Home General ପଞ୍ଚାୟତରେ ଷ୍ଟ୍ରିଟ୍‍ ଲାଇଟ୍‍ ପାଇଁ ଠିକାଦାର ଅମଙ୍ଗ

ପଞ୍ଚାୟତରେ ଷ୍ଟ୍ରିଟ୍‍ ଲାଇଟ୍‍ ପାଇଁ ଠିକାଦାର ଅମଙ୍ଗ

ଭୁବନେଶ୍ୱର : ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ୍‍ ଲାଗିବାପାଇଁ ଅର୍ଥ ବରାଦ ପରେ ଟେଣ୍ଡର ହୋଇଥିଲା । ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ସଫଳ ହୋଇଥିବା ସଂସ୍ଥା କିନ୍ତୁ ରାଜ୍ୟ ସରକାରଙ୍କ ସହିତ ଚୁକ୍ତି କରିବାକୁ ମଙ୍ଗୁ ନାହାନ୍ତି । ଫଳରେ ରାଜ୍ୟର ୯ଟି ଜିଲ୍ଲାରେ ପଞ୍ଚାୟତରେ ଷ୍ଟ୍ରିଟ୍‍ ଲାଇଟ୍‍ କାମ ଆରମ୍ଭ ହୋଇପାରି ନଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ସମସ୍ତ ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ୍‍ ଲଗାଇବା ନିମନ୍ତେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୨୦୧୮-୧୯ ବର୍ଷରୁ ଅର୍ଥ ପ୍ରଦାନ କରାଯାଉଛି । ସେହିବର୍ଷ ଏହି ଯୋଜନା ପାଇଁ ୧୧୭.୪୯ କୋଟି ଟଙ୍କା ଦିଆଯାଇଥିବାବେଳେ ୨୦୧୯-୨୦ ବର୍ଷ ପାଇଁ ୧୦୮.୭୯ କୋଟି, ୨୦୨୦-୨୧ ବର୍ଷ ପାଇଁ ୧୦୮.୭୯ କୋଟି ଏବଂ ୨୦୨୧-୨୨ ବର୍ଷରେ ୯୭.୬୧ କୋଟି ଟଙ୍କା ମଞ୍ଜୁର ହୋଇଛି ।

ବ୍ୟବସ୍ଥା ଅନୁଯାୟୀ ଟେଣ୍ଡରରେ ଭାଗ ନେଇଥିବା ସଂସ୍ଥା ଚୟନ ହେଲାପରେ ଜିଲ୍ଲା ସ୍ତରରେ ଠିକାଦାରୀ ସଂସ୍ଥା ସହିତ ରାଜିନାମା ହେବାକଥା । ହେଲେ କମ୍‍ ଅର୍ଥ ଉଲ୍ଲେଖକରି ଟେଣ୍ଡର ହାତେଇଥିବା ସଂସ୍ଥା କିନ୍ତୁ ୯ଟି ଜିଲ୍ଲା ଯଥା ବରଗଡ, ବଲାଙ୍ଗିର, ଢେଙ୍କାନାଳ, ଜଗତ୍‍ସିଂହପୁର, ଖୋରଧା, ମୟୁରଭଞ୍ଜ, ନୟାଗଡ, ପୁରୀ ଓ ରାୟଗଡାରେ ରାଜିନାମା ପ୍ରତି ଆଗ୍ରହ ପ୍ରକାଶ କଲେ ନାହିଁ । ଫଳରେ ଟଙ୍କା ଥାଇ ସୁଦ୍ଧା ଏହିସବୁ ଜିଲ୍ଲାରେ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ । ରାଜ୍ୟର ସମସ୍ତ ପଞ୍ଚାୟତରେ ଆସନ୍ତା ଜାନୁୟାରୀ ସୁଦ୍ଧା ଷ୍ଟିଟ୍‍ ଲାଇଟ୍‍ ଲଗାଇବାକୁ ସରକାର ଯୋଜନା କରିଥିବାବେଳେ କାର୍ଯ୍ୟ ସରିବା ନେଇ ଆଶଙ୍କା ରହିଛି ।

ତେବେ ଷ୍ଟ୍ରିଟ୍‍ ଲାଇଟ୍‍ ଲାଗିପାରୁନଥିବା ଜଗତ୍‍ସିଂହପୁର ଜିଲ୍ଲାର ୧୯୮ଟି ପଞ୍ଚାୟତ ଥିବାବେଳେ, ଖୋରଧାର ୧୯୦ଟି, ମୟୁରଭଞ୍ଜର ୪୦୪, ନୟାଗଡର ୧୯୪, ପୁରୀର ୨୬୮, ରାୟଗଡାର ୧୮୨, ବରଗଡର ୨୫୩, ବଲାଙ୍ଗିର ୩୧୭ ଓ ଢେଙ୍କାନାଳର ୨୧୨ଟି ପଞ୍ଚାୟତ ରହିଛି ।

ଏହି ସମସ୍ତ ଜିଲ୍ଲାପାଇଁ ଲଗାତାର ଭାବେ ପ୍ରତିବର୍ଷ କୋଟି କୋଟି ଟଙ୍କା ମଞ୍ଜୁର କରାଯାଉଛି । ବରଗଡ ଜିଲ୍ଲାପାଇଁ ଗତ ଆର୍ଥିକ ବର୍ଷରେ ୩୬ କୋଟି ଟଙ୍କାରୁ ଅଧିକ ବରାଦ ହୋଇଥିବାବେଳେ ବଲାଙ୍ଗିର ଜିଲ୍ଲାପାଇଁ ୪୫ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି । ପୂର୍ବରୁ ଏହି ଜିଲ୍ଲାପାଇଁ ଲଗାତାର ଭାବେ ୫୦ କୋଟିରୁ ଅଧିକ ଅର୍ଥ ବରାଦ ହେଉଛି । ସେହିଭଳି ଜଗତ୍‍ସିଂହପୁର ଜିଲ୍ଲାପାଇଁ ଗତ ଆର୍ଥିକ ବର୍ଷରେ ୨୮ କୋଟି ଟଙ୍କାରୁ ଅଧିକ ଅର୍ଥ ବରାଦ ହୋଇଛି । ଷ୍ଟ୍ରିଟ ଲାଇଟ୍‍ କାର୍ଯ୍ୟକାରୀ ହୋଇପାରୁ ନଥିବା ଅନ୍ୟ ଜିଲ୍ଲାରେ ବି ସ୍ଥିତି ଅନୁରୂପ ।

ତେବେ ରାଜ୍ୟର ୬୭୯୮ଟି ପଞ୍ଚାୟତ ମଧ୍ୟରୁ ଗତ ଆର୍ଥିକ ବର୍ଷରେ ମାତ୍ର ୯୯୧ ଟି ପଞ୍ଚାୟତରେ ଷ୍ଟ୍ରିଟ୍‍ ଲାଇଟ ଲଗା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ସରକାରୀ ଭାବେ ଦର୍ଶାଯାଇଛି । ଗାଁ ଗହଳରେ ରାସ୍ତାଘାଟ ଆଲୋକୀକରଣ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ଏହି ଯୋଜନା ଆଗେଇ ପାରୁନଥିବା ଓ ବ୍ୟାପକ ଅର୍ଥ ବରାଦ ସତ୍ୱେ ଠିକାଦାରମାନେ ଏଥିପ୍ରତି ବିମୁଖତା ପ୍ରକାଶ କରିବା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି । (ତଥ୍ୟ)