Home Health ପଞ୍ଚାୟତସ୍ତରରେ ଦିଆଯାଉ ଭିନ୍ନକ୍ଷମ ସାର୍ଟିଫିକେଟ୍‍

ପଞ୍ଚାୟତସ୍ତରରେ ଦିଆଯାଉ ଭିନ୍ନକ୍ଷମ ସାର୍ଟିଫିକେଟ୍‍

ଭୁବନେଶ୍ୱର :ସକାରାତ୍ମକ ମନୋଭାବ ଅଭାବରୁ ସରକାରୀ ଚାକିରିରେ ନିଯୁକ୍ତି ଓ ଭିନ୍ନକ୍ଷମ ଭତ୍ତା ପାଇବା କ୍ଷେତ୍ରରେ ଶାରୀରିକ ଅସମର୍ଥ ବ୍ୟକ୍ତିମାନଙ୍କ ଭିତରୁ ଅନେକ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏଥିଲାଗି ଆଇନ୍‍ ଅଦାଲତରେ ମାମଲାର ଚାପ ବୃଦ୍ଧି ପାଉଥିବାବେଳେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଭତ୍ତାରୁ ବଞ୍ôଚତ ହୋଇ ଅନେକ ଭିନ୍ନକ୍ଷମ ପ୍ରତିକୂଳ ପରିସ୍ଥିତିରେ ଭାଗକୁ ଆଦରି ରହିବାକୁ ବାଧ୍ୟ ହେଉଛନ୍ତି ।

ପ୍ରଚଳିତ ଆଇନ୍‍ ବ୍ୟବସ୍ଥା ଅନୁଯାୟୀ ସରକାରୀ ଚାକିରି ଓ ଭତ୍ତା ଆଦି ପାଇଁ ଶାରୀରିକ ଭିନ୍ନକ୍ଷମ ପ୍ରମାଣପତ୍ର ବାଧ୍ୟତାମୂଳକ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସରକାରୀ ମେଡିକାଲ୍‍ କଲେଜ୍‍ଗୁଡ଼ିକ ଏହି ପ୍ରମାଣପତ୍ର ଦେବା ପାଇଁ କ୍ଷମତାପ୍ରାପ୍ତ । ଏଥିଲାଗି ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଗଠିତ କମିଟି ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଆବେଦନ କରିଥିବା ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ସେମାନେ କେତେ ପ୍ରତିଶତ ଭିନ୍ନକ୍ଷମ ସେ ସଂକ୍ରାନ୍ତରେ ବିଧିବଦ୍ଧ ପ୍ରମାଣପତ୍ର ଦେଇଥାନ୍ତି । ଏହି ପ୍ରମାଣପତ୍ର ଆଧାରରେ ସେମାନେ ସରକାରୀ ଚାକିରିରେ ଥିବା ସଂରକ୍ଷଣ ସୁବିଧା ଆଧାରରେ ବିଜ୍ଞପ୍ତି ମୁତାବକ ଆବେଦନ କରିଥାନ୍ତି । କେବଳ ସେତିକି ନୁହେଁ, ସାମାଜିକ ନିରାପତ୍ତା ଯୋଜନାରେ ଭିନ୍ନକ୍ଷମ ଭତ୍ତା ଗଣ୍ଡେ ପାଇଁ ମଧ୍ୟ ଅନେକ ବ୍ୟକ୍ତି ଆବେଦନ କରିବାର ମୁଖ୍ୟ ଆଧାର ହେଉଛି ଏହି ସାର୍ଟିଫିକେଟ୍‍ ।

ଅଭିଯୋଗ ହେଉଛି ଯେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାଠାରୁ ଦୂରଦୂରାନ୍ତରେ ରହୁଥିବା ଅନେକ ଚଳତଶକ୍ତି ବିହୀନ ଅନେକ ଶାରୀରିକ ଭିନ୍ନକ୍ଷମ ହଜାର ହଜାର ଟଙ୍କା ଗାଡ଼ିଭଡ଼ା କରି ଡାକ୍ତରଙ୍କ ପାଖକୁ ଭିନ୍ନକ୍ଷମ ପ୍ରମାଣପତ୍ର ଲାଗି ପରୀକ୍ଷା ଦେବାକୁ ଆସିବା ସମ୍ଭବପର ହେଉନାହିଁ । ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସଚେତନତାର ଅଭାବ ଓ ଆର୍ଥିକ ଦୁରାବସ୍ଥା ଯୋଗୁ ବହୁ ଶାରୀରିକ ଭିନ୍ନକ୍ଷମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିବା ସମ୍ଭବପର ହେଉନାହିଁ । ଏମାନଙ୍କ ଲାଗି ଯଦି ପଞ୍ଚାୟତ ସ୍ତରରେ ଆବେଦନ ଗ୍ରହଣ କରିବା ସହିତ ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଶିବିରମାନ କରାଇପାରନ୍ତେ ତେବେ ଦୂରଦୂରାନ୍ତରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୌଡ଼ିବାର ଦହଗଞ୍ଜରୁ ମୁକ୍ତି ପାଇ ଏମାନେ ପଞ୍ଚାୟତ କିମ୍ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରସ୍ତରରେ ସହଜରେ ଭିନ୍ନକ୍ଷମ ସାର୍ଟିଫିକେଟ୍‍ ପାଇବା ସହିତ ସେହିଠାରେ ମଧ୍ୟ ଭତ୍ତା ପାଇଁ ଆବେଦନ କରିପାରନ୍ତେ । ଏଭଳି କରାଯାଉନଥିବାରୁ ଅନେକ ଯୋଗ୍ୟ ଶାରୀରିକ ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ôଚତ ହେଉଥିବାବେଳେ ବହୁ ନକଲି ଭିନ୍ନକ୍ଷମ କିନ୍ତୁ ଭତ୍ତା ହାତେଇ ନେଉଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଦାନୁଆପାଣି ଗାଁର ଲାଡୁ ମୁଣ୍ଡାରୀଙ୍କୁ ଏ କ୍ଷେତ୍ରରେ ଉଦାହରଣ ଭାବେ ନିଆଯାଇପାରେ । ଏକ ଦୁର୍ଘଟଣାରେ ଲାଡୁଙ୍କର ମେରୁଦଣ୍ଡରେ ଆଘାତ ଲାଗି ଗୋଡ଼ ଓ ହାତ ଅଚଳ ହୋଇଯାଇଥିଲା ଏବଂ ସେ କହିବା ଶକ୍ତି ମଧ୍ୟ ହରାଇଥିଲେ । ତେବେ କଟକସ୍ଥିତ ଆଞ୍ଚଳିକ ମେରୁଦଣ୍ଡ ଚିକିତ୍ସା କେନ୍ଦ୍ରର ଡାକ୍ତରମାନଙ୍କ ଅକ୍ଳାନ୍ତ ଉଦ୍ୟମକ୍ରମେ ତାଙ୍କର ବାକ୍‍ ଶକ୍ତି ଫେରିବା ସହିତ ହାତ ଦୁଇଟି ସାମାନ୍ୟ ଚାଲୁଥିଲା । କିନ୍ତୁ ତାଙ୍କର ଗୋଡ଼ ଆଉ ସୁସ୍ଥ ହେଲା ନାହିଁ । ଫଳରେ ସାରା ଜୀବନ ପାଇଁ ଶାରୀରିକ ଭିନ୍ନକ୍ଷମ ପାଲଟିଥିବା ଲାଡୁ ମୁଣ୍ଡାରୀ ଡାକ୍ତରଖାନାରୁ ୨୦୨୪ ସେପ୍ଟେମ୍ବର ୧୦ ତାରିଖରେ ଡିସ୍‍ଚାର୍ଜ ହୋଇ ଭାଗ୍ୟକୁ ଆଦରି ଗାଁକୁ ଫେରିଥିଲେ ।

ଲାଡୁଙ୍କ ବୟସ ଏବେ ପ୍ରାୟ ୬୦ ବର୍ଷ । ଗାଁରେ ସେ ଯେଉଁ ଝାଟିମାଟି ଘରେ ରହୁଛନ୍ତି ତା’ର କବାଟ ବି ନାହିଁ । ଖରା, ବର୍ଷା, ଶୀତ-କାକର ମାଡ଼ରେ ପଡ଼ି ରହିଛନ୍ତି ଲାଡୁ ମୁଣ୍ଡାରୀ । ତାଙ୍କ ପତ୍ନୀ ଓ ଝିଅ ରୋଜଗାର କଲେ ଖାଇବାକୁ ଦାନା ମିଳେ । ଘରୁ ଠାକୁରମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବା ପାଇଁ ତାଙ୍କ ପାଖରେ ସମ୍ଭଳ ନଥିବାବେଳେ ସେ କିପରି ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭିନ୍ନକ୍ଷମ ସାର୍ଟିଫିକେଟ୍‍ ପାଇଁ କେତେଥର ବା ଦୌଡ଼ିପାରିବେ? ଇତିମଧ୍ୟରେ ଶଯ୍ୟାଶୟୀ ଲାଡୁଙ୍କର ବେଡ୍‍ ଶୋର୍‍ ହୋଇଯାଇଥିଲା । ବହୁ କଷ୍ଟରେ ତାହା ଭଲ ହୋଇଛି । ଏ ପରିପ୍ରେକ୍ଷୀରେ ଲାଡୁଙ୍କ ଭଳି ବ୍ୟକ୍ତିଙ୍କୁ କିନ୍ତୁ ଶାରୀରିକ ଭିନ୍ନକ୍ଷମ ପେନ୍‍ସନ୍‍ ଦେବା ପାଇଁ ପ୍ରଶାସନିକ ବ୍ୟବସ୍ଥା ତତ୍ପରତା ପ୍ରକାଶ କରୁନାହିଁ । ଏଭଳି ଉଦାହରଣ ଅନେକ । ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଉପ ଶାସନ ସଚିବ ଥିବା ସନ୍ନ୍ୟାସୀ ବେହେରାଙ୍କ ଭଳି ଦୃଷ୍ଟିବାଧିତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଓଏଏସ୍‍ ଚାକିରି ପାଇଁ ଲମ୍ବା ଲଢ଼େଇ ଲଢ଼ିବା ପ୍ରଶାସନିକ ଇତିହାସର କଥାବସ୍ତୁ ହୋଇ ରହିଯାଇଛି ।(ତଥ୍ୟ)