ଭୁବନେଶ୍ୱର : ବ୍ୟବହୃତ ଲୁବ୍ରିକାଣ୍ଟ (ତୈଳ)ର ବିପଦଜନ ସ୍ଥିତିରୁ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି) ସମସ୍ତ ବ୍ୟବହୃତ ତୈଳ ସଂଗ୍ରହକାରୀ, ଏଜେଣ୍ଟ, ଏବଂ ବ୍ୟବହୃତ ତୈଳ ଆମଦାନୀକାରୀଙ୍କୁ ସେମାନଙ୍କ ବ୍ୟବସାୟ ଜାରି ରଖିବା ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ବିକଶିତ ପୋର୍ଟାଲରେ ପଞ୍ଜିକରଣ କରିବାକୁ କହିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡ. କେ ମୁରୁଗେସନ ଏ ନେଇ ଏକ ସାର୍ବଜନୀନ ବିଜ୍ଞପ୍ତି ଜାରି କରିଛନ୍ତି ।
ଏହାକୁ କାର୍ଯ୍ୟକାରୀ କରିବାପାଇଁ ଯେ ବିପଦଜନକ ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ (ପରିଚାଳନା ଏବଂ ଆନ୍ତଃସୀମା ପରିବହନ) ଦ୍ୱିତୀୟ ସଂଶୋଧନ ନିୟମ, ୨୦୨୩ ଯାହା ଏପ୍ରିଲ, ୨୦୨୪ ର ପ୍ରଥମ ଦିନରୁ କାର୍ଯ୍ୟକାରୀ ହେବାକୁ ଯାଉଛି, ସମସ୍ତ ଉତ୍ପାଦକ, ସଂଗ୍ରହକାରୀ ଏଜେଣ୍ଟ, ଏବଂ ବ୍ୟବହୃତ ତୈଳ ଆମଦାନୀକାରୀଙ୍କୁ ସିପିସିବିର ବିସ୍ତାରିତ ଉତ୍ପାଦକ ଦାୟିତ୍ୱ (ଇପିଆର୍) ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ ବୋଲି ଡ. ମୁରୁଗେସନ କହିଛନ୍ତି ।
ନିୟମ ଅନୁଯାୟୀ ଯଦି କୌଣସି ସଂସ୍ଥା ଗୋଟିଏରୁ ଅଧିକ ବର୍ଗରେ ପଡ଼େ ତେବେ ଉକ୍ତ ସଂସ୍ଥାକୁ ସେହି ସବୁ ବର୍ଗରେ ନିଜକୁ ପଞ୍ଜିକରଣ କରିବାକୁ ପଡ଼ିବ । ବିନା ପଞ୍ଜିକରଣରେ କୌଣସି ସଂସ୍ଥା ବ୍ୟବସାୟ କରିପାରିବେ ନାହିଁ ବୋଲି ସେ କହିଛନ୍ତି ।
ନିଜକୁ ପଞ୍ଜିକୃତ କରିନଥିବା କୌଣସି ସଂସ୍ଥା ଗୁଡ଼ିକ ପଞ୍ଜିକୃତ ହୋଇନଥିବା ସଂସ୍ଥା ସହ କାରବାର କରିପାରିବେ ନାହିଁ । ଯଦି କୌଣସି ପଞ୍ଜିକୃତ ସଂସ୍ଥା ମିଥ୍ୟା ତଥ୍ୟ ପ୍ରଦାନ କରନ୍ତି କିମ୍ବା ଜାଣିଶୁଣି ପଞ୍ଜିକରଣ ପାଇଁ ତଥ୍ୟ ଲୁଚାଇ ଥାଆନ୍ତି କିମ୍ବା ଦାଖଲ କରିବା ପାଇଁ ଆବଶ୍ୟକ ରିପୋର୍ଟ କିମ୍ବା ସୂଚନା ପ୍ରଦାନ କିମ୍ବା କିମ୍ବା ଅନ୍ୟ କୌଣସି ଅନିୟମିତତା ହୁଏ, ତେବେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସେହି ସଂସ୍ଥାର ପଞ୍ଜିକରଣ ଶୁଣାଣି ପାଇଁ ସୁଯୋଗ ଦେବା ପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରଦ୍ଦ କରିପାରେ ଏବଂ ଏହା ବ୍ୟତୀତ, ପରିବେଶ କ୍ଷତିପୂରଣ ଶୁଳ୍କ ମଧ୍ୟ ଆଦାୟ କରାଯାଇପାରେ ବୋଲି ସଦସ୍ୟ ସଚିବ ଚେତାବନୀ ଦେଇଛନ୍ତି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବ୍ୟବହୃତ ତୈଳ ଉତ୍ପାଦିତ, ପୁନଃବ୍ୟବହାର କିମ୍ବା ପରିଚାଳନାର ପରିମାଣ ଆଧାରରେ ପଞ୍ଜିକରଣ ଚାହୁଁଥିବା ସଂସ୍ଥାମାନଙ୍କଠାରୁ ପଞ୍ଜୀକରଣ ଶୁଳ୍କ ଏବଂ ବାର୍ଷିକ ରକ୍ଷଣାବେକ୍ଷଣ ଶୁଳ୍କ ଆଦାୟ କରିପାରିବ ।
ସେମାନଙ୍କ ପରିସରରୁ ବ୍ୟବହୃତ ତୈଳ ସଂଗ୍ରହ ଏବଂ ପରିବହନ ପାଇଁ ସଂଗ୍ରହ ଏଜେଣ୍ଟଣ୍ଟମାନଙ୍କୁ ସୁବିଧା କରିବା ପାଇଁ ବଡ ବଡ ବ୍ୟବସାୟୀଙ୍କୁ ସଂଗ୍ରହ ପଏଣ୍ଟ ସ୍ଥାପନ କରିବାକୁ ପଡିବ; ଏବଂ ସୁନିଶ୍ଚିତ କରିବାକୁ ପଡିବ ଯେ ସେମାନଙ୍କ ଦ୍ୱାରା ଉତ୍ପାଦିତ ବ୍ୟବହୃତ ତେଲ କେବଳ ପଞ୍ଜିକୃତ ପୁନଃବ୍ୟବହାରୀ କିମ୍ବା ଉତ୍ପାଦକ କିମ୍ବା ସଂଗ୍ରହ ଏଜେଣ୍ଟଣ୍ଟମାନଙ୍କୁ ହସ୍ତାନ୍ତର କରାଯିବ ।
ବର୍ଜ୍ୟ ଟାୟାରର ରିସାଇକ୍ଲିଂ ପାଇଁ ଏସପିସିବି ଆଉ ଏକ ସାର୍ବଜନୀନ ବିଜ୍ଞପ୍ତି ଜାରି କରିଛନ୍ତି । ସଦସ୍ୟ ସଚିବ କହିଛନ୍ତି ଯେ ବର୍ଜ୍ୟ ଟାୟାରର ରିସାଇକ୍ଲର ଏବଂ ଅଚଳ ଟାୟାରର ପୁନଃପରିବହନକାରୀଙ୍କୁ ସିପିସିବିର ବିସ୍ତାରିତ ଉତ୍ପାଦକ ଦାୟିତ୍ୱ (ଇପିଆର୍) ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ । (ତଥ୍ୟ)