Home Banking ପଞ୍ଚାୟତରେ ମିଳିବ ସମବାୟ ବ୍ୟାଙ୍କ୍‍ ସେବା

ପଞ୍ଚାୟତରେ ମିଳିବ ସମବାୟ ବ୍ୟାଙ୍କ୍‍ ସେବା

ଭୁବନେଶ୍ୱର : ବ୍ୟାଙ୍କ୍‍ ଶାଖା ନଥିବା ଗ୍ରାମ ପଞ୍ଚାୟତରେ ସମବାୟ ବ୍ୟାଙ୍କ ସେବା ଯୋଗାଇ ଦେବାପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍କୁ ଦିଆଯାଇଥିବା ପ୍ରସ୍ତାବ ସେଠାରେ ପଡି ରହିଛି । ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍ ଏ ଦିଗରେ ରିଜର୍ଭ ବ୍ୟାଙ୍କ ସହିତ ଯୋଗାଯୋଗ କରିବାକୁ କହିଛନ୍ତି ରାଜ୍ୟ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢୀ ।

ରାଜ୍ୟ ସମବାୟ ବିଭାଗ କାର୍ଯ୍ୟକଳାପର ସମୀକ୍ଷା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେତେକ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ଏଥି ମଧ୍ୟରେ ଓଡିଶା ଏଗ୍ରି ମାର୍କେଟିଂ ବୋର୍ଡର ନିର୍ଦ୍ଦେଶକ ଏବଂ ସଦସ୍ୟ ସଚିବ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ତୁରନ୍ତ ପୂରଣ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ସଦସ୍ୟ ସଚିବଙ୍କ ବଦଳି ପରେ ଏହି ପଦବୀଟି ଖାଲି ପଡିଛି । ସେହିଭଳି ରାଜ୍ୟରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ)ରେ କିଭଳି ଅଧିକରୁ ଅଧିକ ଚାଷୀ ସାମିଲ ହୋଇପାରିବେ ସେଥିପାଇଁ ଆଇଇସି କାର୍ଯ୍ୟକ୍ରମ ଚଳାଇବାକୁ କୁହାଯାଇଛି । ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ଚାଷୀମାନେ ଦେବାକୁ ଥିବା ପ୍ରିମିୟମ ଅର୍ଥ ବହନ କରୁଛନ୍ତି । ସର୍ବାଧିକ ଦୁଇ ଏକର ଜମିର ବୀମା ଅର୍ଥ ରାଜ୍ୟ ସରକାର ବହନ କରିବେ ।

ସେହିଭଳି ରାଜ୍ୟର ବିଭିନ୍ନ ପାକ୍‍ସ ଓ ଲାମ୍ପସ୍‍ରେ ଚାଲିଥିବା କମ୍ପ୍ୟୁଟରୀକରଣ କାର୍ଯ୍ୟକୁ ଆସନ୍ତା ଅକ୍ଟୋବର ପହିଲା ସୁଦ୍ଧା ସାରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ୧୪୯୪ଟି ପାକ୍‍ସ ପାଇଁ ରୋଡମ୍ୟାପ ପ୍ରସ୍ତୁତ ଲାଗି ପ୍ରମୁଖ ଶାସନ ସଚିବ ଅଧିକାରୀମାନଙ୍କୁ କହିଛନ୍ତି । ପାକସ୍‍ ଓ ଲାମ୍ପସ୍‍ଗୁଡିକର ମୌଳିକ ଭିତ୍ତିଭୂମି ପାଇଁ ସମବାୟ ସଂସ୍ଥାଗୁଡିକର ଭିତ୍ତିଭୂମି ବିକାଶ ପାଇଁ ଆର୍ଥିକ ସହାୟତା ଯୋଜନା ଅଧିନରେ ୩୦କୋଟି ଟଙ୍କାର ବଜେଟ୍‍ ବ୍ୟବସ୍ଥା ହୋଇଥିବାବେଳେ ଆରଆଇଡିଏଫ୍‍ରେ ୪୦ କୋଟି ଟଙ୍କାର ବରାଦ ହୋଇଛି । ଏହି ଅର୍ଥ ଯେଭଳି ଆଦିବାସୀ ଅଞ୍ଚଳରେ ଥିବା ଲାମ୍ପସ୍‍ଗୁଡିକରେ ଠିକଣା ଭାବେ ବ୍ୟବହାର ହେବ ସେଥିପାଇଁ ପରାମର୍ଶ ଦିଆଯାଇଛି ।

୨୦୨୩-୨୪ ବର୍ଷରେ ରାଜ୍ୟରେ ୯୫୦୦ କୋଟି ଟଙ୍କାର ଫସଲ ଋଣ ଦେବାପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ତାହା ଯେଭଳି ପୂରଣ କରାଯିବ ସେଥିପାଇଁ ନିୟମିତ ବ୍ୟବଧାନରେ ସମୀକ୍ଷା କରିବାକୁ ବୈଠକରେ ସ୍ଥିର ହୋଇଛି । ସେହିଭଳି ସମବାୟବିଭାଗର ବିଭିନ୍ନ ଯୋଜନାଗୁଡିକ ଯେଭଳି ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ ହେବ ସେଥିପାଇଁ ସମସ୍ତ ୩୦ଟି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତି ପାଇଁ କୁହାଯାଇଛି । ଏହି ଅଧିକାରୀମାନେ ପ୍ରତ୍ୟେକ ଯୋଜନାର ସୂଚନା ଓ ସମୀକ୍ଷା ରିପୋର୍ଟ ଯେଭଳି ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରିବେ ସେଥିପାଇଁ ସେମାନଙ୍କୁ ଫର୍ମାଟ ପ୍ରଦାନ ଲାଗି କୁହାଯାଇଛି ।

ସମବାୟ ବିଭାଗ ହାତରେ ଥିବା ଶୀତଳଭଣ୍ଡାଗୁଡିକର ଘରୋଇକରଣ ପ୍ରକ୍ରିୟା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାଲାଗି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ୫-ଟି ଆଧାରରେ ବିଭାଗ ଧାର୍ଯ୍ୟ କରୁଥିବା ପ୍ରତ୍ୟେକ ଲକ୍ଷ୍ୟ ଯେଭଳି ପୂରଣ ହେବ ସେଥିପାଇଁ ବିଭାଗ ପକ୍ଷରୁ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦେବାପାଇଁ କୁହାଯାଇଛି ଯାହା ଫଳରେ ସମସ୍ତ ଯୋଜନା ଠିକଣା ସମୟରେ କାର୍ଯ୍ୟକାରୀ ହୋଇପାରିବ । ଓଡିଶା ରାଜ୍ୟ ପଣ୍ୟାଗାର ନିଗମର ଅଡିଟକୁ ଚୂଡାନ୍ତ କରିବା ସହିତ ଚଳିତବର୍ଷ ଡିସେମ୍ବର ସୁଦ୍ଧା ତାହାକୁ ରାଜ୍ୟ ବିଧାନସଭାକୁ ପ୍ରଦାନ କରିବାପାଇଁ ଶ୍ରୀ ପାଢୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । (ତଥ୍ୟ)