Home Finance ପଞ୍ଚାୟତରେ ବ୍ୟାଙ୍କ ସଖୀ ନିୟୋଜିତ

ପଞ୍ଚାୟତରେ ବ୍ୟାଙ୍କ ସଖୀ ନିୟୋଜିତ

ଭୁବନେଶ୍ୱର : ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ଜନସାଧାରଣଙ୍କ ପାଇଁ ମୌଳିକ ବ୍ୟାଙ୍କ୍‌ସେବା ଉପଲବ୍ଧ କରାଇବା ନିମନ୍ତେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ମହାସଂଘର ସଦସ୍ୟାମାନଙ୍କୁ ବ୍ୟାଙ୍କ୍‌ ସଖୀ ଭାବେ ନିୟୋଜିତ କରିବା ନିମନ୍ତେ ରାଜ୍ୟ ସରକାର ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏଥି ପାଇଁ ବ୍ୟାଙ୍କ ସଖୀ ଭାବରେ ମିଶନ ଶକ୍ତି ବିଭାଗ ବିଭିନ୍ନ ବ୍ୟାଙ୍କ ସହ ଅନୁବନ୍ଧିତ ହୋଇଛି । ଯୋଗ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ସଂଘର ସଦସ୍ୟାମାନଙ୍କୁ ଚୟନ କରିବା ନିମନ୍ତେ ବିଭାଗ ପକ୍ଷରୁ ଆବଶ୍ୟକୀୟ ମାର୍ଗଦର୍ଶିକା ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ଏହି ବଳିଷ୍ଠ ପଦକ୍ଷେପ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସକି୍ରୟ ସଂପୃକ୍ତିକୁ ଦର୍ଶାଉଛି ।

୧୮ରୁ ୪୫ ବର୍ଷ ବୟସର ଏସ୍‌ଏଚ୍‌ଜି ସଦସ୍ୟା ଯେଉଁମାନଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମାଟି୍ରକ୍‌ ପାସ୍‌ ହୋଇଥିବ, ତଥା ସ୍ମାର୍ଟ ଫୋନ୍‌ର ବ୍ୟବହାର କରିପାରୁଥିବେ ସେମାନେ ଏହି ଅଭିନବ ଜୀବିକା କାର୍ଯ୍ୟକ୍ରମରେ ନିୟୋଜିତ ହୋଇପାରିବେ । ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌, ୟସ୍‌ ବ୍ୟାଙ୍କ୍‌, ଆଇସିଆଇସିଆଇ ବ୍ୟାଙ୍କ୍‌, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ସହଭାଗିତାରେ ଏ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ୧୨୫୨ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏହି ବ୍ୟାଙ୍କିଂସେବାରେ ନିୟୋଜିତ ହୋଇଛନ୍ତି ।

ଏଥିପାଇଁ ଆବଶ୍ୟକୀୟ ବୈଷୟିକ ଉପକରଣ ସଂଗ୍ରହ ପାଇଁ ରାଜ୍ୟ ସରକାର ଏବଂ ନାବାର୍ଡ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ପ୍ରଥମ ୬ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟାଙ୍କ ସଖୀଙ୍କୁ ଆର୍ଥିକ ସୁରକ୍ଷା ପାଇଁ ପ୍ରତ୍ୟେକ ମାସରେ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଛି ।

ସଂଚୟ, ଜମା, ଅର୍ଥ ଉଠାଣ, ଅର୍ଥ ପ୍ରେରଣ, ବୀମା ଆଦି ବ୍ୟାଙ୍କ ସେବାକୁ ଉପଲବ୍ଧ କରାଇବା ଲକ୍ଷ୍ୟରେ ଏବଂ ଗ୍ରାମାଞ୍ଚଳରେ ଗୁଣାତ୍ମକ ତଥା ଫଳପ୍ରଦ ଆର୍ଥିକ ସେବା ଯୋଗାଇବା ଦିଗରେ ପରିବର୍ତ୍ତନକାରୀ ଜୀବିକା କାର୍ଯ୍ୟକ୍ରମ ଭାବେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ କି୍ରୟାକଳାପରେ ସାମିଲ କରିବାରେ ବ୍ୟାଙ୍କ ସଖୀ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି । ବ୍ୟାଙ୍କ ସଖୀ ଭାବେ ମିଶନ ଶକ୍ତି ଏସ୍‌ଏଚ୍‌ଜିର ସଂପୃକ୍ତି ସେମାନଙ୍କୁ ଅଧିକ ସଶକ୍ତ କରିବା ସହ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ବୈଷୟିକ କୌଶଳ ପ୍ରୟୋଗରେ ମାଇକ୍ରୋ ଏଟିଏମ୍‌କୁ କାର୍ଯ୍ୟକ୍ଷମ କରିବାରେ ସହାୟକ ହୋଇଛି ।

କୋଭିଡ୍‌-୧୯ ମହାମାରୀର ଆହ୍ୱାନମୂଳକ ସ୍ଥିତିରେ ମଧ୍ୟ ସରକାରଙ୍କ କୋଭିଡ୍‌ ମାର୍ଗଦର୍ଶିକାର ଅନୁପାଳନ ମଧ୍ୟରେ ଏହି ବ୍ୟାଙ୍କସଖୀ ମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିବିଧ ବ୍ୟାଙ୍କିଂ ସେବା ଅତ୍ୟନ୍ତ ପ୍ରଶଂସନୀୟ । ଏ ପର୍ଯ୍ୟନ୍ତ ଏହି ବ୍ୟାଙ୍କ ସଖୀମାନଙ୍କ ଦ୍ୱାରା ପାଖାପାଖି ୨୩୦ କୋଟି ଟଙ୍କାର ଆର୍ଥିକ କାରବାର କରାଯାଇପାରିଛି । ବ୍ୟାଙ୍କ ସଖୀମାନେ ମାସିକ ୩ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ର ରାଜେନ୍ଦ୍ରପୁର ଗ୍ରାମପଞ୍ଚାୟତରେ ବ୍ୟାଙ୍କ ସଖୀ ଭାବେ କାର୍ଯ୍ୟରତ ଚାନ୍ଦମଣି ଚାନ୍ଦ ‘କାଳିଆ’, ‘ମମତା’, ‘ଶ୍ରମିକ କାର୍ଡ’ ଆଦି ବିଭିନ୍ନ ସରକାରୀ ଯୋଜନାରେ ଆର୍ଥିକ କାରବାର କରି ବେଶ୍‌ ସଫଳ ହୋଇଛନ୍ତି । ଏ ପର୍ଯ୍ୟନ୍ତ ତାଙ୍କ ଦ୍ୱାରା ପ୍ରାୟ ୬୭ ଲକ୍ଷ ଟଙ୍କାର ବ୍ୟାଙ୍କ କାରବାର ହୋଇପାରିଛି ।

ସ୍ଥାନୀୟ ଅର୍ଥନୀତିର ଅଭିବୃଦ୍ଧି, ମହିଳା ଉଦ୍ୟୋଗୀ ସୃଷ୍ଟି, ଲିଙ୍ଗଗତ ସମାନତାକୁ ସୁନିଶ୍ଚିତ କରିବା ତଥା ମହିଳାମାନଙ୍କ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ମାଧ୍ୟମରେ ମହିଳା ସଶକ୍ତିକରଣକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ।