ଭୁବନେଶ୍ୱର : ରାଜ୍ୟରେ ବହୁ ଆଡମ୍ବରରେ ଆରମ୍ଭ ହୋଇଥିବା ପଣସ ମିଶନ ପାଇଁ ବ୍ୟୟ ବରାଦ ହ୍ରାସ ପାଇଛି । ଯୋଜନାକୁ ତିନି ବର୍ଷ ବିତିଥିଲେ ମଧ୍ୟ ହିତାଧିକାରୀଙ୍କ ସଂଖ୍ୟା ଦୁଇ ଶହ ଛୁଇଁପାରି ନାହିଁ ।
ରାଜ୍ୟରେ ପଣସ ଚାଷର ବ୍ୟାପକ ସୁଯୋଗ ରହିଥିବା ଓ ଏବଂ ଜାତୀୟ ଓ ଆର୍ନ୍ତଜାତୀୟ ବଜାରରେ ଏହାର ଚାହିଦାକୁ ଦେଖି ରାଜ୍ୟ ସରକାର ୨୦୨୨-୨୩ ବର୍ଷରେ ପଣସ ମିଶନ ଆରମ୍ଭ କରିଥିଲେ । ସେହିବର୍ଷ ରାଜ୍ୟ ସରକାର ଏଥିପାଇଁ ୧୫ଲକ୍ଷ ଟଙ୍କା ଯୋଗାଇ ଦେଇଥିବାବେଳେ ଏହା ପରବର୍ତ୍ତୀ ଅର୍ଥାତ୍ ୨୦୨୩-୨୪ ବର୍ଷରେ ବ୍ୟୟ ପରିବାଣ ୫କୋଟି ୧୫ଲକ୍ଷ ଟଙ୍କାକୁ ଟପିଯାଇଥିଲା । କିନ୍ତୁ ୨୦୨୪-୨୫ ବର୍ଷରେ ପଣସ ମିଶନ ପାଇଁ ବ୍ୟୟ ବରାଦ ରହିଛି ୫୧ଲକ୍ଷ ଟଙ୍କା ।
ରାଜ୍ୟର ଆଠଟି ଜିଲ୍ଲା ଯଥା ଢେଙ୍କାନାଳ, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡା, କେନ୍ଦୁଝର, ମୟୁରଭଞ୍ଜ ଓ ମାଲକାନଗିରି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ୨୦୨୨-୨୩ ବର୍ଷରେ ଏହିସବୁ ଜିଲ୍ଲାରେ ୮୪ ହେକ୍ଟର ଜମିରେ ପଣସ ଚାଷ ହୋଇଥିବାବେଳେ ଏଥିରେ ହିତାଧିକାରୀଙ୍କ ସଂଖ୍ୟା ୯୮ ଥିଲା । ତେବେ ୨୦୨୩-୨୪ବର୍ଷରେ ପଣସ ଚାଷର ପରିମାଣ ୧୦୦ହେକ୍ଟରକୁ ଟପିଥିବାବେଳେ ହିତାଧିକାରୀଙ୍କ ସଂଖ୍ୟା ୧୪୦ ହୋଇଥିଲା । କିନ୍ତୁ ୨୦୨୪-୨୫ ବର୍ଷରେ ପଣସ ଚାଷ ଜମିର ପରିମାଣ ୭୮ ହେକ୍ଟରକୁ ହ୍ରାସ ପାଇଥିବାବେଳେ ହିତାଧିକାରୀଙ୍କ ସଂଖ୍ୟା କିନ୍ତୁ ୧୪୯କୁ ବୃଦ୍ଧି ପାଇଛି ।
ତେବେ ରାଜ୍ୟରେ ପଣସ ଚାଷର ବ୍ୟାପକ ସୁଯୋଗ ରହିଥିବା ଏବଂ ସରକାର ଏଥିପାଇଁ ମିଶନ ଗଠନ କରିଥିଲେ ମଧ୍ୟ ପଣସ ଚାଷ ଇଲାକା ଓ ହିତାଧିକାରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉନାହିଁ । ଏହାର କାରଣ ମିଶନ ପାଇଁ ହେଉଥିବା ବ୍ୟୟ ବରାଦକୁ ଦାୟୀ କରାଯାଉଛି ।
ତେବେ ଓଡିଶା ବାହାରେ ଓଡିଶାରୁ ଉତ୍ପାଦିତ କଞ୍ଚା ପଣସର ବ୍ୟାପକ ଚାହିଦା ଥିବାରୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ବିପୁଳ ପରିମାଣର ପଣସ ସଂଗ୍ରହ କରୁଛନ୍ତି । ଏଥିପାଇଁ ରାଜ୍ୟ ବାହାରର ବ୍ୟବସାୟୀମାନେ କଞ୍ଚା ପଣସ ନେବାପାଇଁ କନ୍ଧମାଳ, ଗଜପତି, ରାୟଗଡା ଆଦି ଜିଲ୍ଲାରେ ମାସ ମାସ ଧରି ଡେରା ପକାଇବା ସହିତ ଟ୍ରକ ଟ୍ରକ ପଣସ ରାଜ୍ୟ ବାହାରକୁ ନେଇ ଯାଉଛନ୍ତି । ପଣସର ସେଭଳି କିଛି ନିର୍ଦ୍ଦିଷ୍ଟ ଦର ନଥିବାରୁ ପଣସ ବିକ୍ରି କରୁଥିବା ଆଦିବାସୀମାନେ ଅତ୍ୟନ୍ତ କମ୍ ମୂଲ୍ୟ ପାଉଥିବାବେଳେ ବ୍ୟବସାୟୀ ଓ ମଧ୍ୟସ୍ଥିମାନେ କିନ୍ତୁ ବେଶ୍ ଲାଭବାନ୍ ହେଉଛନ୍ତି ।
ତେବେ ଜାତୀୟ ଓ ଆର୍ନ୍ତଜାତୀୟ ବଜାରରେ ପଣସ ମଞ୍ଜିରୁ ପ୍ରସ୍ତୁତ ଅଟାର ବେଶ୍ ଚାହିଦା ରଖିଥିବାବେଳେ ଏଥିପାଇଁ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରାଯାଉଛି । ସେହିଭଳି ପାକଳ ପଣସରୁ ପ୍ରସ୍ତୁତ ଚିପ୍ସର ମଧ୍ୟ ବେଶ୍ ଚାହିଦା ରହିଛି । ତେଣୁ କଞ୍ଚା ପଣସ ବ୍ୟବସାୟରୁ ଆଦିବାସୀମାନେ ଯେଭଳି ସଠିକ୍ ପ୍ରାପ୍ୟ ପାଇବେ ଏବଂ ପଣସରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ସହିତ ତାହାର ବଜାର ବ୍ୟବସ୍ଥା ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ ପାଇଛି । (ତଥ୍ୟ)