଦାଲତି ବିବାଦ ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ଚାଲିଥିବାରୁ କୁଳପତିଙ୍କ ପଦବୀ ସମେତ ଅନ୍ୟାନ୍ୟ ପଦବୀ ବି ପୂରଣ ହୋଇପାରୁ ନାହିଁ । ଏହି ଆଇନ୍କୁ ପ୍ରତ୍ୟାହାର କରିନେଇ ନୂଆ ସଂଶୋଧିତ ଆଇନ୍ ବ୍ୟବସ୍ଥା କରିବାପାଇଁ ଚାଲିଥିବା କସରତରୁ ଏଯାବତ୍ କିଛ ଫଳ ମିଳୁନାହିଁ । ବିଧାନସଭାରେ ଏ ସଂକ୍ରାନ୍ତୀୟ ସଂଶୋଧନ ବିଲ୍ ମଧ୍ୟ ଏଯାବତ୍ ଆଲୋଚନା ହୋଇନାହିଁ । (ତଥ୍ୟ)