ଭୁବନେଶ୍ୱର : ୨୦୨୭ରେ ଓଡିଶାରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ଓ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି । ଏହାକୁ ଆଖିଆଗରେ ରଖି ବିଭିନ୍ନ ଜିଲ୍ଲାରେ ଏବେ ପ୍ରାଥମିକ ପ୍ରସ୍ତୁତି କାର୍ଯ୍ୟ ଉଭୟ ସରକାରୀ ଓ ରାନୈତିକ ସ୍ତରରେ ଚାଲିଛି ।
ଏବେ ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରାୟ ହଜାରେ ପଦବୀ ଖାଲି ପଡିଥିଲେ ମଧ୍ୟ ବର୍ଷାଧିକାଳ ଧରି ଉପର୍ନିବାଚନ ହୋଇନାହିଁ । ସମ୍ଭବତଃ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବା ପରିପ୍ରେକ୍ଷୀରେ ଆଉ ଉପନିର୍ବାଚନ କରାଯାଇ ନପାରେ ।
ଏବେ ଓଡିଶାରେ ଭାରତର ନିର୍ବାଚନ କମିଶନଙ୍କ ଆଦେଶ ମୁତାବକ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ସହିତ ବୁଥ୍ସଂଖ୍ୟା ବଢାଇବା ପାଇଁ ବ ପ୍ରସ୍ତାବ ରହିଛି । ଯେଭଳି କୌଣସି ବୁଥ୍ରେ ଭୋଟରଙ୍କ ସଂଖ୍ୟା ୧୨୦୦ ରୁ ଅଧିକ ନରୁହେ ତାହାକୁ ଆଖିଆଗରେ ରଖି ବୁଥ୍ ସଂଖ୍ୟା ବୃଦ୍ଧି ପାଇବାକୁ ଯାଉଛି ।
ସ୍ୱତନ୍ତ୍ର ଏସଆଇଆର ପ୍ରକ୍ରିୟାରେ ଭୋଟର ତାଲିକାର ବି ସଂଶୋଧନ ହେବ । ଏଥିରେ କିଏ ବାଦ୍ ପଡିବ ଓ କାହା ନାମ ଯୋଡାହେବ ତାହା ବିଭିନ୍ନ ୱାର୍ଡ ଦାୟିତ୍ୱରେ ରହୁଥିବା ଅଧିକାରୀମାନେ ଘରକୁ ଘର ବୁଲି ଅନୁଧ୍ୟାନ ପରେ ନିର୍ଦ୍ଧାରଣ କରିବେ । ଆଶା କରାଯାଉଛି ଆସନ୍ତା ଜୁନ୍ ମାସ ପୂର୍ବରୁ ଓଡିଶାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସରିବ । ଏଥି ସହିତ ବି ଜନଗଣନା ପ୍ରକ୍ରିୟା ଆରମ୍ଭ ହେଉଛି ।
ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ଆଗେ ହେବ ଏବଂ ତାହାର କିଛିମାସ ପରେ ବିଭିନ୍ନ ମହାନଗର ନିଗମ, ପୌରସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡିକ ଲାଗି ନିର୍ବାଚନ ହେବ । ତେବେ ନବଗଠିତ ସହରାଞ୍ଚଳ ସ୍ୱାୟତ୍ତଶାସନ ସଂସ୍ଥାଗୁଡିକ ଲାଗି ଆଗତୁରା ନିର୍ବାଚନ ହେବ କି ନାହିଁ ସେ ସଂକ୍ରାନ୍ତରେ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ପଞ୍ଚାୟତ ଓ ପୌର ନିର୍ବାଚନକୁ ଆଖିଆଗରେ ରଖି ବିଭିନ୍ନ ରାଜନୈତିକଦଳ ଓ ଆଶାୟୀ ପ୍ରାର୍ଥୀମାନେ ପ୍ରସ୍ତୁତିପର୍ବ ଆରମ୍ଭ କରିଥିଲେ ବି କେଉଁ ଆସନ କେଉଁ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ କି ନରହିବ ତାହା ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ଆଗକୁ ଗୋଡ କାଢିପାରୁ ନାହାନ୍ତି । ଅନ୍ୟ ପକ୍ଷରେ ବିଭିନ୍ନ ଦଳର ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ପୌର ଓ ପଞ୍ଚାୟତ ପ୍ରତିନିଧିଙ୍କ ସମେତ କ୍ଷେତ୍ର ସଂଗଠନର ନେତାମାନେ କିନ୍ତୁ ବିଜୟ ସମ୍ଭାବନାକୁ ଆଖିଆଗରେ ରଖି ଲୋକଙ୍କ ନାଡି ଚିପିବା ଆରମ୍ଭ କରିଛନ୍ତି ।
ରାଜନୈତିକ ସ୍ତରରେ ପ୍ରସ୍ତୁତି କ୍ଷେତ୍ରରେ ବିଜେପି ଏବେ ଆଗରେ ଥିବା ଦଳୀୟ ନେତାମାନେ ଦାବି କରୁଛନ୍ତି । ଏ ପରିପ୍ରେକ୍ଷୀରେ ବିଭିନ୍ନ ଦଳର ବହୁ ପଞ୍ଚାୟତ ଓ ପୌର ପ୍ରତିନିଧି ବିଜେପିରେ ସାମିଲ ହେଉଥିବା ଘଟଣା ଦଳର ସାହସ ବଢାଉଛି । ଅନ୍ୟ ପକ୍ଷରେ କଂଗ୍ରେସ ଓ ବିଜେଡିରେ ଲାଗିରହିଥିବା ଗୋଷ୍ଠି କନ୍ଦଳ ଯୋଗୁଁ ଅବଶ୍ୟ ପ୍ରସ୍ତୁତିପର୍ବରେ ଏହି ଦଳଗୁଡିକର କ୍ଷେତ୍ର ସଂଗଠନମାନଙ୍କୁ ଅସୁବିଧାରେ ପକାଉଛି ।
ତେବେ ପଞ୍ଚାୟତ ଓ ପୌର ନିର୍ବାଚନରେ ସେମାନଙ୍କ ଦଳ ବହୁତ ଭଲ ପ୍ରଦର୍ଶନ କରିବ ବୋଲି କଂଗ୍ରେସ, ବିଜେଡି ଓ ବିଜେପିର ସ୍ଥାନୀୟ ନେତାମାନେ ଦାବି କରୁଛନ୍ତି । ଏକାକୀ କ୍ଷମତାକୁ ଆସିବାପରେ ବିଜେପି ପାଇଁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ଅଗ୍ନି ପରୀକ୍ଷା ଭଳି ହେବ । ଏ ପରିପ୍ରେକ୍ଷୀରେ କେତେ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ଗ୍ରାମପଞ୍ଚାୟତ ଓ ସହରାଞ୍ଚଳର ସ୍ୱାୟତ୍ତଶାସନ ସଂସ୍ଥା ବିଜେପି ଦଖଲ କରିବ ତାହା ଉପରେ ସମସ୍ତଙ୍କର ନଜର । ଏହା ବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଲାଗି କଠୋର ପରୀକ୍ଷା ହେବ ବୋଲି କୁହାଯାଉଛି । (ତଥ୍ୟ)

