Home Environment ପଞ୍ଚାୟତ ଅଫିସ ଭାଙ୍ଗିବାକୁ ଏନ୍‍ଜିଟିଙ୍କ ନିର୍ଦ୍ଦେଶ

ପଞ୍ଚାୟତ ଅଫିସ ଭାଙ୍ଗିବାକୁ ଏନ୍‍ଜିଟିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଝାଡପଡା ପଂଚାୟତରେ ଜଙ୍ଗଲ ଜମି ଉପରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ପଂଚାୟତ ଗୃହକୁ ହଟାଇବା ପାଇଁ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍ ରାଜ୍ଯ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ଘଟଣାର ତଦନ୍ତ ପାଇଁ ନୟାଗଡ ଜିଲ୍ଲାପାଳ, ଖୋର୍ଦ୍ଧା ଡିଏଫଓ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ବୈଜ୍ଞାନିକଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଥିଲା ।

ଏହି ମାମଲାରେ ରାଜ୍ୟ ସରକାର, ରାଜ୍ୟ ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ, ରାଜସ୍ଵ ବିଭାଗ ସଚିବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନୟାଗଡ ଜିଲ୍ଲାପାଳ, ନୟାଗଡ ଏସପି, ରଣପୁର ତହସିଲଦାର, ଝାଡପଡା ପଂଚାୟତ, ସରପଞ୍ଚ ଓ ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ନୋଟିସ ଜାରି ହୋଇଥିଲା । ଝାଡପଡା ଗାଁର ନିତ୍ୟାନନ୍ଦ ଜେନା କିଛି ବର୍ଷ ତଳେ ସେହି ମୌଜାର ଖାତା ନମ୍ବର ୩୮୭ , ପ୍ଲଟ ନମ୍ବର ୧୭୯୩ ରେ ବେଆଇନ ଭାବେ ଏକ ଗୃହ ନିର୍ମାଣ କରିଥିଲେ । କାରଣ ଏହି ଜମିର ସାବିକ କିସମ ଜଙ୍ଗଲ ଥିବାରୁ ଏଠାରେ ବିନା ଅନୁମତିରେ କୌଣସି ନିର୍ମାଣ କାର୍ଯ୍ୟ କରିହେବ ନାହିଁ କିମ୍ବା ଏହି ଜମି କାହାକୁ ହସ୍ତାନ୍ତର କରାଯାଇପାରିବ ନାହିଁ ।

ଏହା ପରେ ସେହି ଘରକୁ ଝାଡପଡା ପଞ୍ଚାୟତ ଅଫିସ ଭାବେ ବ୍ୟବହାର କରାଗଲା । ଝାଡପଡା ପଞ୍ଚାୟତ ପକ୍ଷରୁ ସେହି ଖାତା ନମ୍ବରରେ ଥିବା ପ୍ଲଟ ନମ୍ବର ୧୭୯୫କୁ ପଞ୍ଚାୟତ ନାମରେ ହସ୍ତାନ୍ତର କରିବାକୁ ରଣପୁର ତହସିଲ ନିକଟରେ ଆବେଦନ କରିଥିଲେ । କିନ୍ତୁ ତହସିଲଦାର ଏହାକୁ ଖାରଜ କରିଥିଲେ । ପଞ୍ଚାୟତ ପକ୍ଷରୁ ପରେ ଉପ-ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରାଯାଇଥିଲା । ତାହା ମଧ୍ୟ ଖାରଜ ହେଲା । ଏହି ଜମିର ସାବିକ କିସମ ଜଙ୍ଗଲ ହୋଇଥିବାରୁ ଏହା ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି ଉପ-ଜିଲ୍ଲାପାଳ ତାଙ୍କ ନିର୍ଦ୍ଦେଶରେ କହିଥିଲେ ।

ଏହା ବିରୋଧରେ ପଞ୍ଚାୟତ ଓଡିଶା ହାଇକୋର୍ଟରେ ଅପିଲ କରିଥିଲେ । ତାହା ମଧ୍ୟ ଖାରଜ ହୋଇଥିଲା । ପଞ୍ଚାୟତ ଅଫିସ ପାଇଁ ଆଉ ଏକ ଉପଯୁକ୍ତ ଯାଗା ଚୟନ କରିବାକୁ ହାଇକୋର୍ଟ ପ୍ରସ୍ତାବ ଦେଇଥିଲେ । କିନ୍ତୁ ପଞ୍ଚାୟତ ପକ୍ଷରୁ ପ୍ଲଟ ନମ୍ବର ୧୭୯୩ ରେ ଥିବା ଘର ପାଖରେ ଆଉ ଏକ ଗୃହ ନିର୍ମାଣ କରିବାକୁ ଉଦ୍ୟମ କରିବାରୁ ଗ୍ରାମବାସୀ ବିରୋଧ କରିଥିଲେ । ଏହାକୁ ନେଇ ଝାଡପଡା ଗ୍ରାମର ବାସିନ୍ଦା ରବିନ୍ଦ୍ର ପ୍ରଧାନ ଏନଜିଟି ନିକଟରେ ମାମଲା କରିଥିଲେ ।  

ଏନଜିଟି ନିର୍ଦେଶରେ ଗଠନ ହୋଇଥିବା କମିଟି ତଦନ୍ତ କରି ଜଙ୍ଗଲ ଜମି ଉପରେ ନିର୍ମାଣ କରାଯାଇଥିବା ରିପୋର୍ଟ ଦେଇଥିଲେ । ରାଜ୍ୟ ସରକାର ମଧ୍ୟ ଏହି ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି କହିଥିଲେ । ଏହି ଆଧାରରରେ ଜଙ୍ଗଲ ଜମି ଉପରେ ବେଆଇନ ନିର୍ମାଣକୁ ଭାଙ୍ଗିବା ସହ ନୂତନ ନିର୍ମାଣ ଉପରେ ରୋକ ଲଗାଇବାକୁ ଏନଜିଟି ନିର୍ଦେଶ ଦେଇଛନ୍ତି । ଏକ ମାସ ମଧ୍ୟରେ ଏହି ବେଆଇନ ଘରକୁ ଭାଙ୍ଗିବା ଲାଗି ନୟାଗଡ ଜିଲ୍ଲାପାଳଙ୍କୁ ଟ୍ରିବୁନାଲ୍ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଓଡିଶା ହାଇକୋର୍ଟର ଆଇନଜୀବୀ ଶ୍ରୀ ଅଖଣ୍ଡ ଏହି ମାମଲା ପରିଚାଳନା କରୁଥିଲେ ।