ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ବିଭିନ୍ନ ବିଷୟରେ ସଚେତନ କରିବାପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ସହରର ବିଭିନ୍ନ ସ୍ଥାନରେ ସୁଉଚ୍ଚ ଇଲେକଟ୍ରୋନିକ ବୋର୍ଡମାନ ଲଗାଇଛନ୍ତି । ଏଥିରେ ଉଭୟ ଇଂରାଜୀ ଓ ଓଡିଆରେ ସଚେତନତା ବାର୍ତ୍ତା ଛାଡୁଛନ୍ତି । ହେଲେ ଏହି ବାର୍ତ୍ତାକୁ କିନ୍ତୁ ଲୋକେ ସହଜରେ ପଢିପାରୁ ନାହାନ୍ତି ।
ସହରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ବ୍ୟାପକ ଖର୍ଚ୍ଚରେ ସୁଉଚ୍ଛ ଖମ୍ବ ଉପରେ ଏହି ବୋର୍ଡ ଲାଗିଛି । ସେଥିରେ ଲେଖାଥିବା ବାର୍ତ୍ତାକୁ ପଢିବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ରାସ୍ତା ମଝିରେ ଅଟକିବା ସହିତ ଗାଡିମୋଟର ଭିତରୁ ମୁଣ୍ଡ ବାହାର କରିବାକୁ ପଡିବ । ସେହିଭଳି ଦୁଇ ଚକିଆ ଆରୋହୀମାନେ ବେକ ଭାଙ୍ଗି ନଚାହିଁଲେ ତାହାକୁ ପଢିବା ମୁସ୍କିଲ୍ ।
ଏହି ବୋର୍ଡଗୁଡିକ ବହୁ ସ୍ଥାନରେ ଟ୍ରାଫିକ ପୋଷ୍ଟର ପୂର୍ବରୁ ଲାଗିଛି । ବାର୍ତ୍ତା ପଢିବାକୁ ହେଲେ ଖମ୍ବର ଯଥେଷ୍ଟ ପଛକୁ ଅଟକିବାକୁ ପଡିବ । ଯଦି ଜଣେ ବ୍ୟକ୍ତି ଆଗ୍ରହ ପ୍ରକାଶ କରି ଏହାକୁ ପଢିବାକୁ ଉଦ୍ୟମ କରିବ ତେବେ ତାକୁ ମଝି ରାସ୍ତାରେ ଅଟକିବାକୁ ପଡିବ ଏବଂ ପଛରୁ ଆସୁଥିବା ଗାଡି ଚାଳକଙ୍କ ଠାରୁ ଗାଳି ଶୁଣିବାକୁ ପଡିବ ବୋଲି ଅନେକ ମତ ଦେଉଛନ୍ତି ।
ତେବେ ରାଜଧାନୀବାସୀଙ୍କ ମତରେ ଏତେ ଉଚ୍ଚରେ ଏହି ବୋର୍ଡଗୁଡିକ ଲଗାଇବା ବଦଳରେ ଅଳ୍ପ ଉଚ୍ଚରେ ଏବଂ ବିଭିନ୍ନ ଟ୍ରାଫିକ ଛକରେ ଲୋକେ ଅଟକୁଥିବା ସ୍ଥାନର ଅପର ପାଶ୍ୱର୍ରେ ଏହା ଲଗାଯାଇଥିଲେ ଲେଖାଗୁଡିକ ପଢିବାରେ ସହଜ ହୋଇଥାନ୍ତା । ହେଲେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ତାହା ନକରି ସୁଉଚ୍ଚ ଖମ୍ବରେ ଯେଭଳି ବ୍ୟାପକ ଅର୍ଥ ବ୍ୟୟରେ ଇଲେକଟ୍ରୋନିକ ବୋର୍ଡଗୁଡିକ ଲଗାଇ ଦେଇଛନ୍ତି ତାହାକୁ ପଢିବା ଆଦୌ ସହଜ ହେଉନାହିଁ । କେତେକ ସ୍ଥାନରେ ଟ୍ରାଫିକ ଛକରେ ରହଣି ସ୍ଥାନ ଠାରୁ ଏହା ଢେର ପଛରେ ରହିଥିବାରୁ ଲୋକେ ଅଟକିଲେ ମଧ୍ୟ ସଚେତନତା ବାର୍ତ୍ତାଟିକୁ ପଢିପାରୁ ନାହାନ୍ତି ।
ଅନ୍ୟ ପକ୍ଷରେ ଏହି ଇଲେକଟ୍ରୋନିକ ବୋର୍ଡରେ ଅଧିକାଂଶ ସମୟରେ ଛୋଟ ଛୋଟ ଅକ୍ଷରରେ ବାର୍ତ୍ତା ଆସୁଥିବାରୁ ଜଣେ ଚାହିଁଲେ ବି ତାକୁ ସହଜରେ ପଢିପାରିବ ନାହିଁ । କେତେବେଳେ ସୂର୍ଯ୍ୟ କିରଣ ପଡିବାରୁ ଏହା ଦୃଶ୍ୟମାନ ହେଉନାହିଁ ତ ଆଉ କେତେବେଳେ ବିଦ୍ୟୁତ୍ ଆଲୋକରେ । ତେଣୁ ଏହାକୁ ଲଗାଇବା ସମୟରେ ଲୋକେ କିଭଳି ଏହାକୁ ସହଜରେ ପଢିପାରିବେ ସେଥିପ୍ରତି ଦୃଷ୍ଟି ଦିଆଯାଇଥିବା ଲକ୍ଷ୍ୟ କରାଯାଉଛି ।
ରାଜଧାନୀର କେତେ ଛକରେ ଲାଗିଥିବା ଘରୋଇ ବିଜ୍ଞାପନ ସହିତ ପାଣିପାଗ ଓ ବାୟୁର ମାନ ସଂକ୍ରାନ୍ତରେ ସୂଚନା ଦେବାପାଇଁ ଇଲେକଟ୍ରୋନିକ ବୋର୍ଡମାନ ଲାଗିଛି । ଏହା ଅଳ୍ପ ଉଚ୍ଚରେ ଏବଂ ଠିକଣା ସ୍ଥାନରେ ଲାଗିଥିବାରୁ ଟ୍ରାଫିକ ଛକରେ ଅଟକି ରହୁଥିବା ଲୋକେ ସହଜରେ ସୂଚନା ପାଇ ପାରୁଛନ୍ତି । ହେଲେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଲକ୍ଷାଧିକ ଟଙ୍କା ବ୍ୟୟରେ ଛିଡା କରାଇଥିବା ସୁଉଚ୍ଚ ଇଲେକଟ୍ରୋନିକ୍ ବୋର୍ଡ ଆଦୌ କାମରେ ଆସୁନାହିଁ ବୋଲି ଅନେକ ବ୍ୟକ୍ତି ମତ ଦେଉଛନ୍ତି । (ତଥ୍ୟ)