Home General ପଣ୍ୟାଗାର ନିଗମ ସୌଧର ଶିଳାନ୍ୟାସ

ପଣ୍ୟାଗାର ନିଗମ ସୌଧର ଶିଳାନ୍ୟାସ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ନୂତନ ମୁଖ୍ୟ କାର୍ଯ୍ୟାଳୟ ସୌଧ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ୧୯୫୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।

ଏହି ନିଗମ ରାଜ୍ୟର ୩୦ଟି ଜିଲ୍ଲାର ୬୮ଟି ସ୍ଥାନରେ ମୋଟ ୫,୨୧,୪୦୦ ମେଟ୍ରିକ ଟନ କ୍ଷମତାବିଶିଷ୍ଟ ଗୋଦାମଘର ପରିଚାଳନା କରି ମୁଖ୍ୟତଃ କୃଷିଜାତ ଦ୍ରବ୍ୟର ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ ଓ ସୁଷମ ବଣ୍ଟନର ଆନୁଷଙ୍ଗିକ ବ୍ୟବସ୍ଥାକୁ ସହାୟତା ଯୋଗାଇଥାଏ । ଭୁବନେଶ୍ୱରସ୍ଥିତ ପ୍ଲଟ ନମ୍ବର-୨, କଟକ ରୋଡର ଏକ ପ୍ରମୁଖ ସ୍ଥାନରେ ଅବସ୍ଥିତ ଥିବା ନିଗମର ମୁଖ୍ୟ କାର୍ଯ୍ୟାଳୟ ପଣ୍ୟାଗାରଗୁଡିକର ସମସ୍ତ ବ୍ୟବସାୟିକ କାର୍ଯ୍ୟକୁ ପରିଚାଳନା କରିଥାଏ ।

ନିଗମର ବ୍ୟବସାୟିକ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ଏହାର କାର୍ଯ୍ୟ ପରିସରର ଆବଶ୍ୟକତାକୁ ପୂରଣ କରିବା ପାଇଁ ମୌଳିକ ସୁବିଧାଯୁକ୍ତ ଭିତ୍ତିଭୂମି ସୃଷ୍ଟି ନିମନ୍ତେ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ନୂତନ ୪ ମହଲା ବିଶିଷ୍ଟ ଅଫିସ ସୌଧ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ୧୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ଇଡକୋ, ଭୁବନେଶ୍ୱରକୁ
ଦିଆଯାଇଛି ।

କର୍ପୋରେଟ ଅଫିସର କାର୍ଯ୍ୟ ପାଇଁ ଗ୍ରାଉଣ୍ଡ ଓ ପ୍ରଥମ ମହଲା (୧୪,୨୦୮ ବର୍ଗଫୁଟ ) ବ୍ୟବହାର କରାଯିବ ଓ ଦ୍ୱିତୀୟ ଓ ତୃତୀୟ ମହଲା (୧୯,୧୯୭ ବର୍ଗଫୁଟ) ଭଡାସୂତ୍ରରେ ଅନ୍ୟ ସଂସ୍ଥାମାନଙ୍କୁ ଦିଆଯିବ ଯେଉଁଥିରୁ ବହୁ ପରିମାଣର ରାଜସ୍ୱ ମିଳିପାରିବ । ଏହି ଅଟ୍ଟାଳିକାଟି କାର୍ଯ୍ୟକ୍ଷେତ୍ରର ଆବଶ୍ୟକତା ଅନୁଯାୟୀ ନିଗମର ଅଧ୍ୟକ୍ଷ, ପରିଚାଳନା ନିର୍ଦ୍ଦେଶକ, ଅନ୍ୟାନ୍ୟ ଅଧିକାରୀ ଏବଂ ସହକାରୀ କର୍ମଚାରୀମାନଙ୍କୁ ଉତ୍ତମ ପରିବେଶ ଯୋଗାଇବା ସଙ୍ଗେ ସଙ୍ଗେ ଅଭ୍ୟର୍ଥନା କକ୍ଷ, ନିର୍ଦ୍ଦେଶକମଣ୍ଡଳୀ ପ୍ରକୋଷ୍ଠ, ପରିଦର୍ଶକ ବିଶ୍ରାମ କକ୍ଷ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇପାରିବ । ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି ।
ଓଡିଶା ରାଜ୍ୟ ଯୋଗାଣ ନିଗମ ଓ ଭାରତୀୟ ଖାଦ୍ୟ ନିଗମ ମୁଖ୍ୟତଃ ପଣ୍ୟାଗାର ନିଗମର ଗୋଦାମଘରଗୁଡିକୁ ଖାଦ୍ୟଶସ୍ୟ ସଂରକ୍ଷଣ ପାଇଁ ବ୍ୟବହାର କରନ୍ତି । ଏତଦ୍‌ବ୍ୟତୀତ ନିଗମ ନାଫେଡ୍‌, ସ୍ୱତନ୍ତ୍ର ରିଲିଫ କମିଶନର, ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା, ମେକନ ଲିମିଟେଡ, ଓଡିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ, ସାର କମ୍ପାନୀ ଓ ଅନ୍ୟାନ୍ୟ ବେସରକାରୀ ଜମାକାରୀଙ୍କର ବିଭିନ୍ନ ସାମଗ୍ରୀର ବୈଜ୍ଞାନିକ ସଂରକ୍ଷଣ ସୁବିଧା ଉପଲବ୍ଧ କରାଇଥାଏ ।

ଗୋଦାମଗୁଡିକର ଉପଯୁକ୍ତ ଉପଯୋଗ ଏବଂ ହିତାଧିକାରୀମାନଙ୍କୁ ଉନ୍ନତ ସେବା ପ୍ରଦାନ ଯୋଗୁଁ ନିଗମ କ୍ରମାଗତ ଭାବରେ ଲାଭ କରୁଅଛି ଏବଂ ଏହାର ଅଂଶୀଦାର ରାଜ୍ୟ ସରକାର ଓ କେନ୍ଦ୍ରୀୟ ପଣ୍ୟାଗାର ନିଗମକୁ ନିୟମିତ ଭାବରେ ଲାଭାଂଶ ପ୍ରଦାନ କରିଆସୁଛି ।

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ଆଗାମୀ ଦିନରେ ନିଜର କାର୍ଯ୍ୟକ୍ରମକୁ ପ୍ରସାରଣ ଓ ସଫଳ ରୂପାୟନ କରି କାର୍ଯ୍ୟକ୍ଷମ ପ୍ରକ୍ରିୟାର ସର୍ବୋଚ୍ଚ ମାନ୍ୟତାକୁ ସୁନିଶ୍ଚିତ କରିବା ସହିତ ପୃଷ୍ଠପୋଷକମାନଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଅଛି । ଏହି କାର୍ଯ୍ୟକ୍ରମରେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର କୁମାର ବଢେଇ ଏବଂ ପରିଚାଳନା ନିର୍ଦ୍ଦେଶକ ଗଣେଶ୍ୱର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।