ଭୁବନେଶ୍ୱର : ଆମ ରାଜ୍ୟରେ ୮୭ଟି ରକ୍ତ ଭଣ୍ଡାର ଥିବାବେଳେ ପଡୋଶୀ ପଶ୍ଚିମବଙ୍ଗରେ ୧୫୪, ଆନ୍ଧ୍ରପ୍ରଦେଶରେ ୨୨୧, ଛତିଶଗଡରେ ୧୧୮ଟି ରହିଛି । ତେବେ ରକ୍ତଭଣ୍ଡାର କ୍ଷେତ୍ରରେ ଉତ୍ତରପ୍ରଦେଶ ୪୬୦ଟି ସହିତ ଦେଶରେ ସର୍ବାଧିକ ରହିଥିବା କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନରୁ ଜଣାପଡିଛି ।
ଏହି ସୂଚନା ଅନୁଯାୟୀ ଓଡିଶାରେ ଥିବା ୮୭ଟି ରକ୍ତଭଣ୍ଡାର ମଧ୍ୟରୁ ୬୩ଟି ସରକାରୀ ହୋଇଥିବାବେଳେ ୨୪ଟି ବେସରକାରୀ । ଏହିସବୁ ରକ୍ତଭଣ୍ଡାର ଜରିଆରେ ରକ୍ତ ସଂଗ୍ରହ ଓ ବିତରଣ ହୋଇଥାଏ । ତେବେ ଇ ରକ୍ତ କୋଷ ପୋର୍ଟାଲର ତଥ୍ୟ ଅନୁଯାୟୀ ଚଳିତବର୍ଷ ଜାନୁୟାରୀ ରୁ ଜୁନ୍ ମାସ ମଧ୍ୟରେ ରାଜ୍ୟରେ ମୋଟ୍ ୪୭,୫୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ତେବେ ଗତବର୍ଷ ରାଜ୍ୟରେ ୮୬ହଜାର ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହ ହୋଇଥିବା ଦର୍ଶାଯାଇଛି ।
ସେହିଭଳି ଚଳିତବର୍ଷ ଜୁନ୍ମାସ ପର୍ଯ୍ୟନ୍ତ ରକ୍ତ ସଂଗ୍ରହ ଲାଗି ଆବଶ୍ୟକ ହେଉଥିବା ବ୍ୟାଗରୁ ଓଡିଶାକୁ ୫୦,୩୦୩ ଟି ପ୍ରଦାନ କରାଯାଇଛି । ଗତବର୍ଷ ଏହି ସଂଖ୍ୟା ୭୧ହଜାରରୁ ଅଧିକ ରହିଥିଲା । ଏହି କିଟ୍ଗୁଡିକ ଜରିଆରେ ବିଭିନ୍ନ ରକ୍ତଭଣ୍ଡାର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକ ଜରିଆରେ ରକ୍ତ ସଂଗ୍ରହ କରାଯାଇଥାଏ ।
ତେବେ ଅନ୍ୟଏକ ସୂଚନା ଅନୁଯାୟୀ ଆମ ରାଜ୍ୟରେ ବାର୍ଷିକ ପ୍ରାୟ ୪ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ ହେଉଥିବାବେଳେ ଏହା ଆବଶ୍ୟକତା ଠାରୁ ପାଖାପାଖି ଏକ ଲକ୍ଷ କମ୍ ରହୁଛି । ସଂଗ୍ରହ ହେଉଥିବା ରକ୍ତର ତାଲିକା ଇ-ରକ୍ତ କୋଷ ପୋର୍ଟାଲରେ ଅପଲୋଡ ହେଉନଥିବାରୁ ଜାତୀୟ ସ୍ତରରେ ଏଭଳି ସୂଚନା ଦେଖିବାକୁ ମିଳୁଛି ।
ତେବେ ରାଜ୍ୟର ରକ୍ତଭଣ୍ଡାରଗୁଡିକରେ କାର୍ଯ୍ୟରତ କର୍ମଚାରୀଙ୍କ ନିଯୁକ୍ତି, ପାଉଣା ଓ ଅନ୍ୟାନ୍ୟ ଦାବିକୁ ନେଇ ଅସନ୍ତୋଷ ଲାଗି ରହିଛି । ବିଶେଷକରି ରକ୍ତଭଣ୍ଡାରଗୁଡିକୁ ସରକାର ନିଜ ଅଧିନକୁ ନେବାପରେ ବି ଏସବୁ ଠିକା କର୍ମଚାରୀଙ୍କ ହାତରେ ଚାଲିଛି । ଦିନ ରାତି ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ଅତି କମ୍ ପାରିଶ୍ରମିକ ପାଉଥିବାବେଳେ ସେମାନଙ୍କୁ ନିୟମିତ ଦାବିରେ ବାରମ୍ବାର ଆନ୍ଦୋଳନ ଓ ଧର୍ମଘଟ ଆଦି ଚଳାଉଛନ୍ତି ।
ସୂଚନା ଅନୁଯାୟୀ ସମଗ୍ର ରାଜ୍ୟରେ ଥିବା ୧୭୦ ଜଣ ଠିକା କର୍ମଚାରୀ ସେମାନଙ୍କୁ ନିୟମିତ ପାଇଁ ଦାବି କରି ଆସୁଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ୧୦/୧୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବାବେଳେ ପାଉଣା ବାବଦକୁ ୧୦ରୁ ୧୫ହଜାର ଟଙ୍କା ପାଉଛନ୍ତି । ଏହାବାଦ୍ ସେମାନଙ୍କୁ ଆଉ କୌଣସି ସରକାରୀ ସୁବିଧା ମିଳୁନାହିଁ । ରାଜ୍ୟରେ ଆବଶ୍ୟକତା ଠାରୁ କମ୍ ରକ୍ତ ସଂଗ୍ରହ ହେବା କ୍ଷେତ୍ରରେ କର୍ମଚାରୀଙ୍କ ପ୍ରତି ଏଭଳି ମନୋଭାବ ଅନ୍ୟତମ କାରଣ ବୋଲି କୁହାଯାଉଛି । ତେଣୁ ଲୋକଙ୍କ ଦିନ ରାତି ଖଟି ଲୋକଙ୍କ ଜୀବନ ବଞ୍ଚାଉଥିବା କର୍ମଚାରୀଙ୍କ ପ୍ରତି ସରକାର ଦରଦ ଦେଖାଇବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)